ରାସ୍ତାକଡରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ବ୍ଳକ କ୍ୱାଟର୍ସ

ଅଘଟଣ ଘଟିଲେ କିଏ ହେବ ଦାୟୀ ?

ରାୟଗଡା,୨୧/୯ : ରାସ୍ତାକଡରେ ଦୀର୍ଘ ଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି ବ୍ଳକ କ୍ୱାଟର୍ସ । କେତେବେଳେ ଯେ କେଉଁ ଅଘଟଣ ଘଟିବ ତାହା କହିହେବ ନାହିଁ । ତଥାପି ଏହାର ମରାମତି ତଥା ଏହାକୁ ସଂପୂର୍ଣ୍ଣ ଭାବେ ନ ଭାଙ୍ଗି ଚୁପ ବସିଛି ବ୍ଳକ ପ୍ରଶାସନ । ଯାହାକୁ ନେଇ ସ୍ଥାନୀୟ ସହରବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଏହା ଦେଖିବାକୁ ମିଳିଛି ରାୟଗଡ ସହରର କାଳୀପୂଜା ଛକ ନିକଟରେ । ଏହି ଛକ ନିକଟରେ ରହିଛି ରାୟଗଡ ବ୍ଳକ କାର୍ଯ୍ୟାଳୟ । ଯେଉଁଠିକୁ ପ୍ରତିଦିନ ସକାଳୁ ବ୍ଳକର ୨୮ଗୋଟି ପଂଚାୟତରୁ ଶତାଧିକ ଲୋକେ ନିଜର ବ୍ୟକ୍ତିଗତ ତଥା ସାମୁହିକ କାର୍ଯ୍ୟ ପାଇଁ ଆସିଥାନ୍ତି । ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ମିଟରରୁ କମ ଦୂରତାରେ ରହିଛି ବ୍ଳକ ଅଧିକାରୀମାନଙ୍କ କ୍ୱାଟର୍ସ । ତେବେ କାଳୀପୂଜା ମଣ୍ଡପ ସମ୍ମୁଖ ତଥା ଜିଲ୍ଳା ମୁଖ୍ୟ ପ୍ରାଣୀ ଚିିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାକଡରେ ଦୀର୍ଘ ଦିନ ଧରି ନମ୍ବର ୧୦ ବ୍ଳକ କ୍ୱାଟର୍ସଟି ବିପଦସଙ୍କୁଳ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହି କ୍ୱାଟର୍ସର କାନ୍ଥଗୁଡିକ ଫାଟି ଆଁ କରି ରହିଥିବାରୁ କେତେବେଳେ ଯେ ଏହା କାହାଉପରେ ପଡିଯିବ ଏବଂ ଏକ ବଡ ଅଘଟଣ ଘଟିବ ତାହିଁରେ ସନ୍ଦେହ ନାହିଁ । କାରଣ ଏହି କାନ୍ଥକୁ ଲାଗି ଉଠାବ୍ୟବସାୟୀମାନେ ନିଜର ବ୍ୟବସାୟ କରୁଛନ୍ତି ।

ବିଶେଷ କରି ଏଠାରେ ସକାଳ ଓ ସଂଧ୍ୟାରେ ଚା,ଜଳଖିଆ ଦୋକାନଗୁଡିକ ରହିଥିବାରୁ ବ୍ଳକ କାର୍ଯ୍ୟାଳୟର ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ତଥା ସ୍ଥାନୀୟ ବାସିନ୍ଦାମାନେ ଆସୁଛନ୍ତି । ବିଡମ୍ବନାର ବିଷୟ ଏଠାରେ ଥିବା ଦୋକାନ ଗୁଡିକରୁ ବିଡିଓଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଚା’ଜଳଖିଆ ପ୍ରତିଦିନ ନିଆଯାଉଥିବା ବେଳେ ଅନେକ ସମୟରେ ବ୍ଳକକୁ ଆସୁଥିବା ପଂଚାୟତବାସୀମାନେ ମଧ୍ୟ ଏଠାରେ ରହି ଚା’ଜଳଖିଆ ପାନ କରିନ୍ତି । ନିଜେ ବିଭାଗୀୟ ଅଧିକାରୀମାନେ ଏହା ବିପଦସଙ୍କୁଳ ଜାଣିବା ପରେ କେବଳ ବିପଦ ବୋଲି ଏକ ଛୋଟ ସତର୍କ ପୋଷ୍ଟରଟି ଲଗାଇ ଦେଇ ଚୁପ ବସିଥିଲେ । ଯାହାକି ଆଜିର ଦିନରେ ସେ ପୋଷ୍ଟର ମଧ୍ୟ ଉକ୍ତ କାନ୍ଥରେ ଆଉ ଦେଖିବାକୁ ମିଳୁନାହିଁ । ଯାହାଫଳରେ ଲୋକମାନେ ବିପଦସଙ୍କୁଳ ସ୍ଥାନରେ ରହି ଚା’ଜଳଖିଆ ଖାଉଛନ୍ତି । ଅପରପକ୍ଷେ ବିଡିଓ ରାଜେନ୍ଦ୍ର ମାଝିଙ୍କୁ କ୍ୱାଟର୍ସ ସମ୍ବନ୍ଧରେ ପଚାରିବାରୁ ଲୋକଙ୍କ ସୁରକ୍ଷା ପାଇଁ ସେଠାରେ ପୁଣିଥରେ ବିପଦସଙ୍କୁଳ ବୋର୍ଡଟିଏ ରଖିବୁ ବୋଲି ଉତ୍ତର ରଖିଛନ୍ତି । ତେବେ ଅତିରିକ୍ତ ବିଡିଓ ନୃସିଂହଚରଣ ପଟ୍ଟନାୟକ ଏହା ତିତଲି ବାତ୍ୟା ସମୟରେ ଲଗାଣ ବର୍ଷା ଫଳରେ କାନ୍ଥଗୁଡିକ ଫାଟି ଆଁ କରିବା ସହ ସଂପୂର୍ଣ୍ଣ ଜରାଜୀଣ୍ଣ ରହିଥିବାରୁ ଏହାକୁ ଭାଙ୍ଗି ନୂତନ କ୍ୱାଟର୍ସ ନିର୍ମାଣ ପାଇଁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରଙ୍କୁ ଚିଠି କରାଯାଇଥିବା ସେ କହିଛନ୍ତି । ଅପରପକ୍ଷେ ଯଥାଶୀଘ୍ର ଏହି ବିପଦସଙ୍କୁଳରେ ରହିଥିବା କ୍ୱାଟର୍ସ ଯୋଗୁଁ କିଛି ଅଘଟଣ ଘଟିଲେ ବ୍ଳକ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ବିରଜା କୁମାର ପାତ୍ର, ମଙ୍ଗଳମୂର୍ତି ବେଉରିଆଙ୍କ ସମେତ ଅନ୍ୟ ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.