ଜୁନାଗଡ,୨୯/୯ : ସନାତନ ଧର୍ମ ପରମ୍ପରାରେ ଦେବୀ ଦୂର୍ଗା ହେଉଛନ୍ତି ଜଗତଜନନୀ । ନାରୀ ଶକ୍ତିର ପ୍ରତିକ ମାଁ ଦୂର୍ଗାଙ୍କ ମହିମାକୁ ନେଇ ଶାସ୍ତ୍ର ପୁରାଣ ମୁଖରିତ ହୋଇଛି । ମହିଷାସୁରର ପ୍ରକୋପରେ ମହି ଟଳମଳ ହେବାରୁ ଆଦ୍ୟଶକ୍ତି ଦେବୀ ମହାମାୟା ଦୂର୍ଗା ରୂପରେ ଆବିର୍ଭୁତା ହୋଇ ଦୁଷ୍ଟ ମହିଷାସୁରକୁ ବିନାଶ କରିଥିଲେ । ତାହା ଥିଲା ଶରଦ କାଳ । ଏହାର ସ୍ମାରକୀ ସ୍ବରୂପ ଶରତ ଋତୁରେ ମାଁ ଦୂର୍ଗାଙ୍କ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଆସିଛି । ପୌରାଣିକ ପୃଷ୍ଠଭୂମୀ ଉପରେ ପ୍ରତିଷ୍ଠିତ ଏହି ମହାନ ପାର୍ବଣ ବର୍ତ୍ତମାନ ଭାଇଚାରାର ଏକ ସର୍ବ ଶ୍ରେଷ୍ଠ ପର୍ବ ଭାବେ ଦେଶର ବିଭିନ୍ନ ପ୍ରାନ୍ତରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଆସୁଛି । ସେହି ପରିପ୍ରେକ୍ଷୀରେ ଜୁନାଗଡ ସହରର ଲଙ୍କେଶ୍ବରୀ କ୍ଲବର ଦୂର୍ଗାପୂଜା ନିଜର ସ୍ବତନ୍ତ୍ରତା ବହନକରି ଜୁନାଗଡ ସହରବାସୀଙ୍କ ମଧ୍ୟରେ ସ୍ନେହ ପ୍ରେମ ଓ ଭାଇଚାରାର ରଜ୍ଜୁକୁ ମଜଭୂତ କରିପାରିଛି ।
(କ୍ଲିକ କରି ଦେଖନ୍ତୁ ଭିଡିଓ 👆)
ଅତିତ କଳାହାଣ୍ଡି ରାଜ୍ୟର ପୁରାତନ ରାଜଧାନୀ ଜୁନାଗଡ ହଜାରେ ବର୍ଷର ସହର । ମନ୍ଦିର ମାଳିନୀ ଏହି ସହରରେ ବାର ମାସରେ ତେର ପର୍ବ ପାଳନ ହେଉଥିବାବେଳେ ଦେବୀ ଦୂର୍ଗାଙ୍କ ଶାରଦିୟ ପାର୍ବଣ ମହା ସମାରୋହରେ ପାଳିତ ହୋଇଥାଏ । ସଂସ୍କୃତି ସଂପର୍ଣ୍ଣ ଜୁନାଗଡ ଜନତା ମାଁ ଦୂର୍ଗାଙ୍କୁ ଭକ୍ତି ସହକାରେ ଆବାହନ କରି ଆଶିର୍ବାଦ କାମନା କରିଥାନ୍ତି । ସହରର ଲଙ୍କେଶ୍ବରୀ କ୍ଲବ ଆନୁକୂଲ୍ୟରେ ପାଳିତ ହେଉଥିବା ଦୂର୍ଗା ପୂଜା ଏବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି । ସୁବର୍ଣ୍ଣ ଜୟନ୍ତୀ ବର୍ଷ ଯୋଗୁଁ ଏହି ପୂଜା ମଣ୍ଡପ ଅପରୂପ ବେଷରେ ସଜ୍ଜିତ ହୋଇ ମାଁ’ଙ୍କ ପ୍ରାଣ ପ୍ରତିଷ୍ଠାକୁ ଚାତକ ପରି ଅନେଇ ରହିଛି । ପିତୃପକ୍ଷର ଅନ୍ତିମ ଦିବସ ମହାଳୟା ଦିନ ଏଠାରେ ବିଲ୍ବବରଣ ଓ କଳସ ଯାତ୍ରା ଆୟୋଜିତ ହୋଇଯାଇଛି । ଏହାସହ ଦେବୀ ଦୂର୍ଗାଙ୍କ ଆବାହନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଯାହାକୁ ନେଇ ଜୁନାଗଡ ସହରରେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି ।

 
                                        
 
 
         
 
         
 
         
 
        


