ଜିଲ୍ଳା ଅବକାରୀ ବିଭାଗର ସ୍ଥାଣୁତା
ଜିିଲ୍ଳାପାଳଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଓ ଅବକାରୀ ବିଭାଗର ତଦନ୍ତ ଆରମ୍ଭ
ରାୟଗଡ,୨/୧୧ : ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ଦେଶୀ ରନ୍ଧାମଦ ବିକ୍ରି କାରାବାର । ଯାହାକୁ ନେଇ ଉଭୟ ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି । ରାୟଗଡ ଜିଲ୍ଳା କଳ୍ୟାଣସିଂହପୁର ବ୍ଳକ ଧାମୁଣିପଙ୍ଗା ପଂଚାୟତର ଢେପାଗୁଡା ଗ୍ରାମର ଦାନଫୁଲ ହୁଇକା(୬୫)ବିଷାକ୍ତ ରନ୍ଧା ମଦ ପିଇ ମୃତ୍ୟୁ କରିଥିବା ବେଳେ ଏହି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଘଟଣାକୁ ନେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ମାଗିବା ପରେ ଅବକାରୀ ଓ ସ୍ୱାସ୍ତ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଗତ ଶୁକ୍ରବାର ଦିନ ଢେପାଗୁଡା ଗ୍ରାମର ଦାନଫୁଲ ହୁଇକା ଅପରାହ୍ନ ୫ଘଂଟା ସମୟରେ କାଠ ଧରି ବିକ୍ରି କରିବା ପାଇଁ କତାଗୁଡା ଗ୍ରାମକୁ ଯାଇଥିଲେ । ସେହିଠାରେ କାଠ ବିକ୍ରି କରି ସେହି ପଇସାରେ ମଦ ପିଇଥିଲେ । ଯାହାଫଳରେ ମଦ ପିଇଥିବା ଯୋଗୁଁ ଦାନଫୁଲକୁ ଗୁରୁତର ଭାବେ ପେଟବ୍ୟଥା ଆରମ୍ଭ ହେବାରୁ ସେ ଛଟପଟ ହୋଇ ଘରେ ପଡି ରହିଥିବା ବେଳେ ପରିବାର ଲୋକେ କେହି ମଧ୍ୟ ଘରେ ନ ଥିଲେ । କିଛି ସମୟ ପରେ ସେ ଝାଡାବାନ୍ତିରେ ମଧ୍ୟ ଆକ୍ରାନ୍ତ ହୋଇ ରାତ୍ର ତମାମ ଗୁରୁତର ହୋଇ ପଡି ରହିଥିଲେ । ତେବେ ପରିବାର ଲୋକେ ଘରକୁ ଆସିବା ପରେ ଅପରାହ୍ନ ୨ଟା ସମୟରେ ଚିକିତ୍ସାଳୟକୁ ନେବା ପାଇଁ ବ୍ୟବସ୍ଥା କରୁଥିବା ସମୟରେ ଦାନଫୁଲଙ୍କ ମୃତ୍ୟୁ ହୋଇଯାଇଥିଲା । ଅବକାରୀ ବିଭାଗର ସ୍ଥାଣୁତା ତଥା ଚଢାଉ ଜାରି ହେଉ ନ ଥିବାରୁ ଏହି ଅଂଚଳଗୁଡିକରେ ବ୍ୟାପକ ପରିମାଣରେ ଚୋରା ମଦ ବ୍ୟବସାୟୀମାନେ ଘଂଚ ଜଙ୍ଗଲର ଫାଇଦା ଉଠାଇ ଦେଶୀ ରନ୍ଧାମଦ ପ୍ରସ୍ତୁତ କରି ବେଆଇନ ଭାବେ ବିକ୍ରି କରୁଥିବାରୁ ଏହାକୁ ପିଇ ନିରୀହ ଲୋକେମାନେ ମୃତ୍ୟୁମୁଖରେ ପଡୁଛନ୍ତି ଏବଂ ଦାନଫୁଲର ମୃତ୍ୟୁ ପାଇଁ ମଧ୍ୟ ଅବକାରୀ ବିଭାଗ ହିଁ ଦାୟୀ ବୋଲି ପରିବାର ଲୋକ ଓ ଗ୍ରାମର ଜାଣ୍ଡୁ ପ୍ରେପକା,ନରି ହୁଇକା ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିପରି ଗୁରୁବାର ଦିନ ନାରାୟଣପୁର ପଂଚାୟତର ଶିରିପୁର ଗ୍ରାମର ୫ଜଣ ଓ ଶୁକ୍ରବାର ଦିନ ଧାମୁଣିପଙ୍ଗା ପଂଚାୟତର କୁଲୁମୁହିଁ ଗ୍ରାମର ୱାନ୍ଦଲାକା ବିଶ୍ୱନାଥ (୫୦) ଓ ଓନ୍ଦାଲାକା ବଳରାମ (୫୫) ସେହି କତାଗୁଡା ଗ୍ରାମରେ ବିକ୍ରି ହେଉଥିବା ବିଷାକ୍ତ ମଦ ପିଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ତେବେ ଶିିରିପୁର ଗ୍ରାମର ୫ଜଣ ସୁସ୍ଥ ହୋଇ ଗ୍ରାମକୁ ଫେରିଥିବା ବେଳେ କୁଲୁମୁହିଁ ଗ୍ରାମର ବଳରାମର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ କୋରାପୁଟକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ରେଫର କରିଥିବା ବେଳେ ଆର୍ଥିକ ଅନଟନରେ ରହିଥିବା ପରିବାର କୋରାପୁଟ ନ ଯାଇ ରାୟଗଡରେ ହିଁ ଚିକିତ୍ସିତ ହେଉଥିବା ଜଣାପଡିଛି । ବିଷାକ୍ତ ମଦ ପିଇ ଗୁରୁତର ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଳାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ କ୍ରମେ ଶନିବାର ଦିନ ଅତିରିକ୍ତ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୈାଧୁରୀ, ଡାକ୍ତର ମମତା ସାହୁ,କୋଲ୍ଳଳ ଦାସ ପ୍ରମୁଖ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଂହଚି ମଦ ମୃତ୍ୟୁର କାରଣ ସହ ଆକ୍ରାନ୍ତମାନେ କେବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ ଏବଂ କେବେ ଓ କେଉଁ ସମୟରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ ସେ ବିଷୟରେ ପଚାରି ବୁଝିବା ସହ ମୃତ୍ୟୁବରଣ କରିଥିବା ଦାନଫୁଲ ଘରକୁ ଗସ୍ତ କରି ପରିବାରଙ୍କ ସହ ଆଲୋଚନା କରି ସମସ୍ତ ବିଷୟ ପଚାରି ବୁଝିଥିଲେ । ଅନ୍ୟପଟେ ଅବକାରୀ ବିଭାଗର ରାୟଗଡ ସଦର ଥାନା ଅଧିକାରୀ ଦିଲିପ କୁମାର ଗୈାଡଙ୍କ ସହ କଲ୍ୟାଣସିଂହପୁର ଓଆଇସି ଭୈରବ ପ୍ରସାଦ ଗନ୍ତାୟତ, କଲ୍ୟାଣସିଂହପୁର ଥାନା ଏସ.ଆଇ.ରଂଜନ ନାଗଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଧାମୁଣିପଙ୍ଗାର କତାଗୁଡା ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମଗୁଡିକରେ ପେଟ୍ରୋଲିଂ କରି ଚଢାଉ ଜାରି ରଖିଛନ୍ତି । କତାଗୁଡା ଗ୍ରାମ ଠାରୁ ବହୁ ଦୂରସ୍ଥାନରୁ କିଛି ଡ୍ରମରେ ମହୁଲି ପୋଚ ଦେଖିବାକୁ ପାଇ ତାକୁ ନଷ୍ଟ କରି ଦିଆଯାଇଥିବା ବେଳେ ଅବକାରୀ ବିଭାଗର ଚଢାଉ ସଂପର୍କରେ ପୂର୍ବରୁ ଗ୍ରାମବାସୀମାନେ ସୂଚନା ପାଇ ସତର୍କ ହେଇ ଯାଉଥିବାରୁ ଚଢାଉ ସମୟରେ କିଛି ମିଳୁ ନ ଥିବା ଶ୍ରୀ ଗୈାଡ ପ୍ରକାଶ କରିଛନ୍ତି । ବର୍ତମାନ କତାଗୁଡା ଗ୍ରାମରେ ଯେତେ ବ୍ୟକ୍ତି ମଦ ପିଇଛନ୍ତି ସମସ୍ତେ ଆକ୍ରାନ୍ତ ହୋଇଥିବା ବେଳେ ଦେବଗିରୀ ନୂଆସାହି,ଶିରିପୁରର ୫ଜଣ, ଧାମୁଣିପଙ୍ଗା ପଂଚାୟତ ଇନ୍ତାଲିଗୁଡା ଗ୍ରାମର ହିକକା ସିନା, ହିକକା କାମଙ୍ଗି, କୁନାକା ସୁଶାନ୍ତ, ସାରକା ତାଉଟି, କୁନାକା ଲଚ୍ଛା ସମେତ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅପରପକ୍ଷେ କଲ୍ୟାଣସିଂହପୁର ବ୍ଳକର ବିଭିନ୍ନ ଅଂଚଳରେ ଗତ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ କଲ୍ୟାଣସିଂହପୁର ଅବକାରୀ ଷ୍ଟେସନର ଓଆଇସି ଶ୍ରୀ ଗନ୍ତାୟତଙ୍କ ନେତୃତ୍ୱରେ ୩୫ଟି କେସ ପଂଜୀକୃତ ହୋଇଥିବା ବେଳେ ଚୋରା ମଦ ବ୍ୟବସାୟ କରୁଥିବା ୨୦ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୫୭୫୦ଲିଟର ପୋଚ, ୪୯୫ଲିଟର ଦେଶୀ ରନ୍ଧା ମଦ ଓ ୮ଲିଟର ବିଦେଶୀ ମଦ ଜବତ କରାଯାଇଥିବା ଅବକାରୀ ବିଭାଗ ରିପୋର୍ଟ କହୁଛି ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
—————————————————–