ସମାଜସେବୀ ଅମରସିଂ ଓ୍ଵାଲିଆ ଦାବି କଲେ ଜଗନ୍ନାଥ ଧାମରୁ ଅମୃତସର ପାଇଁ ନୂଆ ଟ୍ରେନ୍

● ଓଡ଼ିଆ ଓ ଶିଖଙ୍କ ମଧ୍ୟରେ ଗଢିଉଠିବ ସୁସମ୍ପର୍କ
● ଗୁରୁ ନାନକଙ୍କ ୫୫୦ତମ ଜନ୍ମଦିନ ପାଇଁ ହେବ ବଡ ଉପହାର

ବାଲେଶ୍ଵର,୧୫/୧୦(କୃଷ୍ଣ କୁମାର ମହାନ୍ତି): ଓଡିଶା ଓ ଓଡିଆଙ୍କ ସହିତ ଶିଖ୍ ମାନଙ୍କର ରହିଆସିଛି ଏକ ସମୃଦ୍ଧ ସମ୍ପର୍କ। ବିଶେଷ କରି ପୁରୀର ଜଗନ୍ନାଥ ମନ୍ଦିର ଓ ଶ୍ରୀକ୍ଷେତ୍ରକୁ ଶିଖ୍ ଧର୍ମଗୁରୁଙ୍କ ଆଗମନ ଏହି ସମ୍ପର୍କକୁ କରିଛି ସୁଦୃଢ। ପବିତ୍ର ଏହି ଦୁଇ ଧର୍ମପୀଠ ପୁରୀ ଓ ଅମୃତସର ମଧ୍ୟରେ ସିଧାସଳଖ ଏକ ନୂଆ ସୁପରଫାଷ୍ଟ୍ ଟ୍ରେନ୍ ଚଳାଚଳ କରିବାର ଆବଶ୍ୟକତାକୁ ଅନୁଭବ କରି ନିକଟରେ ବାଲେଶ୍ଵର ଗୁରୁଦ୍ଵାର ସିଂସଭାର ସଭାପତି ଅମରସିଂ ଓ୍ଵାଲିଆ କେନ୍ଦମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ଵର ସର୍କିଟ୍ ହାଉସ୍’ରେ ଭେଟିଛନ୍ତି।

ଗୁରୁ ନାନକଙ୍କ ୫୫୦ତମ ଜନ୍ମଦିନ ପଡୁଥିବାରୁ ‘ଗୁରୁ ନାନକ ସୁପରଫାଷ୍ଟ୍ ଏକ୍ସପ୍ରେସ୍’ ନାମରେ ନାମିତ କରି ଏକ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ପୁରୀ ଓ ଅମୃତସର ମଧ୍ୟରେ ଭାୟା ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର ଏବଂ ଖଡଗପୁର ବାଟେ ଚଳାଚଳ କରାଯିବା ବିଷୟରେ ମନ୍ତ୍ରୀଙ୍କ ସହ ଶ୍ରୀ ଓ୍ଵାଲିଆ ଆଲୋଚନା କରିଛନ୍ତି। ଶିଖ୍ ସମୁଦାୟଙ୍କ ପକ୍ଷରୁ ଏପରି ଏକ ଟ୍ରେନର ଅଭାବ ବରାବର ଥିବାବେଳେ ଏବେ ଏହା ଆରମ୍ଭ କରିବାକୁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି।

ଦୁଇ ଧାର୍ମିକ ପୀଠକୁ ଏହା ସଂଯୋଗ କରିବା ସହ ପୁରୀକୁ ଆସିବା ପାଇଁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଏହା ବେଶ୍ ଉପଯୋଗୀ ହେବ। ବହୁବର୍ଷ ଧରି ଓଡିଶାବାସୀ ଓ ଓଡିଶାରେ ରହୁଥିବା ଶିଖ୍ ଭାଇଭଉଣୀଙ୍କର ଏହା ଏକ ଅତ୍ୟନ୍ତ ଯଥାର୍ଥ ଦାବି ଭାବେ ରହିଆସିଥିଲେ ହେଁ ଏଥିପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି। ସୁତରାଂ ଗୁରୁ ନାନକ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ପୁରୀ ଓ ଅମୃତସର ମଧ୍ୟରେ ଆରମ୍ଭ କରିବାର ଦାବି ଯଥାର୍ଥ ବୋଲି ସାଧାରଣରେ ଆଲୋଚନା ହେଉଛି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.