ମାତିଛି ହାତୀ : କାନ୍ଦୁଛି ଲାଞ୍ଜିଗଡିଆ ଚାଷୀ

ରାହୁଳ ଝିମିରି ଜଙ୍ଗଲରେ ଅଛନ୍ତି ୨୫ ରୁ ୩୦ ହାତୀ

ଧାନ ଓ କୋଳଥ ଫସଳ ନଷ୍ଟ କରିବା ସହ ଆତଙ୍କ ସୃଷ୍ଟି କରୁଛି ଗଜରାଜ

ଲାଞ୍ଜିଗଡ,୫/୧୦ : ଜଙ୍ଗଲୀ ହାତୀଙ୍କ ଉପଦ୍ରବ ସବୁ ସିମା ପାର କରିସାରିଲାଣି । ଜନ ବସତି ମୂହାଁ ହୋଇଥିବା ଏହି ହାତୀପଳ କୃଷକର ଚାଷ ଜମି ଭିତରେ ପସି ବ୍ୟାପକ ଫସଳ ନଷ୍ଟ କରିବା ସହ ଅାତଙ୍କ ରଚିଛନ୍ତି । ବର୍ଷ ଯାକର ହାଡଭଙ୍ଗା ପରିଶ୍ରମ କରି ଫସଳ ଉତ୍ପନ୍ନ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏପରି ଏକ ଖବର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକରୁ ।

ଏହି ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ପଞ୍ଚାୟତର ଗୋଇପଟା, ବାନିଗାଁ ଓ ଲାଞ୍ଜିଗଡ କଲୋନୀ ପଡ଼ାରେ ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ଧାନ ଓ କୋଳଥ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ମୁତାବକ ସ୍ଥାନୀୟ ଲାଞ୍ଜିଗଡ ରାହୁଳ ଝିମିରି ଜଙ୍ଗଲରେ ଗତ ବୁଧବାର ୨୫ ରୁ ୩୦ ହାତୀପଲ ଆସିଥିବା ବେଳେ ଗୁରୁବାର ରାତି ୧୦ଘଣ୍ଟା ସମୟରେ ଲାଞ୍ଜିଗଡ ପଞ୍ଚାୟତର ବାନିଗାଁ ଲୋକେ ହାତୀପଲ ଦେଖି ଲାଞ୍ଜିଗଡ ବନ ବିଭାଗକୁ ଖବର ଦେଇଥିଲେ।

ସାଙ୍ଗେ ସାଙ୍ଗେ ବନ କର୍ମଚାରୀ ଫରେଷ୍ଟର ବୃଷଭ ବେସ୍ରା, ଫରେଷ୍ଟ ଗାର୍ଡ ବିଭୁତି ନାଏକ, ସୁଶାନ୍ତ ହରିଜନ ଓ ସାଣ୍ଡରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମ ବାସୀଙ୍କ ସହାୟତାରେ ହାତୀ ଘଉଡ଼ାଇ ଥିଲେ। କିନ୍ତୁ ହାତୀପଲ ରାତି ୧୨ଟା ସମୟରେ ଲାଞ୍ଜିଗଡ କଲୋନୀ ପଡ଼ା ଭୈରବ ମନ୍ଦିର ପାଖରେ ଥିବା ମାଗୁର ଦଣ୍ଡସେନାଙ୍କ ଏକ ଏକରରୁ ଉର୍ଦ୍ଧ ଧାନ ଫସଲ ସହିତ କୋଳଥ ମଧ୍ୟ ନଷ୍ଟ କରିଥିବା ଅଭିଯୋଗ ହୋଇଥିବାବେଳେ ଭୋର ସାଡେ ୩ଟାରେ ଲାଞ୍ଜିଗଡ ପଞ୍ଚାୟତର ଗୋଇପଟା ଗ୍ରାମର ଅଚ୍ୟୁତ ମାଝୀଙ୍କ ଦେଢ ଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିଥିବା ଅଚ୍ୟୁତ ଲିଖିତ ଅଭିଯୋଗ କରିଛନ୍ତି।

୨୫ ରୁ ୩୦ ହାତୀପଲ ବର୍ତ୍ତମାନ ଲାଞ୍ଜିଗଡ ନିକଟସ୍ଥ ହାହୁଲ ଝିମିରି ଜଙ୍ଗଲରେ ଥିବାବେଳେ ପ୍ରାୟ ୩ ରୁ ୫ଟି ହାତୀଛୁଆ ଅଛନ୍ତି ବୋଲି ଲାଞ୍ଜିଗଡ ବନ ବିଭାଗ ପେଟ୍ରୋଲିଂ ଗାର୍ଡମାନେ ସୂଚନା ଦେଇଛନ୍ତି। ଗୁରୁବାର ଲାଞ୍ଜିଗଡ ଫରେଷ୍ଟର ବୃଷଭ ବେସ୍ରା ଲୋକଙ୍କ କ୍ଷୟକ୍ଷତି ବୁଲି ଦେଖିଥିବା ବେଳେ ହାତୀ ଯେମିତି ଲୋକଙ୍କ ଅଧିକ କ୍ଷୟକ୍ଷତି ନକରେ ସେଥିପ୍ରତି ଆମେ ସଜାଗ ରହିଛୁ ବୋଲି ଶ୍ରୀ ବେସ୍ରା କହିଛନ୍ତି। ଏନେଇ ଲାଞ୍ଜିଗଡ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କୁ ପଚାରିବାରୁ ହାତୀ ଅଞ୍ଚଳକୁ ଆସିଥିବା ଖବର ମିଳିଛି, ଏଥିପାଇଁ ଆମର ସ୍ପେଶାଲ ସ୍କ୍ବାର୍ଡ ତିଆରି କରିଛୁ ସେମାନେ ହାତୀର ଗତିପଥ ଉପରେ ସବୁବେଳେ ନଜର ରଖି ଆମ ସହିତ ଯୋଗାଯୋଗ କରୁଛନ୍ତି ଓ ଫସଲ କ୍ଷୟ କ୍ଷତି ଆକଳନ ପରେ ଚାଷୀ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ବିଗତ ବର୍ଷ ମାନଙ୍କରେ ମଧ୍ୟ ହାତୀ ଯୋଗୁଁ ବ୍ୟାପକ ଫସଳ ନଷ୍ଟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଅନେକ ଜନଜୀବନ ନଷ୍ଟ ହୋଇଛି । ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି । 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

———————————————————

 

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.