ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଷ୍ଟେସନ କ୍ଲବ୍ ଠାରେ ‘ଅଖିଳ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ’ ଏବଂ ‘ମୂଳନିବାସୀ ସାହିତ୍ୟ ଆଖଡା’ର ମିଳିତ ସହଯୋଗରେ ପ୍ରଥମଥର ପାଇଁ ବାଲେଶ୍ଵରରେ ଅଖିଳ ଜନ ସାହିତ୍ୟ ଉତ୍ସବ ସଂପ୍ରତି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଉଦଘାଟନ କରିଥିଲେ ସିମିଳିପାଳ ଭିଟାମାଟି ଆନ୍ଦୋଳନର ନେତା ତେଲେଂଗା ହାସ। ପ୍ରାରଂଭରେ ସଂପ୍ରତି ବିଶ୍ୱରେ ଗାଜା ତଥା ଇରାନ ବିରୁଦ୍ଧରେ ଇସ୍ରାଏଲ -ଆମେରିକାର ସାମ୍ରାଜ୍ୟବାଦୀ ବର୍ବର ଆକ୍ରମଣ, ରାଜ୍ୟ ପରିପ୍ରେକ୍ଷୀରେ ବୃହତ ପୁଂଜିପତିଙ୍କ ସ୍ୱାର୍ଥରେ ସିଜିମାଲିରେ ଚଳମାନ ରାଷ୍ଟ୍ରଦମନ ଓ ଲିଙ୍ଗରାଜ ଆଜାଦଙ୍କ ସମେତ ୨୪ ଜଣ ସିଜିମାଲି ଆନ୍ଦୋଳନକର୍ମୀଙ୍କ ଅନ୍ୟାୟ ଗିରଫଦାରୀର ନିନ୍ଦା ପ୍ରସ୍ତାବ ସଭାରେ ସର୍ବସହମତି କ୍ରମେ ଗୃହୀତ ହୋଇଥିଲା। ତାପରେ ଅଖିଳ ନାୟକ ଯିଏ ଆଗକୁ ବଢେଇ ନେଇଥିଲେ ଓଡିଆ ସାହିତ୍ୟରେ ଜନବାଦୀ ଧାରାକୁ ଆଉ ଗୋଟେ ପାଦ, ତାଙ୍କ ଚଚିତ ଏକ ପ୍ରତିରୋଧୀ କବିତା ଆବୃତ୍ତିରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ମହାନ ଜନବାଦୀ ସାହିତ୍ୟିକ ଭଗବତୀ ପାଣିଗ୍ରାହୀଙ୍କ ତିରୋଧାନ ଓ ମହାଶ୍ୱେତା ଦେବୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅଧ୍ୟାପକ ଗୋପବନ୍ଧୁ ସେମାନଙ୍କ ସହ ଅଖିଳ ନାୟକଙ୍କ ରଚନାରେ ପ୍ରତିରୋଧର ସଂସ୍କୃତି ଉପରେ ଆଲୋକପାତ କରିଥିଲେ। କବି ତଥା ବିଗତ ବାଲିଆପାଳ ଆନ୍ଦୋଳନର ନେତ୍ରୀ ଭବାନୀ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜନବାଦୀ କଥାକାର ଓ କବି ସମୀର ରଂଜନଙ୍କୁ ଚଳିତ ବର୍ଷର ‘ଅଖିଳ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଉତ୍ତମ ଜେନା ଅନୁଦିତ କବି ହେମନ୍ତ ଦଳପତିଙ୍କ କବିତା ସଂକଳନ ‘ତୀରରେ ଲେଖିଲୁ ନାଁ ତୁମର’ର ଇଂରାଜୀ ସଂକଳନ ଏହି ଉତ୍ସବରେ ଲୋକାର୍ପିତ ହୋଇଥିଲା।

ଦ୍ୱିତୀୟ ଅଧିବେଶନରେ କଥାକାର ଓ ମାନବାଧିକାର କର୍ମୀ ଦେବ ରଂଜନଙ୍କ ସଂଚାଳନାରେ ସାମ୍ପ୍ରତିକ ଫାସିବାଦ ଓ ଲେଖକୀୟ କର୍ତ୍ତବ୍ୟକୁ ନେଇ ଆୟୋଜିତ ହୋଇଥିଲା ଏକ ଆଲୋଚନା ଚକ୍ର। ଏଥିରେ ବିପ୍ଲବୀ ଲେଖକ ସଂଘ, ଆନ୍ଧ୍ରପ୍ରଦେଶର ସଭାପତି ରେବେରା, ବେଲାର୍ମତି, ପ୍ରଶାନ୍ତ ହାଲଦାର ଓ ସରୋଜ ପ୍ରମୁଖ ସାହିତ୍ୟିକ ତଥା ସାମାଜିକ କର୍ମୀ ଆଲୋଚକ ଭାବେ ଯୋଗ ଦେଇ ପରିବେଶକୁ ବିଚାରୋତ୍ତେଜକ କରି ତୋଳିଥିଲେ। ଅପରାହ୍ନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବିଙ୍କ କବିତାପାଠରେ ମୁଖରିତ ହୋଇଥିଲା ଅଖିଳ ଜନ ସାହିତ୍ୟ ଉତ୍ସବ। ସମାରୋହରେ କବି ଶ୍ରୀଦେବ, ମନୁଆ ଦାଶ, ବିରଜା ବଳ, ଭାରତ ମାଝୀ, କେଦାର ମିଶ୍ର, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଗଂଗାଧର ବିଶ୍ୱାଳ, ସିତାଂଶୁ ଲେଙ୍କା, ସୁବ୍ରତ ଜେନା, କୃଷ୍ଣ କୁମାର ମହାନ୍ତି, ଉତ୍ପଳ ମହାନ୍ତି, ପ୍ରଶାନ୍ତ ଦାସ, ସାବିତ୍ରୀ କବି, ସଂଜୟ ପଣ୍ଡା, ନିବାରଣ ଜେନା, ମମତା ସାହୁ, ପ୍ରଜ୍ଞାପ୍ରଭା କହଁର, ଅଶ୍ୱିନୀ କୁମାର, ପ୍ରଶାନ୍ତ ହାଲଦାର, ଶୁଭମ୍ ସାହୁ, ମନ୍ମଥ ଦାସ, ଗୋପବନ୍ଧୁ ମହାନନ୍ଦ, ମୁକେଶ ସୁନା, ପ୍ରଦୀପ୍ତ ମହାନ୍ତି ପ୍ରମୁଖ ବହୁ ପ୍ରବୀଣ ତରୁଣ କବି ଲେଖକଙ୍କ ସମେତ ବହୁ ମାର୍କ୍ସବାଦୀ ଆମ୍ବେଦକରବାଦୀ କର୍ମୀ ଯୋଗ ଦେଇଥିଲେ। ଶେଷରେ ଟ୍ରଷ୍ଟର ସମ୍ପାଦକ ତଥା କବି ଲେନିନ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ହେମନ୍ତ ଦଳପତି, ଡମ୍ବରୁ ନାୟକ ପ୍ରମୁଖ ସହଯୋଗ କରିଥିଲେ।





