କଳାହାଣ୍ଡି,୧୬/୧୦ (ନବୀନ କିଶୋର ସାହୁ) : ସନାତନ ଧର୍ମଧାରାରେ ସୃଷ୍ଟର ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅର୍ଦ୍ଧାଙ୍ଗିନୀ ମହାମାୟା ‘ଲକ୍ଷ୍ମୀ’ ଙ୍କ ଯଥେଷ୍ଟ ଗୁରୁତ୍ବ ରହି ଆସିଛି । ଲକ୍ଷ୍ମୀଙ୍କ ଅଷ୍ଟ ସ୍ବରୂପ ମଧ୍ୟରୁ ଗଜଲକ୍ଷ୍ମୀ ଅନ୍ୟତମ । ଦେବୀ ଧନ ସମ୍ପଦ, ସୌଭାଗ୍ୟ ଓ ଐଶ୍ଚର୍ଯ୍ୟର ମୂତ୍ତିମନ୍ତ ସ୍ବରୂପ ଭାବେ ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହୋଇଛନ୍ତି । ଶରତ ପୂର୍ଣ୍ଣିମାରେ ଦେବୀଙ୍କ ଆବାହନ କରାଯାଏ । ବୈଦିକ ଧାରା ଅନୁସାରେ ଦେବୀ ପୂଜିତ ହୋଇଥାନ୍ତି ।
ଓଡିଶାର ବିଭିନ୍ନ ପ୍ରାନ୍ତରେ ଗଜଲକ୍ଷ୍ମୀ ପୂଜା ବେଶ ଧୁମଧାମରେ ପାଳିତ ହେଉଥିବାବେଳେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସରଗୁଲ ମାଲପଡା, ପୁଟିଗାଁ, ଯୋରାଡବରା ଛକ, ରିଞ୍ଜା, ଝାରମୁଣ୍ଡା, ରିଷିଡା, ବୋରପଦର ଆଦି ଗ୍ରାମ ମାନଙ୍କରେ ଦେବୀଙ୍କ ମୃଣିୟ ମୂର୍ତ୍ତିମାନ ପୂଜା ପାଉଛନ୍ତି ।
ଏହି ବ୍ଲକର ରିଞ୍ଜା ବସ୍ତିର ଗଜଲକ୍ଷ୍ମୀ ପୂଜା ଏଥର ୫୬ ବର୍ଷରେ ପଦାର୍ପଣ କରିଛି । ଆଶ୍ବିନ ଶୁକ୍ଲ ଚତୁର୍ଦଶୀ ଦିନ ଅଧିବାସ ଓ ପୂର୍ଣ୍ଣମୀ ଦିନ ଦେବୀ ଆବାହନ ଏବଂ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏବର୍ଷ ପୂଜା କମିଟି ସଭାପତି ଭାବେ ଚୂଡାମଣୀ ସେଲମା, ସଂପାଦକ ସୁରେଶ ସାହୁ, କର୍ତ୍ତା ନିଳମଣୀ ସାହୁ ଓ ତାଙ୍କ ଧର୍ମ ପତ୍ନୀ ନିଳାବତୀ ସାହୁ ଗୁରୁ ଦାଇତ୍ବ ନିର୍ବାହ କରୁଛନ୍ତି ।
ଏହି ପୂଜାର ମୁଖ୍ୟ ଆକର୍ଷଣ ପାଳଟିଛନ୍ତି ପାରାୟଣ ଗାୟିକା ସୁଶ୍ରୀ ଝିଲି ସାହୁ । ନୂତନ ଗାୟିକା ହେଲେ ମଧ୍ୟ ତାଙ୍କର ଜାଦୁଗରୀ କଣ୍ଠ ଶ୍ରୋତା ମାନଙ୍କୁ ବାନ୍ଧି ରଖିବାରେ ବେଶ ସହାୟକ ହୋଇପାରୁଛି । ପୂଜା କମିଟି ତରଫରୁ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପୂଜା ଓ ବିଭିନ୍ନ କାର୍ଯ୍ୟ କାର୍ଯ୍ୟକ୍ରମରେ ଉଜ୍ବଳ କୁମାର ସାହୁ, ପ୍ରଶନ୍ନ କୁମାର ସାହୁ, ଅରବିନ୍ଦ ସାହୁ, ସୁରଥ ସାହୁ, ସନ୍ତୋଷ ସାହୁ, ଝାଜ ସାହୁ, ପିଣ୍ଟୁ ସାହୁ, ଫଗନୁ ସାହୁଙ୍କ ସହ ରିଞ୍ଜା ଗ୍ରାମବାସୀ ସହଯୋଗ କରୁଛନ୍ତି।