ଓଡ଼ିଆ ପକ୍ଷର ୮ମ ଦିନରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଅଷ୍ଟମ ଦିନରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଓଡ଼ିଶା ରକ୍ତ କେନ୍ଦ୍ର ତଥା ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ରେଡକ୍ରସ ସମିତି ଜିଲ୍ଲା ଶାଖାର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଉଦଘାଟନ କରିଥିଲେ। ରକ୍ତଦାନ ଏକ ମହତ ଦାନ , ଯାହା ଅନ୍ୟର ଜୀବନ ବଞ୍ଚାଇବା ସହ ନିଜ ସ୍ୱାସ୍ଥ୍ୟକୁ ମଧ୍ୟ ଠିକ୍ ରଖେ । ରକ୍ତର କୌଣସି ବିକଳ୍ପ ନାହିଁ , ତେଣୁ ସ୍ୱେଚ୍ଛାକୃତ ରକ୍ତଦାନ କରି ରୋଗୀ’ଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ସିଡିଏମଓ ଡ଼ାଃ ଶାନ୍ତନୁ କୁମାର ପାଢ଼ୀ , ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡ଼ାଃ ଅନିଲ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୩୮ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିବା ବେଳେ ଏଥିରେ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପୃଥ୍ବୀରାଜ ମଣ୍ଡଳ , ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ , ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୂମାୟୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ରକ୍ତଦାନ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ବିନାୟକ ରାଉଲଙ୍କ ସମେତ ବିଭାଗର କର୍ମଚାରୀ ମାନେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.