ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତିର ଦ୍ୱାଦଶ ଅଧିବେଶନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, କଳାହାଣ୍ଡି ସାଂସଦ ପ୍ରତିନିଧି ନରେନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।
ତେବେ ବୈଠକ ଆରମ୍ଭରୁ ସରପଞ୍ଚ ମାନେ ବ୍ଲକରେ ହେଉଥିବା ଅନିୟମିତତା ଓ ସେମାନେ ଦେଉଥିବା ପ୍ରସ୍ଥାବ ଉପରେ ବ୍ଲକ୍ ପ୍ରସାଶନ ଗୁରୁତ୍ୱ ନ ଦେଇ ନିଜ ମନମୁତାବକ ବ୍ଲକ୍ର ସମସ୍ତ ଯୋଜନା ପ୍ରସ୍ତୁତ କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କ ସହମତି ଲୋଡୁ ନ ଥିବା ଅଭିଯୋଗ କରିବା ସହ ବୈଠକକୁ ବର୍ଜନ କରି ବାହାରି ଯାଇଥିଲେ। ଆଗାମୀ ଦିନରେ ବ୍ଲକ୍ ପ୍ରସାଶନକୁ ବିରୋଧ କରିବା ସହ ଦରକାର ପଡ଼ିଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଜନପ୍ରତିନିଧିମାନେ ବୈଠକ ବର୍ଜନ ପରେ ମଧ୍ୟ ବ୍ଲକ୍ ପ୍ରଶାସନ କିଛି ପଞ୍ଚାୟତ ସମିତି ସଭ୍ୟ ଓ ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ ପହଞ୍ଚିବା ପରେ ପୁନର୍ବାର ବୈଠକ ଅନୁଷ୍ଠିତ ହୋଇଥିଲା।
ଲାଞ୍ଜିଗଡ଼ ବିଡିଓ ଶ୍ରୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ବ୍ଲକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କିରଣ ଚନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ସହିତ ବିବରଣୀ ପାଠ କରିଥିଲେ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, କୃଷି, ବନ ବିଭାଗ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ମନରେଗା, ଗ୍ରାମ୍ୟ ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ବିଜୁଳି ସଂଯୋଗ ନଥିବାରୁ ତୁରନ୍ତ ଏହାର ପଦକ୍ଷେପ ନେବାପାଇଁ ବିଧାୟକ ଦାବି କରିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଭିନ୍ନ ସମସ୍ୟା ଦେଖାଦେଉଥିବା ଆଲୋଚନା କରାଯାଇଥିଲା। ଏଥିରେ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।





