‘ଉଦୟରାଗ ସିଜିନ୍-୨ ସମ୍ମାନ’ ଗ୍ରହଣ କଲେ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି

୩୦ ବର୍ଷରୁ କମ୍ ୨୪ ଜଣ ଉପସ୍ଥିତ ସ୍ରଷ୍ଟା ହେଲେ ସମ୍ମାନିତ

ବାଲେଶ୍ଵର,୨୫/୧୦ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଗଳ୍ପ ନିମନ୍ତେ ଗତ ରବିବାର ଦିନ ସିଜିନ୍-୨ର ‘ଉଦୟରାଗ ସମ୍ମାନ’ ଗ୍ରହଣ କରିଛନ୍ତି। ଏକକ ଅତିଥି ଭାବେ ସ୍ଵନାମଧନ୍ୟ କଥାକାର ଓ କବି ଦେବଦାସ ଛୋଟରାୟ ଉପସ୍ଥିତ ରହି ନବପିଢି ଗାଳ୍ପିକା ପ୍ରତ୍ୟାଶାଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

ସମ୍ଭ୍ରାନ୍ତ ପ୍ରକାଶନୀ ସଂସ୍ଥା ‘ଟାଇମପାସ୍’ ପ୍ରଯୋଜିତ ‘ଉତ୍-ସାହିତ୍ୟ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଟାଇମପାସ୍ ନିର୍ଦ୍ଦେଶକ କବି ସରୋଜ ବଳଙ୍କ ପରିଚାଳନାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ମନୋନୀତ ସମୁଦାୟ ୩୦ ଜଣଙ୍କ ଭିତରୁ ଉପସ୍ଥିତ ଥିବା ୨୪ ଜଣ ଏହି ସମ୍ମାନ ଗ୍ରହଣ କରି ଉତ୍ସାହିତ ହୋଇଥିଲେ।

‘ଟାଇମପାସ୍’ ଗତ ବର୍ଷରୁ ଆରମ୍ଭ କରିଛି ୩୦ ବର୍ଷରୁ କମ୍ ବୟସର ଲେଖକଲେଖିକାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଇ ‘ଉଦୟରାଗ’ର ଆୟୋଜନ। ଚଳିତ ବର୍ଷ ଗଳ୍ପ ଓ କବିତା ବିଭାଗରେ ସର୍ବମୋଟ ତିରିଶ ଜଣ ଲେଖକଲେଖିକା ଚୟନିତ ହୋଇଥିଲେ। ପ୍ରତ୍ୟାଶା ଗଳ୍ପ ବିଭାଗରେ ମନୋନୀତ ହୋଇଥିବା ବେଳେ ତାଙ୍କ ଗଳ୍ପ ଟି ପ୍ରକାଶ ପାଇବ ‘ଉଦୟରାଗ’ ସଂକଳନରେ।

“ଏ ସମସ୍ତ ଆୟୋଜନ ପଛରେ ନୂଆପିଢି ଲେଖକଙ୍କୁ ପରିଚିତି ଦେବା ସହିତ ସେମାନଙ୍କୁ ଉତ୍ସାହିତ କରିବାର ଲକ୍ଷ୍ୟ ରହିଛି” ବୋଲି ‘ଟାଇମପାସ୍’ର ନିର୍ଦ୍ଦେଶକ ତଥା ସୁଲେଖକ ସରୋଜ୍ ବଳ ସୂଚନା ଦେଇଛନ୍ତି।

ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିବା ପ୍ରତ୍ୟାଶା ପ୍ରିୟମ୍ବଦା ବରିଷ୍ଠ ଲେଖକ କୃଷ୍ଣ କୁମାର ମହାନ୍ତି ଓ ମମତା ପ୍ରିୟଦର୍ଶିନୀ ଙ୍କ କନ୍ୟା ଅଟନ୍ତି। ସମ୍ପ୍ରତି ସେ ‘ସମ୍ବାଦ’ର ବାଲେଶ୍ଵର ସଂସ୍କରଣରେ ସିଟି ରିପୋର୍ଟର୍ ଭାବେ ଅବସ୍ଥାପିତା।

“ପ୍ରଥମ ଥର ଏପରି ଏକ ଭବ୍ୟ ଉତ୍ସବରେ ପୁଣି ଏକକ ଅତିଥି ଦେବଦାସ ସାର୍ ଙ୍କ ଠାରୁ ସମ୍ମାନ ପାଇବା ମୋ ପାଇଁ ଅପ୍ରତ୍ୟାଶିତ ଓ ସ୍ମରଣୀୟ ବି। ମୁଁ ଏପରି ଉତ୍ସବ ଦ୍ଵାରା ସତରେ ପ୍ରେରଣା ପାଇଛି। ଆମମାନଙ୍କ ପାଇଁ ଏହା ଏକ ସୁନ୍ଦର ପ୍ଲାଟଫର୍ମ” ବୋଲି ପ୍ରତ୍ୟାଶା କହିଛନ୍ତି। ଗଳ୍ପରେ ମାନବିକତାର ଅବକ୍ଷୟ ଏବଂ ପ୍ରେମରେ ଛଳନା ଭଳି ବିଷୟବସ୍ତୁକୁ ନେଇ ଗପ ଲେଖୁଥିବା ଆଗାମୀ ଦିନରେ ଗପଲେଖାରେ ଅଧିକ ମନୋନିବେଶ କରିବେ ବୋଲି ସେ କହନ୍ତି। ତାଙ୍କର ଏ ସଫଳତା ବାଲେଶ୍ଵର ପାଇଁ ଗୌରବ ବୋଲି ତାଙ୍କ ଶୁଭେଚ୍ଛୁ ମାନେ କହିଛନ୍ତି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.