ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ବହୁ ଚର୍ଚ୍ଚିତ ଗାଳ୍ପିକ ଓ ଏକାଡେମୀ ପୁରସ୍କାର ପ୍ରାପ୍ତ କଥାକାର ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ବାଲେଶ୍ୱରର ଏଡିଏମ୍ ଛକ ନିକଟସ୍ଥ ‘ଶ୍ରୀକକ୍ଷ’ରେ ଫକୀରମୋହନ ଗୋଲେଇ ସାହିତ୍ୟ ଖଟି ତରଫରୁ ଏକ ଶୋକସଭା କବି ଉତ୍ପଳ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକଙ୍କର ସ୍ମୃତି ଚର୍ଚ୍ଚା କରି ପ୍ରଶାନ୍ତ ଦାସ, ଶ୍ରୀଦେବ, ଗଙ୍ଗାଧର ବିଶ୍ୱାଳ, ନିବାରଣ ଜେନା ଓ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ତାଙ୍କ ସହ ସଂପର୍କ କିପରି ଗଢ଼ି ଉଠିଥିଲା ସେ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଜଣେ ସାହିତ୍ୟ-ଆଲୋଚକ, ସଂଗଠକ ଓ ସୁବକ୍ତା ଭାବରେ ସେ କିପରି ଅନନ୍ୟ ଥିଲେ ସେ ସଂପର୍କରେ ମତ ରଖିଥିଲେ। ପ୍ରତ୍ୟେକ ବକ୍ତା ସଦାନନ୍ଦ ତ୍ରିପାଠୀଙ୍କର ଅତ୍ୟନ୍ତ ଘନିଷ୍ଠ ହୋଇଥିବା ଯୋଗୁଁ ତାଙ୍କ ସହ ସଂପର୍କ କିପରି ଆରମ୍ଭ ହୋଇଥିଲା ଓ ସେହି ସଂପର୍କ କିପରି ଏଯାବତ୍ ନିରବଚ୍ଛିନ୍ନ ଭାବରେ ବିତିଥିଲା ସେ ସଂପର୍କରେ ଆଲୋଚନା କରିଥିଲେ। ସଦାନନ୍ଦଙ୍କ ସଂପର୍କରେ ଅଞ୍ଜନ ଚାନ୍ଦ, ସଞ୍ଜୟ ପଣ୍ଡା, ଶଶିରଞ୍ଜନ ମଲ୍ଲିକ, ସ୍ମୃତି ଦାସ ପ୍ରମୁଖ ସଦାନନ୍ଦଙ୍କ ଜୀବନୀ ଓ ସାହିତ୍ୟ ସଂପର୍କରେ ଆଲୋକପାତ କରି ତାଙ୍କୁ ଦିଆ ଯାଇଥିବା ପୁରସ୍କାର ବିଳମ୍ବ କରା ନଯାଇ ପୂର୍ବରୁ ଦିଆଯିବା ଉଚିତ୍ ଥିଲା ବୋଲି ମତ ରଖିଥିଲେ। ଆସରର ସଂଚାଳକ ଉତ୍ପଳ ମହାନ୍ତି ମଧ୍ୟ ତାଙ୍କ ସଂପର୍କରେ ଆଲୋଚନା କରି ବିଭିନ୍ନ ସ୍ଥାନରେ ତାଙ୍କର ଶୋକସଭା କରିବା ସଙ୍ଗେ ସଙ୍ଗେ ତାଙ୍କ ଗଳ୍ପ ସାହିତ୍ୟର ଆଲୋଚନା ହେବା ଉଚିତ ବୋଲି ପ୍ରକାଶ କରିଥିଲେ। ଶେଷରେ ରାଜେଶ ଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





