ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟପ୍ରେମୀ ଓ ସାମାଜିକ କର୍ମୀ ମିହିର ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଭୁବନେଶ୍ୱର ଠାରେ ଏକ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପରିବାରବର୍ଗ, ସାହିତ୍ୟିକ, ସାମାଜିକ କର୍ମୀ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମିହିର ମହାପାତ୍ରଙ୍କ ବ୍ୟକ୍ତିତ୍ୱ, ସହୃଦୟତା ଓ ସାମାଜିକ ଅବଦାନକୁ ସମସ୍ତେ ସ୍ମରଣ କରିଥିଲେ।
ଏହି ଅବସରରେ ଅମର ମହାନ୍ତି, ଅରୁପ ଚାଟାର୍ଜୀ (କାଳିଆ), କୌଶିକ ପଣ୍ଡା (ବୁଲା), ଶଚିନ୍ଦ୍ର ମାଝି (ଶଚି), ଅଚ୍ୟୁତାନନ୍ଦ ଦାସ, ସରୋଜ କୁମାର ଦାସ, ଜୀବନ ପ୍ରଦୀପ ଦାଶ ଓ ‘ପ୍ରତିଦିନ’ ପତ୍ରିକାର ସଂପାଦକ ସୁଧୀର କୁମାର ପଣ୍ଡା ଆଦି ବକ୍ତାମାନେ ସ୍ମୃତିଚାରଣ କରିଥିଲେ । କେବଳ ସାମ୍ବାଦିକତା ନୁହେଁ ସାମାଜିକ କାର୍ଯ୍ୟରେ ମଧ୍ୟ ମିହିର ମହାପାତ୍ରଙ୍କର ଅବଦାନ ଅନସ୍ବୀକାର୍ଯ୍ୟ ବାଲି କହିବା ସହିତ ବକ୍ତାମାନେ ତାଙ୍କର ସରଳତା, ମାନବିକତା ଓ ସମାଜପ୍ରତି ନିଷ୍ଠାକୁ ସ୍ମରଣ କରି କହିଥିଲେ ଯେ ତାଙ୍କର ସ୍ମୃତି ସମସ୍ତଙ୍କ ହୃଦୟରେ ଚିରଦିନ ସୁଗନ୍ଧିତ ହୋଇ ରହିବ। ତାଙ୍କୁ ଜାଣିଥିବା ସମସଙ୍କ ହୃଦୟରେ ସେ ଅବିସ୍ମରଣୀୟ ହୋଇ ରହିଥିବେ।
ବାଲେଶ୍ବରର ଏହି ବରିଷ୍ଠ ସାମ୍ବାଦିକଙ୍କ ଏକାଦଶାହ ଅବସରରେ ଆୟୋଜିତ ସ୍ମୃତିସଭାରେ ବାଲେଶ୍ୱର ଓ ଭୁବନେଶ୍ୱରରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମିହିରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ‘ଅନନ୍ୟ ମିହିର’ ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। “ସ୍ମୃତିର ସୁଗନ୍ଧ… ସମୟରେ ଅମରତା…” ଶୀର୍ଷକାଶ୍ରିତ ଏହି ସ୍ମରଣିକାକୁ କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ସଂପାଦନା କରିଥିବା ବେଳେ କବି ଶ୍ରୀଦେବଙ୍କ ସହଯୋଗରେ ଏହା ପ୍ରସ୍ତୁତ ହୋଇଛି। ଉପସ୍ଥିତ ଅତିଥି ମାନେ ଏହି ସ୍ମରଣିକାକୁ ଉନ୍ମୋଚନ କରିଥିଲେ ।ସ୍ମରଣିକାଟିରେ ମିହିର ମହାପାତ୍ରଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ସ୍ମୃତିକୁ ଉଜାଗର କରିବାର ଏକ ଅର୍ଥପୂର୍ଣ୍ଣ ପ୍ରୟାସ କରାଯାଇଛି ବୋଲି ଅତିଥି ମତବ୍ୟକ୍ତ କରିଥିଲେ।
ଶେଷରେ ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଆୟୋଜିତ ଶୋକସଭା ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସହ ସ୍ମୃତିସଭାର ସମାପନ ହୋଇଥିଲା।





