ସରକାରଙ୍କ ବିକାଶର ଜଳଜଳ ନମୂନା : ଘର ବାରଣ୍ଡାରେ ପରିଚାଳିତ ଗୁୁରୁଟିଗୁଡା ଅଙ୍ଗନୱାଡି କେନ୍ଦ୍ର

ରାୟଗଡ,୨୧/୯ : ଅଙ୍ଗନୱାଡି କେନ୍ଦ୍ରଗୁଡିକରେ କୁନି କୁନି ପିଲାଙ୍କ ଭବିଷ୍ୟତ ଗଠନ କରିବା ସହ ସେମାନଙ୍କର ମାନସିକ ଓ ଶାରିରୀକ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରି-ସ୍କୁଲ ନିମନ୍ତେ ଯେତିିକି ଗୁୁରୁତ୍ୱ ଦେଉଛନ୍ତି ସେତିକି ପରିମାଣରେ କେନ୍ଦ୍ରଗୁଡିକରେ ଆନୁସାଙ୍ଗିକ ବ୍ୟବସ୍ଥା ନିମନ୍ତେ ଲକ୍ଷାଧିକ ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି । ତେବେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହଗୁଡିକ ନଥିବାରୁ ଅନେକ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଗଛମୂଳେ, ଭଡାଘରେ, ଗୋଷ୍ଠୀ କେନ୍ଦ୍ର ଆଦିରେ ଚାଲୁଥିବା ଦେଖିବାକୁ ମିଳୁଥିବା ବେଳେ ରାୟଗଡ ଜିଲ୍ଳା ସଦର ମହକୁମା ଠାରୁ ମାତ୍ର ୭କିଲୋମିଟର ଦୂର ସଦର ବ୍ଳକ ହାଲୁଆ ପଂଚାୟତର ଗୁରୁଟିଗୁଡା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଦୀର୍ଘ ବର୍ଷ ଧରି ଗୋଟିଏ ଭଡା ଘର ବାରଣ୍ଡାରେ ପରିଚାଳିତ ହେଉଥିବା ପରିଲିକ୍ଷିତ ହୋଇଛି ।

ତେବେ ନୂତନ କେନ୍ଦ୍ର ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ଏଯାବତ୍ ତାହା ଆରମ୍ଭ କରାଯାଇ ନଥିବା ଜଣାପଡିଛି । ଗୁରୁଟିଗୁଡା ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ବର୍ତମାନ ୧୨ଜଣ ପ୍ରି-ସ୍କୁଲ ପିଲାଙ୍କ ସହ ୩୦ ଜଣ ହିତାଧିକାରୀ ଅଣ୍ଡା ଓ ଛତୁଆ ପୁଷ୍ଟିକର ଖାଦ୍ୟ ପାଉଛନ୍ତି । ତେବେ ୧୦ବର୍ଷରୁ ଉର୍ଦ୍ଧ ହେବ ଏଠାରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହଟିଏ ନଥିବାରୁ ପ୍ରି-ସ୍କୁଲକୁ ନିୟମିତ ଭାବେ ଆସୁଥିବା ପିଲାମାନେ ଜାଗା ଅଭାବରୁ ଖେଳକୁଦରୁ ବଂଚିତ ହେଉଥିବା ବେଳେ ପ୍ରଦାନ କରାଯାଇଥିବା ଅଧିକାଂଶ ଖେଳିବା କିଟ୍ସଗୁଡିକ ବ୍ୟବହାର ହୋଇ ନ ପାରି ପଡି ରହିଥିବା ଦେଖିବାକୁ ମିଳିଛି । କେନ୍ଦ୍ରଟି ଛୋଟ ଘର ବାରଣ୍ଡାରେ ପରିଚାଳିତ ହେଉଥିବାରୁ କୈାଣସି ଯୋଜନା ସମ୍ବନ୍ଧରେ ସଚେତନତାର ପୋଷ୍ଟର ଓ ବ୍ୟାନରଗୁଡିକ ଲଗାଯାଉ ନ ଥିବାରୁ ଗ୍ରାମାବାସୀ ତଥା ହିତାଧିକାରୀମାନେ ସଚେତନ ହୋଇ ପାରୁନାହାନ୍ତି ।

ସେହିପରି ପ୍ରି-ସ୍କୁଲକୁ ଆସୁଥିବା କୁନି କୁନି ପିଲାମାନେ ମଧ୍ୟ ବସିବାରେ ଅସୁବିଧା ଭୋଗୁଥିବା ବେଳେ ଖରା,ବର୍ଷା,ଶୀତ ସବୁ ଋତୁରେ ଏହି ବାରଣ୍ଡାରେ ହିଁ ପାଠ ପଢିଥାନ୍ତି । ବିଶେଷ କରି ବର୍ଷା ଦିନେ ବାରଣ୍ଡା ଓଦା ହୋଇଯାଇଥିବାରୁ ପିଲାମାନେ ବାଧ୍ୟ ହୋଇ ଭିଜି ଭିଜି ପାଠ ପଢିବାକୁ ଆସଥାନ୍ତି ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି । ଭଡାଘର ବାରଣ୍ଡାଟି ଅତି ଛୋଟ ହୋଇଥିବାରୁ ଏଠାରେ ଗର୍ଭବତୀ ଓ ପ୍ରସୂତି ମହିଳାମାନେ ମଧ୍ୟ ମମତା ଦିବସ,ଅରୁଣିମା ଦିବସ ସହିତ ଅନ୍ୟାନ୍ୟ ଦିବସଗୁଡିକର କାର୍ଯ୍ୟକ୍ରମଗୁଡିକରେ ଉପସ୍ଥିତ ହୋଇପାରନ୍ତି ନାହିଁ ।

ତେବେ ମାତ୍ର ୨୦୦ଟଙ୍କା ଘର ଭଡା ଦେଇ କେନ୍ଦ୍ର ପରିଚାଳନା ପାଇଁ ବିଭାଗୀୟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ନୂତନ ଗୃହ ନିର୍ମାଣ ପାଇଁ କୈାଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଗୁରୁଟିଗୁଡା ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ବର୍ଷ ଧରି ଭଡାଘର ବାରଣ୍ଡାରେ ପରିଚାଳିତ ହେଉଛି ତେଣୁ ଏଠାରେ ଯଥାଶୀଘ୍ର ବିଭାଗୀୟ ଅଧିକାରୀମାନେ ନୂତନ ଗୃହ ନିର୍ମାଣ ପାଇଁ ଚେଷ୍ଠା କରନ୍ତୁ ବୋଲି ଗୁରଟିଗୁଡା ଅଙ୍ଗନବାଡି କେନ୍ଦ୍ରର କର୍ମୀ ସ୍ନେହଲତା ତାଡିଙ୍ଗି ପ୍ରକାଶ କରିଛନ୍ତି । ରାୟଗଡ ବ୍ଳକରେ ୨୯୪ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ସେଥିମଧ୍ୟରୁ ୯୨ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ଏବଂ ୨୨ଟି କେନ୍ଦ୍ର ପାଇଁ ଗୃହ ନିର୍ମାଣ ଚାଲିଥିବା ବିଭାଗୀୟ ତଥ୍ୟ ପ୍ରକାଶ କରୁଛି । ତେବେ ଏ ନେଇ ରାୟଗଡ ବ୍ଳକର କନିଷ୍ଠ ଯନ୍ତ୍ରୀ ଗୈାରୀଶ୍ୟାମ ନାୟକଙ୍କୁ ପଚାରିବାରୁ ଚଳିତ ବର୍ଷର ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବରୁ ଗ୍ରାମର ବିରେନ୍ଦ୍ର ତାଡିଙ୍ଗି ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ କେନ୍ଦ୍ରଗୃହ ନିର୍ମାଣର ସ୍ଥାନକୁ ନେଇ କିଛି ବିବାଦ ରହିଥିବାରୁ ତାହା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରି ନ ଥିବା ସେ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ ମିଟିଂରେ ବ୍ୟସ୍ତ ରହିଥିବାରୁ ଏହି ସମ୍ବନ୍ଧରେ ରାୟଗଡ ସିଡିପିଓ ସୁଶ୍ରୀ ପୁଷ୍ପାଂଜଳୀ ମିଶ୍ରଙ୍କୁ ପଚାରିବାକୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରି ନ ଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.