ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଚାରି ଚାରିଟି ଏଟିଏମ୍ ସବୁବେଳେ ଅର୍ଥଶୂନ୍ୟ ରହୁଥିବାରୁ ଏହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବ୍ୟାଙ୍କରେ ଗଚ୍ଛିତ ରଖିଥିବା ନିଜ ଟଙ୍କା ଠିକ୍ ସମୟରେ ନିଜ କାମରେ ଲାଗି ପାରୁନି। ଟଙ୍କା ନିଜ ଆକାଉଣ୍ଟରେ ଥାଇ ମଧ୍ୟ ଟଙ୍କା ପାଇ ପାରୁ ନାହାନ୍ତି ଉପଭୋକ୍ତା। ନର୍ଲାରେ ରହିଛି ଚାରି ଗୋଟି ଏଟିଏମ୍ କାଉଣ୍ଟର। ନର୍ଲା ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଲାଗିକି ରହିଛି ଷ୍ଟେଟ ବ୍ୟାଙ୍କ୍ ର ଏଟିଏମ୍ କାଉଣ୍ଟର। ଯେଉଁଥିରେ କି କୌଣସୀ ଏଜେନ୍ସି ନୁହଁ । ଖୋଦ୍ ଷ୍ଟେଟ୍ ବ୍ୟାଙ୍କ୍ ଟଙ୍କା ଭର୍ତ୍ତି କରିଥାଏ। ସେହିଭଳି ଷ୍ଟେଟ ବ୍ୟାଙ୍କ୍ ର ଆଉଗୋଟେ କାଉଣ୍ଟର ରହିଛି ନର୍ଲା ଶିଶୁ ମନ୍ଦିର ଛକ (ଚାରିଛକ) ରେ। ହେଲେ ଏଥିରେ ସିଏମ୍ଏସ୍ ଏଜେନ୍ସି ଟଙ୍କା ଭରିଥାଏ। ସେହିଭଳି ଗୋଟିଏ ଏଟିଏମ୍ ରହିଛି ନର୍ଲା ପୋଲିସ୍ ଷ୍ଟେସନ ସମ୍ମୁଖସ୍ଥ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପାଶ୍ୱର୍ରେ। ଏହା ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍ କାଉଣ୍ଟର। ଏଥିରେ ମଧ୍ୟ ସେହି ସିଏମ୍ଏସ୍ ଏଜେନ୍ସି ଟଙ୍କା ଭର୍ତ୍ତି କରିଥାଏ। ସେହିଭଳି ନର୍ଲା ନବୋଦ୍ଦୟ ଛକରେ ରହିଛି ଏଚଡିଏଫସି ବ୍ୟାଙ୍କ ର ଏଟିଏମ୍ କାଉଣ୍ଟର। ଏହି ଏଟିଏମ୍କା ଉଣ୍ଟର ଟି ଯାହି ତାହି ଭାବରେ ଚାଲିଛି। ଏଥିରୁ ଲୋକେ ଯାହା କିଛି ଉପକୃତ ହେଉଥିବା ଦେଖିବାକୁ ମିଳୁଛି। ବାକି ତିନିଗୋଟି ଥିବା ନଥିବା ଏକା କଥା ଭଳି ହୋଇଛି।ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପାଶ୍ୱର୍ରେ ରହିଥିବା ଏଟିଏମ୍ ଏବଂ ଷ୍ଟେଟ ବ୍ୟାଙ୍କ୍ ଶାଖା ପାଶ୍ୱର୍ରେ ରହିଥିବା ଏଟିଏମ୍ ବହୁ ପୁରୁଣା ହୋଇଥିବା ବେଳେ ଚାରିଛକ ରେ ଖୋଲାଯାଇଥିବା ଷ୍ଟେଟ୍ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ର ଏଟିଏମ୍ କାଉଣ୍ଟର ନୂଆ ଭାବରେ ଦୁଇବର୍ଷ ହେଲା ଚାଲୁଛି। ଷ୍ଟେଟ୍ ବ୍ୟାଙ୍କ ଶାଖା ପାଶ୍ୱର୍ରେ ଚାଲୁଥିବା ଏଟିଏମ୍ ୧୦ ବର୍ଷ ହେଲା ଆରମ୍ଭ ଦିନଠୁଁ ହିଁ ଉପଭୋକ୍ତାଙ୍କୁ ଧୋକା ଦେଇ ଆସୁଛି। ଏଥିପାଇଁ ଉପଭୋକ୍ତାଙ୍କ ତରଫରୁ ଆରଏମ୍, ଜେଡ୍ଏମ୍ ପର୍ଯ୍ୟନ୍ତ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ଆଜିଯାଏଁ ଫଳ ଶୂନ୍ୟ । ଗ୍ରାହକ ମଧ୍ୟ ଅଭ୍ୟସ୍ତ ହୋଇ ସହି ଯିବାରେ ଲାଗିଲେଣି। କାରଣ ଏହା ଖୋଲିବାର ଅଳ୍ପଦିନ ପରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାର ଏଟିଏମ୍ ଆରମ୍ଭ ହୋଇଥିଲା । ଯାହା ଗ୍ରାହକଙ୍କ ପାଇଁ ବିକଳ୍ପର ପନ୍ଥା ସାଜିଥିଲା। ଆଉ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ୍ ଧଡାଧଡ୍ ଚାଲିବା ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଚାଲିଲା। ହେଲେ ଏବେ ଏହା ମଧ୍ୟ ଟଙ୍କା ଶୂନ୍ୟ ରହୁଛି। ଏବେ ଜନସାଧାରଣଙ୍କ ପାଇଁ ସାହା ଓ ଭରଷା ସାଜିଛି ଚାରିଛକ ସ୍ଥିତ ଏସବିଆଇ ର ଏଟିଏମ୍ କାଉଣ୍ଟର। ହେଲେ ଏହା ମଧ୍ୟ ଗତ ୧୫ ଦିନ ହୋଇ ଗଲାଣି ଟଙ୍କା ନାହିଁ। ଚାରିଛକ ସ୍ଥିତ ଏସବିଆଇ ଏଟିଏମ କାଉଣ୍ଟରରେ କେବେ କେମିତି ମାତ୍ର ଲକ୍ଷେ କି ଦୁଇଲକ୍ଷ ଟଙ୍କା ଭରିଥାଏ ସମ୍ପୃକ୍ତ ଏଜେନ୍ସି ଯାହା ମାତ୍ର ଦୁଇ ଘଣ୍ଟାରେ ଖାଲି ହୋଇଯାଇଥାଏ। ଟଙ୍କା ଭରା ଯାଇଥିବା ଖବର ପାଇ ଗ୍ରାହକଙ୍କ ଭିଡ ଜମିଥାଏ ଏହି କାଉଣ୍ଟର ରେ ଫଳରେ ଦୁଇ ଘଣ୍ଟାରେ ଏଟିଏମ ଖାଲି। ସ୍ଥିତି ଯଥା ପୂର୍ବଂ ତଥା ପରଂ। ନର୍ଲା ଭଳି ଯାଗାରେ ମାତ୍ର ଦୁଇ ଦିନରେ ଏଟିମ୍ ଖାଲି ହୋଇଯାଉଛି। ନର୍ଲା ଷ୍ଟେଟ ବ୍ୟାଙ୍କ ରେ ଗ୍ରାହକଙ୍କ ଅନବରତ ଭିଡ ଦେଖି ଗତବର୍ଷ ବ୍ୟାଙ୍କ ପାଶ୍ୱର୍ସ୍ଥ ଏଟିଏମ କାଉଣ୍ଟାର ମଧ୍ୟରେ ଏକ ଟଙ୍କା ଡିପୋଜିଟ ମେସିନ ସ୍ଥାପିତ କରାଗଲା। ତାହା ମଧ୍ୟ ଦୁଇମାସ ଚାଲିଛି କି ନାହିଁ ଏବେ ଏହା ଠପ ହୋଇ ପଡିଛି। ଫଳରେ ନର୍ଲା ଷ୍ଟେଟ ବ୍ୟାଙ୍କ ଶାଖାରେ ଟଙ୍କା ଜମା କରିବା ଓ ଉଠାଣ ପାଇଁ ଗ୍ରାହକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି। ନର୍ଲାର ଏଟିଏମ ଗୁଡିକ ଖୋଲା ରହୁଛି ହେଲେ ଗର୍ଭରେ ଟଙ୍କା ଶୂନ୍ୟ। ଫଳରେ ଟଙ୍କା ଜରୁରୀ ରହିଥିବା ଲୋକେ ଟଙ୍କା ଉଠାଣ ପାଇଁ ୭ କି.ମି. ଦୂରତା ସମ୍ପନ୍ନ ରୁପ୍ରାରୋଡ, ୨୬ କି.ମି. ଦୂର ମ.ରାମପୁର ନତୁବା ୩୦ କି.ମି. ଭବାନୀପାଟଣା କିମ୍ବା କେସିଙ୍ଗା ଯିବାପାଇଁ ବାଧ୍ୟ ହେଉଛନ୍ତି । ନହେଲେ ସ୍ଥାନୀୟ ପେଟ୍ରୋଲ ଟାଙ୍କି ଭରଷାର ମାଧ୍ୟମ ସାଜୁଛି । ନର୍ଲା ଅଞ୍ଚଳର ଜନସାଧାରଣ ନର୍ଲାରେ ଚାଲିଥିବା ଦୁଇଗୋଟି ମୁଖ୍ୟ ବ୍ୟାଙ୍କର ଉର୍ଦ୍ଧ୍ୱ ଅଫିସର ମାନଙ୍କ ନିକଟରେ ଦାବୀ ରଖିଛନ୍ତି ଅତିଶିଘ୍ର ଦୁଇଗୋଟି ବ୍ୟାଙ୍କ୍ ର ଆଉ ଗୋଟିଏ ଲେଖାଏଁ ଏଟିଏମ୍ କାଉଣ୍ଟର, ନର୍ଲାରୋଡ ରେଳ ଷ୍ଟେସନ ଏରିଆ ରେ ଗୋଟାଏ ଏଟିଏମ କାଉଣ୍ଟର ଖୋଲାଯାଉ। ଏବଂ ଆବଶ୍ୟକ ମୁତାବକ ଟଙ୍କା କାଉଣ୍ଟର ଗୁଡିକରେ ଗଚ୍ଛିତ ରଖାଯାଉ। ତେବେ ଟଙ୍କାର ଅତ୍ୟାବଶ୍ୟକତା କୁ ନେଇ ବ୍ୟାକୁଳ ହେଉଥିବା ଗ୍ରାହକ ଉପକୃତ ହେବେ। ଏଥିପାଇଁ ବ୍ୟାଙ୍କ୍ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେବା ପାଇଁ ନର୍ଲା ଅଞ୍ଚଳର ବୁଦ୍ଧିଜିବୀ ମାନେ ମଧ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।





