ମାଧ୍ୟମିକ ଟି.ଜି.ଟି ଶିକ୍ଷକଙ୍କ ଏକାଧିକ ଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ଟ୍ରାନ୍ସଫର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଏନ୍.ପି.ଏସ୍ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୧୩୪୬୮/S&ME, ତାରିଖ ୧୪/୦୫/୨୦୨୫ ଅନୁସାରେ, ରାଜ୍ୟର ସେକେଣ୍ଡାରୀ ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକ ଓ ସହାୟକ ଶିକ୍ଷକମାନଙ୍କ ବଦଳି ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶନାମାରେ କିଛି ସଂଶୋଧନ ସହିତ ପ୍ରକାଶିତ ହୋଇଛି, ଯାହା ଶିକ୍ଷକମାନଙ୍କ ଉପକାର ପାଇଁ ଉଦ୍ଦିଷ୍ଟ।

ଉକ୍ତ ନିର୍ଦ୍ଦେଶନାମାର ପଏଣ୍ଟ ୨(L) ଅନୁଯାୟୀ, ଜିଲ୍ଲାରୁ ଜିଲ୍ଲାକୁ ଏକାଧିକ ଥର ବଦଳି ଉପରେ ପ୍ରତିବନ୍ଧକ ରହିଛି। କିନ୍ତୁ ପଏଣ୍ଟ ୩(a)ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ଏହି ପ୍ରତିବନ୍ଧକ ଟି.ଜି.ଟି ଶିକ୍ଷକ ଓ ସିନିୟର ସେକେଣ୍ଡାରୀ ପ୍ରଧାନ ଶିକ୍ଷକମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ଏବଂ କେବଳ ଜିଲ୍ଲା କ୍ୟାଡର ଶିକ୍ଷକମାନଙ୍କ ପାଇଁ ପ୍ରଯୁଜ୍ୟ।

ପୂର୍ବ ବର୍ଷରେ ଏହା ଦୃଷ୍ଟିଗୋଚର ହୋଇଛି ଯେ, କଟକ, ଗଞ୍ଜାମ ଇତ୍ୟାଦି ଜିଲ୍ଲାରେ କିଛି ଶିକ୍ଷକମାନେ ଦ୍ୱିତୀୟ କିମ୍ବା ତୃତୀୟ ଥର ପାଇଁ ଆନ୍ତଃଜିଲ୍ଲା ପରସ୍ପର ବଦଳି (ମ୍ୟୁଚୁଆଲ୍ ଟ୍ରାନ୍ସଫର୍) ଗ୍ରହଣ କରିଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା-୨୪୯୬୦ ତାରିଖ-୨୯.୦୮.୨୦୨୪ ଅନୁଯାୟୀ, ୨୦୨୪ ବର୍ଷ ଏକାଧିକ ଥର ଆନ୍ତଃଜିଲ୍ଲା ପରସ୍ପର ବଦଳି ଗ୍ରହଣ କରିଥିବା ମାମଲାରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି।

କିନ୍ତୁ ଦୁଃଖର ବିଷୟ ଯେ, ୨୦୨୫ ବର୍ଷ ଗଣଶିକ୍ଷା ବିଭାଗ ଦ୍ୱାରା ଖୋଲାଯାଇଥିବା ଅନଲାଇନ୍ ଟ୍ରାନ୍ସଫର୍ରେ ଉକ୍ତ ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ବୋଲି ପୁରୀ, ଗଞ୍ଜାମ, କଟକ, ବାଲେଶ୍ଵର, ସୁନ୍ଦରଗଡ଼, ଗଜପତି, ନୟାଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱିତୀୟଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି ଆବେଦନକୁ ରଦ୍ଦ କରିଦେଇଥିଲେ।

ରାଜ୍ୟର ଅନ୍ୟ ସମସ୍ତ ରାଜ୍ୟ କ୍ୟାଡର କର୍ମଚାରୀମାନେ ସମଗ୍ର ଚାକିରୀକାଳ ଭିତରେ ଏକାଧିକ ଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି ହେଉଥିବା ବେଳେ, ଗଣଶିକ୍ଷା ବିଭାଗ ଅଧୀନରେ ଥିବା ମାଧ୍ୟମିକ ଟି.ଜି.ଟି (ପି.ସି.ଏମ୍, ସି.ବି.ଜେଡ୍, ଆର୍ଟ୍ସ) ଶିକ୍ଷକମାନେ ରାଜ୍ୟ କ୍ୟାଡର କର୍ମଚାରୀ ହୋଇଥିଲେ ବି ସେମାନଙ୍କର ବଦଳି ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି କ୍ଷେତ୍ରରେ ସମଗ୍ର ଚାକିରୀକାଳ ଭିତରେ ଗୋଟିଏ ଥର କରାଯାଉଛି, ଯାହା ଫଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁତ ମାନସିକ ଅଶାନ୍ତି ଭିତରେ ରହୁଥିବାର ପରିଲକ୍ଷିତ ହେଉଛି। ଟି.ଜି.ଟି ଶିକ୍ଷକଙ୍କ ପାଇଁ ଗାଇଡଲାଇନରେ ଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ବଦଳି ଆବେଦନକୁ ରଦ୍ଦ କରିବାର କାରଣ କଣ ହୋଇପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମ୍ୟୁଚୁଆଲ ବଦଳିରେ ସ୍କୁଲ ଏବଂ ଜିଲ୍ଲା ସ୍ତରରେ କୌଣସି ଅଭାବ କିମ୍ବା ଅତିରିକ୍ତତା ପଦବୀ ସୃଷ୍ଟି ହେବ ନାହିଁ। ଏବଂ ଅନେକ ଶିକ୍ଷକଙ୍କୁ ଗତ ବର୍ଷ ମ୍ୟୁଚୁଆଲ ବଦଳିରେ ବିଭିନ୍ନ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି, କିନ୍ତୁ ସେମାନେ ସେମାନଙ୍କର ବୃଦ୍ଧ ଏବଂ ଅସୁସ୍ଥ ପିତାମାତାଙ୍କ ଯତ୍ନ ନେବା ପାଇଁ ନିଜ ଜିଲ୍ଲାକୁ ପହଞ୍ଚି ପାରି ନାହାନ୍ତି। ତେଣୁ ହଜାର ହଜାର ଶିକ୍ଷକଙ୍କ ପାଇଁ ନିଜ ଜିଲ୍ଲାକୁ ପହଞ୍ଚିବା ଅତ୍ୟନ୍ତ ଅନିବାର୍ଯ୍ୟ ହୋଇପଡ଼ିଛି।

ଏଣୁ ଟି.ଜି.ଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ମାଧ୍ୟମିକ ଶିକ୍ଷକଙ୍କ ପାଇଁ ୨୦୨୬-୨୭ ବର୍ଷ ଟ୍ରାନ୍ସଫର ଗାଇଡଲାଇନରେ ଟି.ଜି.ଟି ଶିକ୍ଷକଙ୍କ ପାଇଁ ଦ୍ୱିତୀୟଥର ଆନ୍ତଃଜିଲ୍ଲା ମ୍ୟୁଚୁଆଲ ବଦଳି ପ୍ରଯୁଜ୍ୟ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍.ପି.ଏସ୍ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଦାବି କରିଛନ୍ତି। ଏଥିପାଇଁ ସଭାପତି ଶ୍ରୀ ପ୍ରଧାନ, ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.