କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ପକ୍ଷ ପାଳନ ଅବସରରେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ ପ୍ରତିଯୋଗିତା, ସଫେଇ କାର୍ଯ୍ୟକ୍ରମ ଓ ପାରମ୍ପରିକ ପୋଷକ ପରିଧାନ, ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଭଳି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ୱାଇଆରସି ଓ ରୋଟ୍ରାକ୍ଟ କ୍ଲବ ଆନୁକୂଲ୍ୟରେ ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଝାନ୍‌ସୀ ଜେନା ଉଦ୍‌ଘାଟନ କରିଥିଲେ। ଅନ୍ୟର ଜୀବନ ବଞ୍ଚାଇବା ଲାଗି ରକ୍ତର ଆବଶ୍ୟକତା ଥିବାରୁ ସବୁ ସୁସ୍ଥ ମଣିଷମାନେ ରକ୍ତଦାନ କରି ନିଜକୁ ସୁସ୍ଥ ରଖିବା ସହିତ ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ ଉପାଧ୍ୟାୟ ଓ ତାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଓ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ। ରୋଟାରୀ କ୍ଲବ ସଭାପତି ଦେବାଶିଷ ଦାସ, କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର, ସୁବ୍ରତ କର, ବିଷ୍ଣୁଦାସ କୁଣ୍ଡୁ ଏବଂ ଇନର ହୁଇଲ କ୍ଲବର ସଦସ୍ୟ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକୁ ପରିଚାଳନା କରିଥିଲେ। ରୋଟାରୀ ଚକ୍ଷୁ ଓ ଦନ୍ତ ଚିକିତ୍ସାଳୟର କର୍ମଚାରୀ କଲେଜର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରୀଙ୍କ ଆଖି, ଦାନ୍ତ, ମଧୁମେହ, ରକ୍ତଚାପ, ହିମଗ୍ଲୋବିନ ଆଦି ପରୀକ୍ଷା କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଡ. ଶୁଭସ୍ମିତା ମିଶ୍ର ଓ ସୁଶ୍ରୀଶୋଭା ବାରିକ, ୱାଇଆରସି ସଦସ୍ୟ ଅଧ୍ୟାପିକା ପୂର୍ବାଶା କର, ରାଜଶ୍ରୀ ରାଉଳ, ଅଧ୍ୟାପକ ଅଜୟ ଗୋପାଲ, ପ୍ରଫୁଲ୍ଲ ବେହେରା ଏବଂ ରୋଟ୍ରାକ୍ଟ କ୍ଲବ ଅଧିକାରୀ ଅଧ୍ୟାପକ ନବୀନ କୁମାର ଧାରୁଆ ଓ ‘ଓଡ଼ିଆ ପକ୍ଷ’ର ସଂଯୋଜକ ଅଧ୍ୟାପକ ରାଜକିଶୋର ପଣ୍ଡିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.