ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାର୍ଚ୍ଚ ୨୯ରେ ମାଣ୍ଡେଲ ସ୍ଥିତ ନର୍ଲା ବ୍ଲକ ଯାଦବ ଭବନ ଠାରେ ‘ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା’-୨୦୨୬ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାପୂର୍ବରୁ ମାଣ୍ଡେଲ ସ୍ଥିତ ନର୍ଲା ବ୍ଲକ ଯାଦବ ଭବନଠାରେ ଆଜି (ମାର୍ଚ୍ଚ ୨୮) ପୂର୍ବାହ୍ନ ୧୦ଟାରୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାର ସହ ଭୋଗ ଗ୍ରହଣ କରାଯାଉଛି। ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଗଉଡଙ୍କ ତତ୍ବାବଧାନରେ ସହକାରୀ ନିର୍ବାଚନ ଅଧିକାରୀ ପିତବାସ ବେହେରା, ସହାୟକ ଟିମ୍ ଡିଲେଶ କୁମାର ନାଗ, ଦୁର୍ଯ୍ୟୋଧନ ବାଗ, ତ୍ରିଲକ୍ଷ ନାଏକ, ଭକ୍ତ ଗହିର, ଅରବିନ୍ଦ ଗହିର, ମାର୍କଣ୍ଡ ଜାଲ ଓ କୃତି ବାଗ ପ୍ରମୁଖ ନିର୍ବାଚନ ପରିଚାଳନା କରୁଛନ୍ତି। ଆଜି ପୂର୍ବାହ୍ନ ୧୦ରୁ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ, ଅପରାହ୍ନ ୨ରୁ ୪ଟା ପର୍ଯ୍ୟନ୍ତ ଭୋଟ ଗଣତି ଏବଂ ଅପରାହ୍ନ ୪ଟା ୧୫ରେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା ହେବବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଗଉଡ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଜିଲ୍ଲା ସଭାପତି ପଦବୀ ପାଇଁ ଅରୁପାନନ୍ଦ ନାଗ, ଗୋବିନ୍ଦ ବନଛୋର, ଧବଳେଶ୍ୱର ବାଗ ଓ ନୃପରାଜ ଯାଦବଙ୍କ ମଧ୍ୟରେ ଲଢ଼େଇ ହେଉଛି। ସେହିପରି ଭାବେ ସାଧାରଣ ସମ୍ପାଦକ ପଦବୀ ପାଇଁ କିର୍ତ୍ତନ ନାଏକ, ପତିରାମ ହଂସ, ତ୍ରିପୁରା ନାଏକ ଓ ସତ୍ୟ ନାରାୟଣ ବିଶି ଲଢ଼େଇ କରୁଛନ୍ତି। ଉପସଭାପତି ପଦବୀ ପାଇଁ ଅନିରୁଦ୍ଧ ଲହଜଲ, ଅଲେଖ ଚନ୍ଦ୍ର ଗୋପାଳ, କମଳ ବାଗ, ଜଗଦୀଶ ଯାଦବ, ଯୁଧିଷ୍ଠିର ଗଉଡ, ଲିଙ୍ଗରାଜ ଗହିର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟପକ୍ଷରେ ଯୁଗ୍ମ ସମ୍ପାଦକ ଭାବେ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଡମ୍ବରୁଧର ଖର୍ସେଲ, ପୂର୍ଣ୍ଣଚନ୍ଦ୍ର ଗଉଡ ଓ ବିଶ୍ବରଞ୍ଜନ ଧଙ୍ଗଡାମାଝୀ ଏବଂ କୋଷାଧ୍ୟକ୍ଷ ଭାବେ ଅର୍ଜନ ଭାଟି ନିର୍ବାଚିତ ହୋଇଛନ୍ତି। ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।





