ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଣ୍ଡେଲ ସ୍ଥିତ ନର୍ଲା ବ୍ଲକ ଯାଦବ ଭବନ ଆଜି (ମାର୍ଚ୍ଚ ୨୮) ପୂର୍ବାହ୍ନ ୧୦ଟାରୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାର ସହ ଭୋଗ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅବଜରଭର ତଥା ଅଖିଳ ଭାରତ ବର୍ଷିୟ ଯାଦବ ମହାସଭାର ସମ୍ପାଦକ ରାଜୁ ଘିଭେଲା ଭୋଟଦାନ କକ୍ଷ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅବଜରଭରଙ୍କ ସହ ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ ମଧ୍ୟ ଉପସ୍ଥିତ ଥିଲେ।ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଗଉଡଙ୍କ ତତ୍ବାବଧାନରେ ସହକାରୀ ନିର୍ବାଚନ ଅଧିକାରୀ ପିତବାସ ବେହେରା, ସହାୟକ ଟିମ୍ ଡିଲେଶ କୁମାର ନାଗ, ଦୁର୍ଯ୍ୟୋଧନ ବାଗ, ତ୍ରିଲକ୍ଷ ନାଏକ, ଭକ୍ତ ଗହିର, ଅରବିନ୍ଦ ଗହିର, ମାର୍କଣ୍ଡ ଜାଲ ଓ କୃତି ବାଗ ପ୍ରମୁଖ ନିର୍ବାଚନ ପରିଚାଳନା କରୁଛନ୍ତି। ଆଜି ପୂର୍ବାହ୍ନ ୧୦ରୁ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ, ଅପରାହ୍ନ ୨ରୁ ୪ଟା ପର୍ଯ୍ୟନ୍ତ ଭୋଟ ଗଣତି ଏବଂ ଅପରାହ୍ନ ୪ଟା ୧୫ରେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା ହେବ। ପୂର୍ବାହ୍ନ ୧୨ଟା ସୁଦ୍ଧା ୮୧% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଗଉଡ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଜିଲ୍ଲା ସଭାପତି ପଦବୀ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦବୀ ପାଇଁ ୪ ଜଣ, ଉପସଭାପତି ପଦବୀ ପାଇଁ ୬ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟପକ୍ଷରେ ୩ ଯୁଗ୍ମ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।





