ଯାଦବ ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ
ଓଡ଼ିଆ ବାର୍ତ୍ତା/ ମାର୍ଶାଘାଇ (ସନ୍ତୋଷ କୁମାର ବାଗ): କେନ୍ଦ୍ରାପଡ଼ା ଜିଲ୍ଲା ପିକରାଲି ସ୍ଥିତ କପିଳମୁନି ହାଇସ୍କୁଲ ପଡ଼ିଆଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ମହାକାଳପଡ଼ା, ମାର୍ଶାଘାଇ ଓ ଗରଦପୁର ଯାଦବ ମହାସଭା ପକ୍ଷରୁ ଦୋଳ ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଭାକର ପଲେଇଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ସମ୍ମାନିତ ଅତିଥି ଭାବେ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ, ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ଯୁବ ସଭାପତି ଇଂ ପ୍ରଦୀପ କୁମାର ବେହେରା, ଉତ୍କଳ ଯାଦବ ମହାସଭା ରାଜ୍ୟ ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା, ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ସମ୍ପାଦକ ରାଜୁ ଘିଭେଲା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଜିଲ୍ଲା ସଭାପତି ତଥା କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉତ୍କଳ ଯାଦବ ମହାସଭାର ଯୁବ ସମ୍ପାଦକ ତଥା ବିଶିଷ୍ଟ ଆଇନଜୀବୀ ଚିତ୍ତରଞ୍ଜନ ଦାସଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ। ସଭାରେ ଯାଦବ ସଂସ୍କୃତିର ସଂରକ୍ଷଣ ଉପରେ ବିଶେଷ ଭାବେ ଗୁରୁତ୍ୱାରୋପ କରାଯାଇଥିଲା। ଜାତି ଜନଗଣନା, ଓବିସିଙ୍କ ହକ ଅଧିକାର, ଅହୀର ରେଜିମେଣ୍ଟ ସ୍ଥାପନ, ରାଜନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ଯାଦବଙ୍କ ଭାଗିଦାରୀ ଆଦି ଆଲୋଚ୍ୟ ପ୍ରସଙ୍ଗ ଥିଲା। ଏହାସହ ଯାଦବ ସମାଜର ସର୍ବାଙ୍ଗୀନ ବିକାଶ ଉପରେ ଆଲୋକପାତ କରିଥିଲେ ଅତିଥିବୃନ୍ଦ। ଦୋଳ ମହୋତ୍ସବ କମିଟି ସଭାପତି ଚିନ୍ମୟ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସାଧାରଣ ସମ୍ପାଦକ ଧିରେନ୍ଦ୍ର ଦାସ। ଏହି ଅବସରରେ ଯାଦବ ସଂସ୍କୃତିର ମହାନ ବିଭବ ‘ଲଉଡ଼ି ଖେଳ’ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମହାକାଳପଡ଼ା, ମାର୍ଶାଘାଇ ଓ ଗରଦପୁର ଯାଦବ ମହାସଭାର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





