୧୯ରୁ ଆରମ୍ଭ ହେବ ଅସୁରଗଡ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଐତିହାସିକ ଗାଁ ଅସୁରଗଡର ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅପ୍ରେଲ ୧୯ରୁ ଆରମ୍ଭ ହେବ। ଏହା ୯ ଦିନ ବ୍ୟାପୀ ଚାଲିବ ୨୭ ଅପ୍ରେଲ ପୂର୍ବାହ୍ନରେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ସୂଚନା ମିଳିଛି। ୧୯୬୭ ମସିହାରୁ ଅସୁରଗଡ ଠାରେ ପ୍ରଥମେ ମାଟି ଛପର ଘରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ପୂଜନ କରାଯାଇଥିଲା। ଏହାପରେ ଅନବରତ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଛି ଶ୍ରୀରାମ ନବମୀ ଉତ୍ସବ। ମନ୍ଦିରରେ ଫଟୋ ପୂଜା ଅନୁଷ୍ଠିତ ହୋଇ ଆସୁଥିଲା। ଦୀର୍ଘ ୬୦ ବର୍ଷ ପରେ ଭବ୍ୟ ମନ୍ଦିର ନିର୍ମିତ ହୋଇଛି ଅସୁରଗଡରେ। ୧୯୯୫ ମସିହା ଅପ୍ରେଲ ୧୨ ରେ ଏହା ଆରମ୍ଭ ହୋଇଥିଲା। ଆରମ୍ଭ ପରେ ବିଭିନ୍ନ ସମସ୍ୟା ନେଇ ଦୀର୍ଘ ୨୫ ବର୍ଷ ପଡି ରହିଥିଲା। ଏହାପରେ ଗ୍ରାମବାସୀ ପୁଣି ଉଦଦେଯାଗ କରି ମନ୍ଦିର ସମ୍ପୂର୍ଣ୍ଣ କରିପାରିଛନ୍ତି। ଆସନ୍ତା ୨୦ ରେ ରାଜସ୍ଥାନରୁ ମାର୍ବଲ ମୂର୍ତ୍ତି ଆସି ପହଞ୍ଚିବ ଅସୁରଗଡରେ। ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗରେ ଶ୍ରୀରାମ ମନ୍ଦିର ନିର୍ମିତ ହୋଇପାରିଛି ଅସୁରଗଡରେ। ୧୯ରୁ ପ୍ରତିଷ୍ଠା ଉତ୍ସବ ପାଇଁ ଗ୍ରାମବାସୀ ପ୍ରସ୍ତୁତିରେ ଲାଗିପଡିଛନ୍ତି। ସୀତାପତି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ସଭାପତି ଘନଶ୍ୟାମ ପଧାନ, ସମ୍ପାଦକ ତୁଷାରକାନ୍ତ ସାହୁ ଓ କୋଷାଧ୍ୟକ୍ଷ ଗୋପାଳ ଛୁରିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅସୁରଗଡ ଗ୍ରାମବାସୀ ସମସ୍ତେ ଲାଗିପଡିଛନ୍ତି ଏହାର ପ୍ରସ୍ତୁତିରେ। ମନ୍ଦିର ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଶିଳ୍ପୀ ଗୌରଚନ୍ଦ୍ର ମହାରଣାଙ୍କ ଟିମ ଆରମ୍ଭରୁ ଶେଷ ଯାଏଁ ମନ୍ଦିର ନିର୍ମାଣ କାର୍ଯ୍ୟ କରିଥିବା ବେଳେ ଏବେ ତୁଳୀରେ ରଙ୍ଗ ସ୍ପର୍ଶ ଦେଇ ଜୀବନ୍ତ କରୁଛନ୍ତି ପଥର ମୂର୍ତ୍ତି ମାନଙ୍କୁ। ଅପ୍ରେଲ ୧୯ ସକାଳ ୭ ଘଣ୍ଟା ସମୟରୁ ଦୀକ୍ଷା ଗ୍ରହଣ, ସଂସ୍କାର ଓ ଅଙ୍କୁରାରୋପଣ, ସନ୍ଧ୍ୟା ସମୟରେ ଧାନ୍ୟାଧିବାସ କାର୍ଯ୍ୟ ଅନୁଷ୍ଠିତ ହେବ। ୨୦ରେ ସକାଳ ୯ ଘଣ୍ଟାରୁ ୧୨ ଘଣ୍ଟା ମଧ୍ୟରେ କଳସ ଯାତ୍ରା, ଅଧିବାସ, ମଣ୍ଡଳକରଣ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୧ରେ ପ୍ରତିଷ୍ଠା କର୍ମ, ଶାଳା ସଂସ୍କାର, ସୂର୍ଯ୍ୟପୂଜା, ଗୋ ପୂଜା, ଅଗ୍ନୀ ସ୍ଥାପନ। ସେହିଭଳି ୨୨ରେ ପ୍ରାତଃ କର୍ମାରମ୍ଭ, ମଣ୍ଡଳ ପୂଜା, ମହା ସ୍ନାନବିଧି। ୨୩ରେ ପ୍ରାସାଦନୟାସ, ପ୍ରାଣ ପ୍ରତିଷ୍ଠା, ନଗର ଭ୍ରମଣ। ୨୪ରେ ପୂଜାରମ୍ଭ, ପିଣ୍ଡିକାନ୍ୟାସ, ବିଗ୍ରହଙ୍କ ସିଂହାସନ ବିଜେ, ଓ ଯଜ୍ଞର ପୂର୍ଣ୍ଣାହୂତି। ଏଥିରେ ଯଜ୍ଞ କର୍ତ୍ତା ଭାବରେ ଗାଁର ଗଉନ୍ତିଆ ଘନଶ୍ୟାମ ପଧାନ ଓ ତାଙ୍କ ସହଧର୍ମିଣୀ ହାରାବତୀ ପଧାନ ଦାଇତ୍ୱ ନିର୍ବାହନ କରିବେ ବୋଲି ଜଣାପଡିଛି। ୨୫ ଅପ୍ରେଲରୁ ଆରମ୍ଭ ହେବ ୧୬ ପ୍ରହର ନାମଯଜ୍ଞ। ୨୭ରେ ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ୯ ଦିନ ଧରି ପ୍ରତ୍ୟହ ରାତିରେ ଭକ୍ତିମୟ ପରିବେଶରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଗଞ୍ଜାମର ଭାରତଲୀଳା, ସଂଚାର, ନୂଆପଡାର ମା ବଞ୍ଜାରେନ ଦଣ୍ଡନୃତ୍ୟ ପ୍ରଭୃତି ଅନୁଷ୍ଠିତ ହେବ ବୋଲି ଜଣା ପଡିଛି। ପ୍ରତ୍ୟହ ପୂର୍ବାହ୍ନ ଓ ରାତିରେ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ। ଦୀର୍ଘ ବର୍ଷର ପରିଶ୍ରମ ପରେ ଶ୍ରୀରାମ ଲାଲାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମିତ ହୋଇ ପାରିଥିବାରୁ ମନ୍ଦିର ପ୍ରତିଷ୍ଠାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି। ଏବେ ଚଳଚଞ୍ଚଳ ହୋଇ ଉଠିଛି ଅସୁରଗଡ। ଉତ୍ସବ କମିଟି ତରଫରୁ ଅଞ୍ଚଳବାସୀ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଉତ୍ସବରେ ଅଂଶ ଗ୍ରହଣ କରି ପ୍ରଭୁ କୃପା ଲାଭ କରନ୍ତୁ ବୋଲି ସମସ୍ତଙ୍କୁ ନିବେଦନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.