ନିଜ ହୃଦୟକୁ ଭଲପାଆନ୍ତୁ, ଯତ୍ନ ନିଅନ୍ତୁ

ଆଜି ବିଶ୍ୱ ହୃଦୟ ଦିବସ

ଖାଦ୍ୟପେୟରେ ଅନିୟମିତତା, ବ୍ୟାୟାମର ଅଭାବ, ମେଦବହୁଳତା ଓ ଧୁମପାନ ହେଉଛି ହୃଦ୍‌ଘାତର ପ୍ରମୁଖ କାରଣ। ଅଧିକାଂଶ ସମୟରେ ଦେଖିବାକୁ ମିଳେ, ଯୁବପିଢ଼ି ନିଜ ଶରୀରରେ ଦେଖାଦେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ନିଅନ୍ତି ନାହିଁ।

 

ହୃଦ୍‌ଘାତ ପୂର୍ବରୁ ଶରୀରରେ ଏହାର କିଛି ଲକ୍ଷଣ ଦେଖାଦିଏ। ଯଦି ଏହି ଲକ୍ଷଣସବୁକୁ ଆପଣ ଚେତାବନୀ ଭାବି ଏ ସବୁର ଚିକିତ୍ସା କରାଇ ନିଅନ୍ତି, ତେବେ ଆପଣ ହୃଦ୍‌ଘାତରୁ ବର୍ତ୍ତିପାରନ୍ତି।

କିନ୍ତୁ ଯୁବପିଢ଼ି ଏହି ଲକ୍ଷଣଗୁଡ଼ିକୁ, ଯେପରିକି ଛାତି ଦରଜ, ଗଳା ଦରଜ, ପିଠି ଓ ମେରୁଦଣ୍ଡରେ କଷ୍ଟ ଅନୁଭବ, ପାଚନ କ୍ରିୟାରେ ସମସ୍ୟା ଓ ପ୍ୟାନିକ୍‌ ଆଟାକ୍‌ ଆଦିକୁ ସାମାନ୍ୟ ସମସ୍ୟା ଭାବି ଅଣଦେଖା କରିଥା’ନ୍ତି। ଫଳରେ ଭବିଷ୍ୟତରେ ଏହା ହୃଦ୍‌ଘାତର ରୂପ ନିଏ। କିନ୍ତୁ ଏହି ଲକ୍ଷଣଗୁଡ଼ିକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଜରୁରୀ।

ଯୁବପିଢ଼ି ମଧ୍ୟରେ ହୃଦୟ ଜନିତ ଅନ୍ୟାନ୍ୟ କାରଣଗୁଡ଼ିକ ହେଉଛି:

ଗେଜେଟ୍‌ ପ୍ରେମ:

ଆଜି କାଲି ଯୁବପିଢ଼ି ୨୪ଘଣ୍ଟାରୁ ପ୍ରାୟ ୧୮ଘଣ୍ଟା ଯାଏ ମୋବାଇଲ୍ ଫୋନ୍‌, ଟ୍ୟାବ୍‌, କମ୍ପ୍ୟୁଟର ଓ ଟିଭ ସହ ସମୟ ଅତିବାହିତ କରୁଛନ୍ତି। ଏହାଦ୍ୱାରା ମସ୍ତିଷ୍କ ଉପରେ ଅଧିକ ଚାପ ପଡ଼ିଥାଏ। ଏହି କାରଣରୁ ସମୟ କ୍ରମେ ଅତ୍ୟଧିକ ମାନସିକ ଦୁଶ୍ଚିନ୍ତା ଓ ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ। ଏହି ଉଚ୍ଚ ରକ୍ତଚାପ ହିଁ ହୃଦ୍‌ଘାତର ପ୍ରମୁଖ କାରଣ ସାଜିଥାଏ।

ଖାଦ୍ୟ:

ଆଜି କାଲି ପିଲାମାନେ ଫାଷ୍ଟଫୁଡ୍‌ ଖାଇବାକୁ ଅଧିକ ଭଲ ପାଉଛନ୍ତି। ହେଲେ ଫାଷ୍ଟ୍‌ଫୁଡ୍‌ ଶରୀର ପାଇଁ ବହୁ ମାତ୍ରାରେ କ୍ଷତିକାରକ। ଅତ୍ୟଧିକ କ୍ୟାଲୋରୀ ସହ ଲୁଣ ଓ ସୋଡିୟମ୍‌ର ମାତ୍ରା ଅଧିକ ଥିବାରୁ ଏହି ଖାଦ୍ୟ ସାମଗ୍ରୀ ଶରୀରରେ ମେଦ ବହୁଳତାର କାରଣ ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ ହୃଦ୍‌ରୋଗ ପାଇଁ ଏକ ପ୍ରମୁଖ କାରଣ ସାଜିଥାଏ।

ନିଶାଦ୍ରବ୍ୟ:

ଆଜିକାଲି ଅଧିକାଂଶ ଯୁବବର୍ଗ ନିଶାଗ୍ରସ୍ତ ରହୁଛନ୍ତି। ଅତ୍ୟଧିକ ଧୁମପାନ ଓ ମାଦକ ଦ୍ରବ୍ୟ ସେବନ, ହୃଦ୍‌ଘାତର ଆଶଙ୍କାକୁ ବଢ଼ାଇ ଥାଏ।

ଅନ୍ୟାନ୍ୟ କାରଣ:

ବୟସ୍କ ବ୍ୟକ୍ତି ଓ ଯୁବପିଢ଼ିଙ୍କୁ ହୃଦ୍‌ଘାତ ହେବା ପଛରେ କାରଣଗୁଡ଼ିକ ପ୍ରାୟତଃ ସମାନ। ଯେପରିକି, ହୃତ୍‌ପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ରୋଗ, ହାଇ କୋଲେଷ୍ଟ୍ରଲ, ଅତ୍ୟଧିକ ଭାବପ୍ରବଣତାର ଚାପ ବା ଉଚ୍ଚ ରକ୍ତଚାପ, ଧୂମପାନ, ମେଦବହୁଳତା, ଡାଇବେଟିସ୍, ମେଟାବଲି ସିଣ୍ଡ୍ରୋମ୍‌ ଓ ବ୍ୟାୟାମର ଅଭାବ କାରଣରୁ ହୃଦ୍‌ଘାତ ହୋଇଥାଏ। ଏହା ବ୍ୟତୀତ ଯଦି ପରିବାରରେ ହୃଦ୍‌ରୋଗ ଏକ ଜେନେଟିକ୍‌ ସମସ୍ୟା ରୂପେ ରହିଛି, ତେବେ ଏହା ମଧ୍ୟ ହୃଦ୍‌ଘାତ ଏକ କାରଣ ହୋଇଥାଏ। ତେବେ ଏସବୁ ଥିଲେ ପ୍ରତିକାର ପାଇଁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

ସୁସ୍ଥ ହୃଦୟ ପାଇଁ କଣ କରିବେ:

• କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ଟିକେ ସମୟ ନିଜ ପାଇଁ ବାହାରି କରି ବ୍ୟାୟାମ କରନ୍ତୁ
• ସ୍ୱାସ୍ଥ୍ୟପ୍ରଦ ଆହାର ଗ୍ରହଣ କରନ୍ତୁ
• ଖାଦ୍ୟରେ ଲୁଣ ଯଥା ସମ୍ଭବ କମ୍ ଖାଇବା ପାଇ ଚେଷ୍ଟା କରନ୍ତୁ
• ସତେଜ ପନିପରିବା ଓ ଫଳ ଖାଆନ୍ତୁ
• ଯାହା ବି ଖାଆନ୍ତୁ ସଠିକ ସମୟରେ ଖାଆନ୍ତୁ
• ପାନ, ଗୁଟଖା ଆଦି ସ୍ୱାସ୍ଥ୍ୟ ହାନିକାରକ ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.