ସୋନପୁର,୭/୧୦ : ଆଶ୍ୱିନ ଅମାବାସ୍ୟା ଠାରୁ ଆରମ୍ଭ ହୋଇ ଦୀର୍ଘ ୧୫ ଦିନ ବ୍ୟାପି ଚାଲିଥିବା ବଳିଯାତ୍ରାର ମୁଖ୍ୟ ଆକର୍ଷଣ ମହାବଳି ଯାତ୍ରା ବା ନବମୀବଳି ରାତିର ଦ୍ୱିତୀୟ ପ୍ରହରରୁ ଖମ୍ବେଶ୍ୱରୀ ମନ୍ଦିରରେ ଆରମ୍ଭ ହୋଇଥିଲା । ବିଧି ଅନୁଯାୟୀ ବରୁଆକୁ ରାଜ ପୁରୋହିତଙ୍କ ଦ୍ୱାରା କଟା ଯାଇଥିବା ଯନ୍ତ୍ର ଉପରେ ଶବାସନରେ ରଖାଯାଇଥାଏ । ବରୁଆଙ୍କ ଦେହରେ କ୍ରମଶଃ କମ୍ପନ ସୃଷ୍ଟି ହୋଇ ଦେବୀ ଆବିର୍ଭାବ ହୋଇଥାନ୍ତି । ପରେ ବରୁଆ ଉନ୍ମକ୍ତ ହୋଇ ଖମ୍ବେଶ୍ୱରୀ ମନ୍ଦିରରେ ନୃତ୍ୟ କରିଥାନ୍ତି । ବିଭିନ୍ନ ଢଙ୍ଗରେ ନୃତ୍ୟ କରି ବରୁଆ ସାତଥର ଖମ୍ବେଶ୍ୱରୀ ମନ୍ଦିରରୁ ଫେରିବା ପରେ ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥାନ୍ତି । ସେଠାରେ ରାଜ ପୁରୋହିତଙ୍କ ଦ୍ୱାରା ବରୁଆଙ୍କ ଚୂଳ ବନ୍ଧା ଯିବାର ବିଧି କାହିଁ କେଉଁ ରାଜାରାଜୁଡା ଅମଳରୁ ରହିଛି । ତେବେ ସୁରେଶ୍ୱରୀଙ୍କ ଠାରେ ଚୂଳ ବନ୍ଧା ଯିବା ପରେ ବରୁଆ ମାଁ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ସେଠାରେ ପୁଜାର୍ଚ୍ଚନା କରିବା ପରେ ରାଜ ଉଆସ ଆଗରେ ଥିବା ବେଦୀ ଚଉଁରାରେ ବରୁଆଙ୍କ ଗୋଡ ଧୁଆଯାଇଥାଏ । ତେବେ ସୁବର୍ଣ୍ଣପୁରର ଏହି ପ୍ରସିଦ୍ଧ ବଳିଯାତ୍ରା ପାଇଁ ଜିଲା ଦେବୋତ୍ତର ବିଭାଗ, ବଳିଯାତ୍ରା ପରିଚାଳନା କମିଟି, ଖମ୍ବେଶ୍ୱରୀ ମନ୍ଦିର ପରିଚାଳନା କମିଟି, ଜିଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।






