ଦୁର୍ଗାପୂଜାରେ ଉନ୍ମୋଚିତ ହେଲା ନୂତନ ଧାରାର ଏକ ଇ-ବୁକ୍ ‘ଶୁଭପଲ୍ଲବ’

ଏମାଜନ୍ କିଣ୍ଡଲ୍ ଫର୍ମାଟ୍’ରେ ମାଗଣାରେ ଉପଲବ୍ଧ

ବାଲେଶ୍ବର,୬/୧୦ (କୃଷ୍ଣ କୁମାର ମହାନ୍ତି): ଆଶ୍ଵିନର ଆଗମନରେ ଧରାବକ୍ଷରେ ଶୋଭା ପାଏ କାଶତଣ୍ଡୀ ଫୁଲର ସମ୍ଭାର। ନଈପଠା, ବିଲପ୍ରାନ୍ତର ସବୁଠି ଏ କାଶଫୁଲ। ସତେକି ଧଳା ଚାଦରଟେ କିଏ ଯେମିତି ବିଛେଇ ଦେଇଥାଏ ଧରଣୀ ବକ୍ଷରେ। ମାଆ ଦଶଭୁଜାଙ୍କର ଧରାବତରଣ ହୁଏ ଏତିକି ବେଳେ। ଶରତ ଋତୁର ଶାରଦୀୟ ଅବକାଶରେ ଧରଣୀ ଯେମିତି ସବୁଜ ରଙ୍ଗ ପରିଧାନ କରି ଧଳା ଚାମର ସ୍ୱରୂପ କାଶତଣ୍ଡୀ ଫୁଲରେ ମଣ୍ଡି ହୋଇଥାଏ। କବି ପ୍ରାଣରେ ଭରିଯାଏ ନୂଆ ପୁଲକ। ଗାଁ ଠୁ ସହର, ସବୁଠି ଲୋକମାନେ ଥାନ୍ତି ନିଜ ନିଜର ପ୍ରସ୍ତୁତିରେ।

ଏଥର ଦୁର୍ଗାପୂଜା ଅବସରରେ ଓଡ଼ିଶାର ଦୁର୍ଗାପୂଜାକୁ ନେଇ ଉତ୍ତୋଳିତ କିଛି ଫଟୋଚିତ୍ର ସହ ଦୁର୍ଗାପୂଜାର ବିଧି ପାଳନ ଓ ଆୟୋଜନ ସମ୍ୱନ୍ଧୀୟ ସମ୍ୟକ ସୂଚନା ଥିବା ଏକ ପୁସ୍ତକ ରଚନା କରିଛନ୍ତି ଭଦ୍ରକର ଚରମ୍ପାରେ ରହୁଥିବା ଓଡ଼ିଆ ଯୁବକ ସଂଗ୍ରାମ କେଶରୀ ସେନାପତି।

ସେ ଓଡ଼ିଶା ଇ-ପତ୍ରିକା ‘ଶୁଭପଲ୍ଲବ’ର ପ୍ରତିଷ୍ଠାତା ଓ ସମ୍ପାଦକ। ଏଇ ଇ-ପତ୍ରିକା ଏବେ ଓଡ଼ିଆ ଭାଷା ବ୍ୟତୀତ ଇଂରାଜୀ, ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ମଧ୍ୟ ଉପଲବ୍ଧ।

ଶ୍ରୀ ସେନାପତି ବାଲେଶ୍ଵର ସ୍ଥିତ ‘ନୋସି’ରେ ଥିବା ଷ୍ଟାର୍ଟ ଅପ୍‌ରେ ଆଇଟି ପରାମର୍ଶଦାତା ଭାବେ କାର୍ଯ୍ୟରତ। ଏଥିସହିତ ଓଡ଼ିଆ ଉଇକିପିଡ଼ିଆରେ ଲଗାତାର ଦୁଇବର୍ଷରୁ ଅଧିକ ସମୟ ଯାଏଁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି ସଂଗ୍ରାମ । ଓଡ଼ିଶାର ଭଦ୍ରକ ଏବଂ କଳାହାଣ୍ଡି ଜିଲ୍ଲାରୁ ସଂଗୃହୀତ କିଛି ଫଟୋଚିତ୍ରକୁ ସଜାଇ ଏକ ପୁସ୍ତକର ରୂପ ଦେଇଛନ୍ତି ସେ। ଓଡ଼ିଶାର ଦୁର୍ଗାପୂଜାର ମୁଖ୍ୟ ସମୟ ହେଉଛି ଷଷ୍ଠୀ ପୂଜାରୁ ଦଶହରା। ତେଣୁ ସେ ଏହି ଦିନଗୁଡ଼ିକୁ ମୁଖ୍ୟତଃ ଦୃଷ୍ଟିରେ ରଖି ଫଟୋଗୁଡ଼ିକ ନେଇ ଏହି ଫଟୋବୁକ୍ ପ୍ରସ୍ତୁତ କରିଛନ୍ତି।ଏହା ଏବେ ଆମାଜନ୍‌ର କିଣ୍ଡଲ୍ ରେ ଉପଲବ୍ଧ। ସର୍ବନିମ୍ନ ମୂଲ୍ୟ ୬୯ଟଙ୍କାରେ ଏହି ବହିଟି କିଣ୍ଡଲରେ ମିଳିପାରୁଛି।

ଯେହେତୁ ବହିଟି ଓଡ଼ିଆରେ ରଚିତ ହୋଇଛି ଏବଂ ଦୁର୍ଗାପୂଜା ସମ୍ବନ୍ଧୀୟ ତଥ୍ୟ ଏଥିରେ ଉଲ୍ଲେଖ ରହିଛି, ସୁତରାଂ, ସପ୍ତମୀ ପୂଜା ଠାରୁ ଦଶହରା ଯାଏଁ ଏହି ବହିଟିକୁ ଆପଣମାନେ କିଣ୍ଡଲରୁ ମାଗଣାରେ ପାଇପାରିବେ ବୋଲି ସଂଗ୍ରାମ ‘ଓଡ଼ିଆ ବାର୍ତ୍ତା’କୁ ସୂଚନା ଦେଇଛନ୍ତି।

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.