ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର୍ ପୁରସ୍କାର

ଭୁବନେଶ୍ୱର,୨୨/୯: ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଭୁବନେଶ୍ୱର ସ୍ଥିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମପାସ୍‍ ବୁକର୍ ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି।

ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମପାସ୍ ବୁକର୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ୨୦୧୯ ମସିହା ସକାଶେ ମନୋନୀତ ହୋଇଛନ୍ତି। ଲେଖକ ଦ୍ୱୟଙ୍କ ପୁରସ୍କୃତ ପାଣ୍ଡୁଲିପି ପ୍ରକାଶନ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶିତ ହେବା ସହ ଉଭୟଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ।

ଏଥିସହିତ ଛଅ ଜଣଙ୍କୁ ଟାଇମପାସ୍‍ ବେଷ୍ଟସେଲର୍ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ଗଳ୍ପ ସଂକଳନ ‘କାଠ’ ପାଇଁ ଅମୀୟ ବେଜ୍‍ ଓ ‘ମୁଠାଏ ଅଙ୍ଗାର’ ପାଇଁ ବିଚିତ୍ର ବିଶ୍ୱାଳ; କବିତା ସଂକଳନ ‘ଝଡ଼ପକ୍ଷୀର ଗୀତ’ ପାଇଁ ଶର୍ମିଷ୍ଠା ସାହୁ ଓ ‘ଏ ସଂପର୍କ ଏମିତି’ ପାଇଁ ସୂର୍ଯ୍ୟସ୍ନାତ ତ୍ରିପାଠୀ, ଉପନ୍ୟାସ ‘ଅପରାଜିତା’ ପାଇଁ ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ଏବଂ ଅନୁବାଦ ପୁସ୍ତକ ‘ସେମାନଙ୍କ ଶ୍ରେଷ୍ଠଗଳ୍ପ’ ପାଇଁ କିଶୋର ପାଣିଗ୍ରାହୀ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏତଦ୍‍ ବ୍ୟତୀତ ବହି ସହ ଗଭୀର ସଂପୃକ୍ତି ପାଇଁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପାଉଛନ୍ତି ପୁସ୍ତକପ୍ରିୟ ତାପସ ରାଉତ ।

ଆଗାମୀ ଅକ୍ଟୋବର ୨୦ ତାରିଖରେ ଟାଇମପାସ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରର ଯଶସ୍ୱୀ ଲେଖକଗଣ ଅତିଥି ଭାବେ ଯୋଗଦେବେ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଜଣାଇଛନ୍ତି ।

ଏଠି ଛୁଇଁ ଗଳ୍ପ, କବିତା, ସାହିତ୍ୟ ଖବର ପଢ଼ନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.