ଲାଞ୍ଜିଗଡ : ବିଦ୍ୟାଳୟ କୋଠାକୁ ସିମେଣ୍ଟ ଗୋଦାମ କରିଛନ୍ତି ଠିକାଦାର

ପିଲାଙ୍କ ଭବିଷ୍ୟତ ସହ ଚାଲିଛି ଖେଳ

ଲାଞ୍ଜିଗଡ,୨୬/୯, ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ଚର୍ଚ୍ଚାର ପରିଧିକୁ ଆସିଥାଏ ଲାଞ୍ଜିଗଡ ବ୍ଲକ । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ସରଳ ଅଧିବାସୀ ମାନଙ୍କ ନିରିହତାର ବେଶ ଫାଇଦା ନିଅନ୍ତି ସହରୀ ଲୋକ । ଏହାକୁ ସହଯୋଗ କରନ୍ତି ନ୍ୟାସ୍ଥସ୍ବାର୍ଥ ବ୍ୟକ୍ତି । ଏହି ଅଞ୍ଚଳରେ ଶିକ୍ଷାର ସ୍ଥିତି ନକହିବା ଭଲ । କଳାହାଣ୍ଡି ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ଅପେକ୍ଷା ଲାଞ୍ଜିଗଡ ଶିକ୍ଷା କ୍ଷେତ୍ରରେ ବହୁ ପଛରେ ପଡି ଯାଇଛି । ବର୍ତ୍ତମାନ ଏକ ଗୁରୁତ୍ବପୂର୍ଣ୍ଣ ଖବର ଆମର ହସ୍ତଗତ ହୋଇଛି । ବିଦ୍ୟାଳୟର ଗୋଟିଏ କୋଠରିରେ ସିମେଣ୍ଟ ଗଦାଇ ରଖିଛନ୍ତି ଭବାନିପାଟଣାର ଜଣେ ଠିକାଦାର ।

ପ୍ରାପ୍ତ ସୂଚନା ମୁତାବକ ଏହି ବ୍ଲକର ଲାଞ୍ଜି ପଞ୍ଚାୟତ ସ୍ଥିତ ଜାନବାହିଲି ପ୍ରାଥମିକ ବିଦ୍ୟାଳୟରେ ଆଜିକୁ ପ୍ରାୟ ୬ ମାସ ଧରି ସ୍କୁଲର ଗୋଟିଏ କୋଠରୀରେ ଭବାନୀପାଟଣାର ଜଣେ ଠିକାଦାର ସିମେଣ୍ଟ ଗୋଦାମ କରିଥିବା ଯୋଗୁଁ ପିଲାଙ୍କ ପାଠ ପଢାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ଲାଞ୍ଜିଗଡ ବ୍ଲକ ଲାଞ୍ଜି (ମୂଷାନାଳ) ପଞ୍ଚାୟତର ଜାନବାହିଲି ଗ୍ରାମରେ ଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ତିନୋଟି ଗୃହ ଅଛି। ଗୋଟିଏ ଅଫିସ ଓ ଆଉ ଦୁଇ ଗୋଟି ଶ୍ରେଣୀ ଗୃହ।ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୯ଜଣ ଜାନବାହିଲି, ସରଗୁଡା ଓ ଲୋରମ୍ବା ଗ୍ରାମର ଛାତ୍ରଛାତ୍ରୀ ପାଠ ପଢୁ ଛନ୍ତି।

ହେଲେ ଆଜିକି ପ୍ରାୟ ୬ ମାସ ଧରି ଠିକାଦାର ଗୋଟିଏ ଶ୍ରେଣୀ ଗୃହରେ ସିମେଣ୍ଟ ଗୋଦାମ କରିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଅସୁବିଧା ହେଉଛି। ଏହି ସ୍କୁଲ କାନକୁଟୁରୁ କ୍ଲଷ୍ଟରରେ ରହିଅଛି। ଏଥିରେ ସିଆରସିସି ଗୌରଚନ୍ଦ୍ର ନାଏକ ଥିବାବେଳେ ସ୍କୁଲରେ ପ୍ରଧାନ ଶିକ୍ଷକ ଉଗ୍ରେସନ ହରିଜନ ଓ ସହ ଶିକ୍ଷକ ଦିଲୀପ କୁମାର ନାଗ ଅଛନ୍ତି।

ଏହି ବିଷୟରେ ପ୍ରଧାନ ଶିକ୍ଷକ ଶ୍ରୀ ହରିଜନଙ୍କୁ ପଚାରିବାରୁ ଆଜିକି ୩ ମାସ ହେଲା କୋଠରୀରେ ସିମେଣ୍ଟ ଅଛି, ମୁଁ କାଲି ସିମେଣ୍ଟ ରଖିଥିବା ଲୋକଙ୍କୁ କହିଛି। ସେମାନେ ଖାଲି କରିଦେବେ ବୋଲି କହିଥିଲେ। ଏନେଇ ଲାଞ୍ଜିଗଡ ବିଇଓ ସଂଜୀବ କୁମାର ନାଏକଙ୍କୁ ପଚାରିବାରୁ ଏନେଇ ମୋ ପାଖରେ ଖବର ନାହିଁ। ସିଆରସିସିଙ୍କୁ ସ୍କୁଲକୁ ପଠାଇବି ବୋଲି ପ୍ରକାଶ କରିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ବିଦ୍ୟାଳୟରେ ସିମେଣ୍ଟ ରଖାଗଲା ? ଜଣେ ଠିକାଦାରକୁ ଶିକ୍ଷା ବିଭାଗର ଏତେ ଅନୁକମ୍ପା କ’ଣ ପାଇଁ ? କାହିଁକି ବାରମ୍ବାର କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ସହ ଖେଳ ଚାଲିଛି ? ଏମିତି କାହିଁକି ହେଉଛି ? ଏଥିପାଇଁ ଦାୟୀ କିଏ ? 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.