ଧରିତପେନୁ କୃଷକ ଉତ୍ପାଦକ କମ୍ପାନୀ ଲିଃ.ର ତୃତୀୟ ବାର୍ଷିକ ସାଧାରଣ ବୈଠକ

ରାୟଗଡ,୩୦/୯ : ରାୟଗଡ ଜିଲ୍ଳାର ଧରତିପେନୁ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡର ତୃତୀୟ ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳା ଓରମାସର ସହାୟକ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଡିଶା ଜୀବିକା ମିଶନର ଜିଲ୍ଳା ପ୍ରକଳ୍ପ ପରିଚାଳକ ହେମନ୍ତ କୁମାର ବାଗ,ଜୀବନ ଜୀବିକା ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଜାତ ଶତ୍ରୁ ରାଉତ,ଧରତିପେନୁ କମ୍ପାନୀର ଅଧ୍ୟକ୍ଷା ଶ୍ରୀମତି ନମିତା ସିଂ,ସଂପାଦକ ଶ୍ରୀମତି ଜୟା କୁମାରୀ ସାରକା,ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ନାୟକ, ମାର୍କେଟିଂ ମ୍ୟାନେଜର ପ୍ରେମାନନ୍ଦ ମଲ୍ଳିକଙ୍କ ସମେତ ଉଦ୍ୟାନ କୃଷି ବିଭାଗର ସହକାରୀ ଉଦ୍ୟାନ କୃଷି ଅଧିକାରୀ ମଂଚାସୀନ ହୋଇଥିବା ବେଳେ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳି, ବିଭିନ୍ନ ଉତ୍ପାଦକ ଗୋଷ୍ଠର କୃଷକ ଓ ଉଦ୍ୟୋଗମିତ୍ରଙ୍କ ସମେତ ୟଙ୍ଗ ପ୍ରୋଫେସନାଲ ରଂଜିତ କୁମାର ଦାଶ ଓ ଲାଲବାହାଦୁର ପ୍ରମୁଖ ଯୋଗ ଦେଇଥିଲେ ।

“ଚାଷ ଅଛି ଯାହାର – କି ଆନନ୍ଦ ତାହାର” ବିଷୟବସ୍ତୁକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିବା ବେଳେ ମହିଳା କୃଷକଙ୍କର ଅର୍ଥନୈତିକ ଉନ୍ନତୀ ନିମନ୍ତେ ୨୦୧୨ ମସିହାରୁ ଓଏଲଏମ ଓ ଓରମାସ କାର୍ଯ୍ୟରତ ରହିଥିବା ବେଳେ ରାୟଗଡ ଜିଲ୍ଳାର ମହିଳା କୃଷକଙ୍କ ଉନ୍ନତି, ବିଶ୍ୱବ୍ୟାଙ୍କ ସହାୟତାରେ ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ଉତ୍ପାଦିତ ହେଉଥିବା କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି, ବଜାର ସଂଯୋଗ ମାଧ୍ୟମରେ ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ମହିଳା କୃଷକଙ୍କ ହାତକୁ ସଠିକ୍ ମୂଲ୍ୟ ପ୍ରଦାନ ନିମନ୍ତେ ୧୦ଜଣ ମହିଳା ପ୍ରୋତ୍ସାହନକାରୀଙ୍କ ଦ୍ୱାରା ଧରତିପେନୁ କୃଷକ ଉତ୍ପାଦକ କମ୍ପାନୀ ଲିଃ. ଗତ ୧୮ସେପ୍ଟେମ୍ବର ୨୦୧୭ରେ ଗଠନ କରାଯାଇଛି । ରାୟଗଡ ଜିଲ୍ଳାର ୩ଟି ବ୍ଳକର ମୋଟ ୫୬ଗୋଟି ଆମ୍ବ, ଫୁଲଝାଡୁ ଉତ୍ପାଦକ ଗୋଷ୍ଠୀର ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ମହିଳା କୃଷକଙ୍କୁ ଉକ୍ତ କମ୍ପାନୀରେ ସାମିଲ କରାଯିବା ସହିତ କଲ୍ୟାଣସିଂହପୁର, କୋଲନରା ଓ ରାମନାଗୁଡାର ଉତ୍ପାଦକ ଗୋଷ୍ଠୀମାନଙ୍କୁ ମଧ୍ୟ ସାମିଲ କରାଯାଇଥିବା ବେଳେ ଆଗକୁ ଉଦ୍ୟାନ ଭିତିକ କୃଷି ଓ କୃଷି ଜାତୀୟ ଉତ୍ପାଦକର ବ୍ୟବସାୟ କରିବାର ଯୋଜନା ରହିଛି ଏବଂ ଏଥିରେ ଅନ୍ୟବ୍ଳକର ଉତ୍ପାଦକ ଗୋଷ୍ଠୀମାନଙ୍କୁ ଭବିଷ୍ୟତରେ ସାମିଲ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତି ନମିତ ସିଂ ପ୍ରକାଶ କରିଥିଲେ । ସେହିପରି ଜିଲ୍ଳାର ମହିଳା ଚାଷିଙ୍କ ଉତ୍ପାଦିତ ଦ୍ରବ୍ୟକୁ ସଂଗଠିତ କରାଇ ଉଚିତ ମୂଲ୍ୟରେ ବିକ୍ରୟ କରିବା ଦ୍ୱାରା ସେମାନଙ୍କ ଆର୍ଥିକ ପ୍ରଗତିରେ ଏବଂ ଏକ ବିକାଶଶୀଳ ଜୀବନ ଜୀବିକା ନିର୍ବାହ କରିବାରେ ସହାୟକ ହେବାର କମ୍ପାନୀର ମୂଳ ଲକ୍ଷ୍ୟ ରହିଛି ବୋଲି ସଂପାଦିକା ଶ୍ରୀମତି ଜୟା ସାରକା ମତବ୍ୟକ୍ତ କରିଥିଲେ ।

ବୈଠକରେ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଉତ୍ପାଦକ ଗୋଷ୍ଠୀମାନଙ୍କୁ ବାଣିଜ୍ୟକରଣରେ ବୃଦ୍ଧି ସମ୍ବନ୍ଧରେ ଆଲୋକପାତ କରାଇଥିବା ବେଳେ ଦ୍ୱିତୀୟ ବାର୍ଷିକ ବୈଠକର ନିଷ୍ପତିର ସମୀକ୍ଷା ଓ ଅନୁମୋଦନ,କମ୍ପାନୀର ହିସାବ ସମୀକ୍ଷାର ପଠନ, କମ୍ପାନୀ ସଂପର୍କରେ ସଂକ୍ଷେପରେ ଆଲୋଚନା, କମ୍ପାନୀ ପଂଜୀକୃତ ଠାରୁ ତୃତୀୟ ବାର୍ଷିକ ସାଧାରଣ ସଭା ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟକ୍ରମର ପର୍ଯ୍ୟାୟଲୋଚନା କରିବା, କମ୍ପାନୀର ବ୍ୟବସାୟ ଯୋଜନା ଉପରେ ଆଲୋଚନା, ଖିଲାପ ଋଣର ପରିଶୋଧ ପାଇଁ ଯୋଜନା, ନୂତନ ଅଂଶଧନକାରୀଙ୍କୁ ସାମିଲ କରିବା ଓ ଅଂଶଧନ ବୃଦ୍ଧି ପାଇଁ ଯୋଜନା, କମ୍ପାନୀରେ ଅଡିଡରଙ୍କ ପୁନଃ ନିଯୁକ୍ତି ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ଅନ୍ୟ ମଂଚାସୀନ ଅତିଥିମାନେ ଆଲୋଚନା କରିଥିଲେ । ସେହିପରି ବୈଠକରେ ଅଧ୍ୟକ୍ଷା ଶ୍ରୀମତି ନମିତା ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

———————————————————

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.