ଲାଞ୍ଜିଗଡ ବେଦାନ୍ତର ମାଲବୋଝେଇ ଟ୍ରେନକୁ ଅଟକାଇ ଧାରଣାରେ ବସିଲେ ଗ୍ରାମବାସୀ

ପୋଲିସ ଓ କମ୍ପାନୀର ବୁଝସୁଝା ପରେ ହଟିଲା ଆନ୍ଦୋଳନ  

ଲାଞ୍ଜିଗଡ,୨୩/୯ : ଲାଞ୍ଜିଗଡ ବେଦାନ୍ତ ଆଲୁମିନାର ଏକ ବକ୍ସାଇଟ ବୋଝେଇ ଟ୍ରେନକୁ ଅଟକାଇ ଧାରଣାରେ ବସିଥିଲେ ଗୋପୀନାଥପୁର ଗ୍ରାମବାସୀ । ରବିବାର ସକାଳୁ ପ୍ରାୟ ୧୦ ଘଣ୍ଟା ଧରି ଅଟକି ରହିଥିଲା ଟ୍ରେନ । ଗ୍ରାମବାସୀଙ୍କ ଅଭିଯୋଗ ହେଲା ଗତ ୨୦୦୩ ମସିହାରୁ ଲାଞ୍ଜିଗଡ ଠାରେ ବେଦାନ୍ତ କମ୍ପାନୀ ଆରମ୍ଭ ହୋଇଥିବା ବେଳେ ୨୦୦୭ ମସିହାରେ କମ୍ପାନୀ ରେଳ ଲାଇନ କାର୍ଯ୍ୟ ସମାପ୍ତ ହୋଇଥିଲା ।

ଜମି ଅଧିଗ୍ରହଣ ସମୟରେ ସମସ୍ତ ବିସ୍ଥାପିତ ପରିବାରଙ୍କୁ ବିସ୍ଥାପିତ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କମ୍ପାନୀ କତୃପକ୍ଷ, କିନ୍ତୁ ଇତି ମଧ୍ୟରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସୁବିଧା ସୁଯୋଗ ପାଇନାହାନ୍ତି ଏହି ଗ୍ରାମବାସୀ । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରୋଜେକ୍ଟ ଏଫେକଟେଡ଼ ପର୍ସନ ( ପିଏପି) ନିଜ ପ୍ରାପ୍ୟ ଟଙ୍କା ମଧ୍ୟ ପାଇନାହାନ୍ତି। ଇତିମଧ୍ୟରେ କିଛି ବିସ୍ଥାପିତ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଉତ୍ତରାଧିକାରୀ ଥଇଥାନ ଅପେକ୍ଷାରେ ରହିଛନ୍ତି । ଗୋପୀନାଥପୁର ଗ୍ରାମବାସୀ ବାରମ୍ବାର କମ୍ପାନୀ କତ୍ତୃପକ୍ଷଙ୍କୁ ପାଖକୁ ଯାଇ କାମ ପାଇଁ କହିଲେ ଆଜି ଆସ କାଲିକି ଆସ ବୋଲି ବର୍ଷ ବର୍ଷ ବିତିଯାଉଛି। ଗତ ୨୦୦୩ ରୁ ବିସ୍ଥାପିତ ନିୟମ ମୁତାବକ ବିସ୍ଥାପିତ ପରିବାର ଲୋକଙ୍କୁ ଥଇଥାନ ପ୍ୟାକେଜ ସ୍ଥିର କରି ଚୁକ୍ତି କରିଥିଲେ ମଧ୍ୟ ବେଦାନ୍ତ ଆଲୁମିନା କମ୍ପାନୀ ବର୍ତ୍ତମାନ ସୁଦ୍ଧା ଥଇଥାନ କରୁନଥିବା ଅଭିଯୋଗ କରିଛନ୍ତି ଏହି ଗ୍ରାମବାସୀ ।

ଅନେକ ସମୟରେ ଧାରଣା ଦେଇଥିବା ବେଳେ ୨୦୧୪ ମସିହାରେ ବିସ୍ଥାପିତ ପରିବାରଙ୍କୁ କର୍ମନିଯୁକ୍ତି ଦେବାପାଇଁ କମ୍ପାନୀ ଲିଖିତ ପ୍ରତିଶ୍ରୁତି ଦେଇଥିଲେ  । ହେଲେ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ବିସ୍ଥାପିତ ପରିବାରଙ୍କୁ ବର୍ତ୍ତମାନ ସୁଦ୍ଧା ନିଯୁକ୍ତି ଦେଇନଥିବା ଅଭିଯୋଗ ଆସିଛି । ବେଦାନ୍ତ କମ୍ପାନୀ ଗ୍ରୀଭେନ୍ସ ପ୍ରତି ଶୁକ୍ରବାର ବସିଥାଏ, ସେଦିନ ବିଭିନ୍ନ ବିସ୍ଥାପିତ ପରିବାରଙ୍କ ସମସ୍ୟା ଶୁଣିବା ସହ ଅନ୍ୟ ସମୟରେ ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ପାଇଁ କମ୍ପାନୀ ସ୍ବତନ୍ତ୍ର ଧ୍ୟାନ ଦେଇଥାଏ । କିନ୍ତୁ ସେହି ଗ୍ରିଭେନ୍ସରେ ମଧ୍ୟ ଗୋପିନାଥପୁର ଗ୍ରାମବାସୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ବିସ୍ଥାପିତ ଗ୍ରାମବାସୀ ଲାଞ୍ଜିଗଡ ବେଦାନ୍ତ କମ୍ପାନୀକୁ ଦୀର୍ଘଦିନ ଦଉଡି ଦଉଡି ହଇରାଣ ହେଉଥିବାରୁ ରବିବାର ବେଦାନ୍ତ ଟ୍ରେନକୁ ଦୀର୍ଘ ସମୟ ଅଟକାଇ ରଖିଥିଲେ ।

ଆନ୍ଦୋଳନ ସ୍ଥଳକୁ ଲାଞ୍ଜିଗଡ ଥାନାଧିକାରୀ ସତ୍ୟ କୁମାର ନନ୍ଦ ପହଞ୍ଚି ବୁଝାସୁଝା କରିଥିଲେ କିନ୍ତୁ ଧାରଣା ହଟିନଥିଲା । କମ୍ପାନୀ କତ୍ତୃପକ୍ଷଙ୍କୁ ଘଟଣା ସ୍ଥଳକୁ ଡାକିବା ପାଇଁ ଜିଦରେ ଅଟଳ ଥିଲେ ଗ୍ରାମବାସୀ । ଶେଷରେ ଥାନାଧିକାରୀ କମ୍ପାନୀ କତ୍ତୃପକ୍ଷଙ୍କ ସହ ଆସନ୍ତା ୨୬ ସେପ୍ଟେମ୍ବର ଦିନ ଏକ ବୈଠକ କରି ଏହାର ସମାଧାନ ରାସ୍ତା ବାହାର କରାଯିବ ବୋଲି କହିବା ସହ କମ୍ପାନୀ ପକ୍ଷରୁ ଭାରତ ଭୂଷଣ ଯୋଶୀ, ଭଗବାନ ହୋତା, ଆଲୋକ ଗୟା ଓ ଶ୍ରୀକାନ୍ତ ବହିଦାର ଲିଖିତ ପ୍ରତିଶୃତି ଦେବା ପରେ ଗ୍ରାମବାସୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଓ ମାଲ ବୋଝେଇ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.