ପଣା ସଂକ୍ରାନ୍ତି-ଓଡ଼ିଆ ନବବର୍ଷ 

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ମହାବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି। ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ। ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ। ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.