ସୋନପୁର : ସୁବର୍ଣ୍ଣପୁରର ସଦର ସହିତ ବିଭିନ୍ନ ଗ୍ରାମରେ ନିଷ୍ଠା ଓ କାଷ୍ଠାର ପର୍ବ ପୋ ଜିଉଁତିଆ ପାଳିତ ହୋଇଯାଇଛି । ବ୍ରତଧାରୀ ମା’ମାନେ ଦିନତମାମ ନିର୍ଜଳା ଉପବାସ ରହି ସନ୍ଧ୍ୟା ସମୟରେ ଗାଁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମଣ୍ଡପ ସ୍ଥାପନ କରି ମା ଦୁତିବାହାନଙ୍କୁ ପୂଜା କରିଥାନ୍ତି । ପୂଜା ସାମଗ୍ରୀ ଭାବେ ପ୍ରତିଟି ପୁଅ ପାଇଁ ୧୦୮ଟି ଦୁବ ସହ କଷିଭେଣ୍ଡି, କାକୁଡି, ବଢିଆଲ, ବେଲ, ଅଁଳା ଡାଳ, ବିଭିନ୍ନ ଫୁଲ ସହ ୧୦୮ଟି ଅକ୍ଷତ ଅରୁଆ ଚାଉଳ ଆଦି ବ୍ୟବହାର କରିଥାନ୍ତି ।
ପୂର୍ବେ ଗ୍ରାମର ସମସ୍ତ ମହିଳା ଗ୍ରାମ୍ୟ ମୁଖିଆଙ୍କ ଘର ସମ୍ମୁଖରେ ନିର୍ମିତ ପୂଜା ମଣ୍ଡପରେ ପୂଜା କରୁଥିବା ବେଳେ ସମୟକ୍ରମେ ଏହି ବ୍ୟବସ୍ଥାର ପରିବର୍ତ୍ତନ ହୋଇ ସହର ଓ ଗ୍ରାମର ପ୍ରତ୍ୟେକ ସାହି ଏବଂ ଘରେ ଘରେ ମଣ୍ଡପ ତିଆରି ହେବା ସହ ବ୍ରତଧାରୀ ମହିଳାମାନେ ଭାଗ ଭାଗ ହୋଇ ପୂଜା କରୁଥିବା ଦେଖିବାକୁ ମିଳୁଛି । ଏହି ପୂଜା ଅବସରରେ ପୁରୋହିତ ମା ଦୁତିବାହାନଙ୍କୁ ପୂଜା କରିବା ସହ ବ୍ରତାଧାରୀମାନଙ୍କୁ ପୁଅ ଜିଉଁତିଆର ମାହାତ୍ମ୍ୟ ସଂପର୍କରେ ରହିଥିବା ଗୀତକୁ ଗାଇ ଶୁଣାଇଥାନ୍ତି । ପୋ ଜିଉଁତିଆକୁ ଆଖି ଆଗରେ ରଖି ଦୂରଦୂରାନ୍ତରେ ଥିବା ପୁଅମାନେ ମାଠାରୁ ଆର୍ଶିବାଦ ନେବାକୁ ନିଜ ଘରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।