ଗଳ୍ପ ପାଇଁ ବାଲେଶ୍ଵରର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ପାଇବେ ଉଦୟରାଗ ସିଜିନ୍-୨ ସମ୍ମାନ

● ୩୦ ଜଣ ସଫଳ ପ୍ରତିଯୋଗୀ ହେବେ ସମ୍ମାନିତ
● ୩୦ ଜଣଙ୍କ ମନୋନୀତ ଲେଖାକୁ ନେଇ ଟାଇମପାସ୍ ଛାପିବ ଉଦୟରାଗ ବହି

ବାଲେଶ୍ଵର,୯/୧୦(କୃଷ୍ଣ କୁମାର ମହାନ୍ତି): ସାମ୍ବାଦିକା ଭାବରେ କାର୍ଯ୍ୟରତ ବାଲେଶ୍ଵରର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଏଥର ସିଜିନ୍-୨ର ଉଦୟରାଗ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ସମ୍ଭ୍ରାନ୍ତ ପ୍ରକାଶନୀ ସଂସ୍ଥା ‘ଟାଇମପାସ୍’ ଗତ ବର୍ଷରୁ ଆରମ୍ଭ କରିଛି ୩୦ ବର୍ଷରୁ କମ୍ ବୟସର ଲେଖକଲେଖିକାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଇ ‘ଉଦୟରାଗ’ ଆୟୋଜନ। ଚଳିତ ବର୍ଷ ଗଳ୍ପ ଓ କବିତା ବିଭାଗରେ ସର୍ବମୋଟ ତିରିଶ ଜଣ ଲେଖକଲେଖିକା ଚୟନିତ ହୋଇଛନ୍ତି। ପ୍ରତ୍ୟାଶା ଗଳ୍ପ ବିଭାଗରେ ମନୋନୀତ ହୋଇଥିବା ବେଳେ ତାଙ୍କ ଗଳ୍ପ ଟି ପ୍ରକାଶ ପାଇବ ଉଦୟରାଗ ସଂକଳନରେ।

ଆସନ୍ତା ଅକ୍ଟୋବର ୨୦ ତାରିଖ ଦିନ ଭୁବନେଶ୍ୱର ଠାରେ ଆୟୋଜିତ ହେଉଛି ‘ଉତ୍-ସାହିତ୍ୟ’ ନାମରେ ଏକ ସୃଜନ ସମାବେଶ। ଏହି ସମାବେଶରେ ପ୍ରତ୍ୟାଶା ସମ୍ମାନ ଗ୍ରହଣ କରିବେ ବୋଲି ଜଣାପଡିଛି। ଏଥିସହ ସେଦିନ ‘ଉଦୟରାଗ-୨’ ନାମରେ ଏକ ସଂକଳନ ମଧ୍ୟ ଉନ୍ମୋଚିତ ହେବ ଯେଉଁଥିରେ ରହିବ ତିରିଶ ଜଣ ବିଜୟୀ ସ୍ରଷ୍ଟାଙ୍କ ଲେଖା ମାନ।

“ଏ ସମସ୍ତ ଆୟୋଜନ ପଛରେ ନୂଆପିଢି ଲେଖକଙ୍କୁ ପରିଚିତି ଦେବା ସହିତ ସେମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ରହିଛି” ବୋଲି ‘ଟାଇମପାସ୍’ର ନିର୍ଦ୍ଦେଶକ ତଥା ସୁଲେଖକ ସରୋଜ ବଳ ‘ଓଡ଼ିଆ ବାର୍ତ୍ତା’କୁ ସୂଚନା ଦେଇଛନ୍ତି।

ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିବା ପ୍ରତ୍ୟାଶା ପ୍ରିୟମ୍ବଦା ବରିଷ୍ଠ ଲେଖକ କୃଷ୍ଣ କୁମାର ମହାନ୍ତି ଓ ମମତା ପ୍ରିୟଦର୍ଶିନୀ ଙ୍କ କନ୍ୟା ଅଟନ୍ତି। ସମ୍ପ୍ରତି ସେ ‘ସମ୍ବାଦ’ର ବାଲେଶ୍ଵର ସଂସ୍କରଣରେ ସିଟି ରିପୋର୍ଟର୍ ଭାବେ ଅବସ୍ଥାପିତା।

“ମୁଁ ଗଳ୍ପ ଲେଖା ପ୍ରତି ଆରମ୍ଭରୁ ଆଗ୍ରହୀ ଥିଲେ ହେଁ, ସାମ୍ବାଦିକତା କରିବା ପରେ ଲେଖିବାର ସୁଯୋଗ ଓ ପ୍ରେରଣା ପାଇଲି” ବୋଲି ସୂଚନା ଦେଇଛନ୍ତି। ତାଙ୍କର ଗଳ୍ପ ‘ସର୍ବସାଧାରଣ’, ‘କଥାକଳିକା’ ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶ ପାଇ ଆଦୃତ ହୋଇଛି। ମାନବିକତାର ଅବକ୍ଷୟ, ପ୍ରେମରେ ଛଳନା ଆଦି ତାଙ୍କ ଗଳ୍ପର ବିଷୟବସ୍ତୁ ବୋଲି ସେ କହନ୍ତି। ତାଙ୍କର ଏ ସଫଳତାରେ ବାଲେଶ୍ଵରର ସୃଜନମହଲରେ ଆନନ୍ଦ ପ୍ରକାଶ ପାଇଛି।

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.