ରାୟଗଡ,୧୬/୯ : ରାୟଗଡ ବ୍ଳକ ହାଲୁଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପଲ୍ଳୀରେ ପ୍ରଶାସନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହଚରଣ ପଟ୍ଟନାୟକ, ରାୟଗଡ ତହସିଲଦାର ଉମାଶଙ୍କର ବେହେରା,ସିଡିପିଓ ସୁଶ୍ରୀ ପୁଷ୍ପାଂଜଳି ମିଶ୍ର, ସହକାରୀ ଯୋଗାଣ ଅଧିକାରୀ ବିଶ୍ୱନାଥ ସେନାପତି, ଡଃ.ସୁନୀଲ ପ୍ରସାଦ ମହାପାତ୍ର, ପଶୁପାଳନ ଓ ମୃତିକା ସଂରକ୍ଷଣ, ଉଠାଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ବିକାଶ, ଜଙ୍ଗଲ ଆଦି ବ୍ଳକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ବିଭାଗୀୟ ସକରାରୀ ଯୋଜନା ବିଷୟରେ ପ୍ରୋଜେକ୍ଟର ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ ।
ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ, ଜିଲ୍ଳା ପରିଷଦ ସଭ୍ୟ ପି.ଗୈାରୀଶଙ୍କର ରାଓ ଓ ଅମ୍ବିକା ବିଡିକା, ହଲୁଆ ସରପଂଚ ସରସ୍ୱତୀ ବିଡିକା ପ୍ରମୁଖ ଲୋକଙ୍କ ବିଭିନ୍ ସମସ୍ୟା ବିଷୟରେ ପଚାରି ବୁଝିିଥିଲେ । ଶିଶୁ ବିକାଶ ପ୍ରକଳ୍ପ ତରଫରୁ ପୃଷ୍ଟିକର ମାସ ପାଳନ ଅବସରରେ ଶିଶୁ,ଗର୍ଭବତୀ ମହିଳାଙ୍କ ନିମନ୍ତେ ଆବଶ୍ୟକ ପୃଷ୍ଟିକର ଖାଦ୍ୟ ନିମନ୍ତେ ଆବଶ୍ୟକ ଦ୍ରବ୍ୟର ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟାହ୍ନ ସୁଦ୍ଧା ୧୪୩ଟି ଅଭିଯୋଗ ହସ୍ତଗତ ହୋଇଥିଲା ।
ସେଥିମଧ୍ୟରୁ ଗୃହ, ପାନୀୟ ଜଳ, ଭତା, ଆଧାର କାର୍ଡ, ଜମି, ସ୍ୱାସ୍ଥ୍ୟ ସଂପର୍କୀତ ଆଦି ଅଭିଯୋଗଗୁଡିକ ରହିଥିଲା । ରାଜ୍ୟ ସରକାରଙ୍କ ଯୋଜନା ମୁତାବକ”୫-ଟି” ଅନ୍ତର୍ଗତ ପ୍ରାପ୍ତ ସମସ୍ତ ଅଭିଯୋଗ ନିର୍ଦ୍ଧାରିତ ସମୟ ମଧ୍ୟରେ ଫଇସଲା କରିବା ନିମନ୍ତେ ସଂପୃକ୍ତ ବିଭାଗୁଡିକୁ ଉପ ଜିଲ୍ଳାପାଳ ତଥା ଉପଖଣ୍ଡ ଦଣ୍ଡାଧିକାରୀ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ । ସେହିପରି ନିର୍ବାହୀ ଅଧିକାରୀ ଅଜିତ କୁମାର ହୋତା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
ପ୍ରକାଶ ଥାଉ କି, ରାୟଗଡ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ସମୟ, ଦଳଗତ କାର୍ଯ୍ୟ, ପ୍ରଯୁକ୍ତି ବିଦ୍ୟା, ସ୍ୱଚ୍ଛତା, ରୂପାନ୍ତରଣ “୫-ଟି”କାର୍ଯ୍ୟକ୍ରମ ଅନ୍ତର୍ଗତ ସଚେତନତା ତଥା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ନିମନ୍ତେ ଚଳିତ ବର୍ଷ ସେପ୍ଟେମ୍ବର ଠାରୁ ଡିସେମ୍ବର ମାସରେ ରାୟଗଡ ବ୍ଳକରେ ଥିବା ୨୮ଗୋଟି ପଂଚାୟତକୁ ୬ଟି କ୍ଳଷ୍ଟରରେ ଭାଗ କରାଯାଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟଗୁଡିକରେ ଅଭିଯୋଗ ସ୍ଥାନଗୁଡିକର ନିର୍ଦ୍ଧାରଣ କରାଯାଇଛି । ଏଥିରେ ଗୁମ୍ମା, ହାଲୁଆ, ଜେମାଦେଇପେଣ୍ଠ, ଦୁର୍ଗାପାଡୁ, କୁଲି, ଚାନ୍ଦିଲି, କୁମ୍ଭିକୋଟା, ତାଡମା, ହାଟଶେଷଖାଲ, ପିପଲଗୁଡା, କାମ୍ପମାଲିଗାଁ, ପେଂଟା, କୁଟୁଳି ଓ ପିତାମହଲ ଗ୍ରାମ ପଂଚାୟତଗୁଡିକ ସାମିଲ କରାଯାଇଛି ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta