ଫୁଲମେ ମାଝୀଙ୍କୁ ଦେବଗିରି ସମାଜସେବା ସମ୍ମାନ

୧୦ରୁ କୁମାରସ୍ୱାମୀ ମହୋତ୍ସବ

ସମ୍ବର୍ଦ୍ଧିତ ହେବେ ୧୪ ଜଣ ସାମ୍ବାଦିକ

କଳାହାଣ୍ଡି,୪/୧୧: ଏବର୍ଷର ମର୍ଯ୍ୟାଦାଜନକ ଦେବଗିରି ସମାଜସେବା ସମ୍ମାନ ପାଇବେ ଯୁବ ସମାଜସେବୀ ସୁଶ୍ରୀ ଫୁଲମେ ମାଝୀ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ୧୦ରୁ ୧୩ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ।

ଦୁର୍ଗମ ଲାଞ୍ଜିଗଡ଼ ବ୍ଲକରେ ଦୀର୍ଘ ବର୍ଷ ଧରି ମହିଳାମାନଙ୍କ ଅଧିକାର ପାଇଁ ସଂଘର୍ଷରତ ମହିଳା ହେଉଛନ୍ତି ଫୁଲମେ ମାଝୀ । ୩ ମାର୍ଚ୍ଚ ୧୯୮୨ରେ ବନ୍ଧପାରୀ ପଞ୍ଚାୟତର ରାଜେନ୍ଦ୍ରପୁର ଗ୍ରାମରେ ଜନ୍ମିତ ଫୁଲମେ ମହିଳାମାନଙ୍କୁ ସଂଗଠିତ କରି ଲାଞ୍ଜିଗଡ଼ ବ୍ଲକ୍ର ବିଭିନ୍ନ ଅଂଚଳରେ ସାମାଜିକ ସତେଚନତା, ମଦ ବିରୋଧୀ ଆନ୍ଦୋଳନ ସହ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ସମଗ୍ର ମହିଳା ସମାଜ ପାଇଁ ଆଦର୍ଶ ସାଜିଛନ୍ତି । ଘନ ବନାନୀ ମଧ୍ୟରେ ଥିବା ସେଇ ଅଂଚଳରେ ଯେଉଁ ସମୟରେ ଲୋକେ ନାରୀଶିକ୍ଷାକୁ ନାକ ଟେକୁଥିଲେ, ସେଭଳି ସମୟରେ ନିଜସ୍ୱ ଉଦ୍ୟମରେ ପାଠ ପଢ଼ି ସମାଜସେବାକୁ ବ୍ରତ କରିନେଇଥିଲେ ଫୁଲମେ । ବିଭିନ୍ନ ସାମାଜିକ ଆନ୍ଦୋଳନରେ ସାମିଲ ହେବା ସହ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରି ସେ ଅଂଚଳର ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାହାକୁ ଆଧାର କରି ସେ ବନ୍ଧପାରୀ ଗ୍ରାମପଂଚାୟତରେ ଦୁଇଥର ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି । ଦୀର୍ଘକାଳ ସମାଜସେବା ପରେ ସେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ‘ପରିବର୍ତ୍ତନ’ ଗଠନ କରି ସମଗ୍ର କଳାହାଣ୍ଡି ଜିଲ୍ଲାର ପଂଚାୟତ ସ୍ତରୀୟ ପ୍ରତିନିଧିମାନଙ୍କୁ ନିଜ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ତାଲିମ ଦେଇଆସୁଛନ୍ତି ।

ନିଜର ଉଲ୍ଲେଖନୀୟ ସମାଜସେବା ପାଇଁ ସେ ଜଣେ ମାଷ୍ଟର୍ ଟ୍ରେନର୍ ଭାବେ ସାରା ଦେଶ ବୁଲିବା ସହ ପରିବେଶ ଆନ୍ଦୋଳନରେ ଯୋଗଦାନ ପାଇଁ ଲଣ୍ଡନ ଯାତ୍ରାର ସୁଯୋଗ ପାଇଛନ୍ତି । ଅନେକ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଥିବାବେଳେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ପୁରସ୍କାର ପାଇଛନ୍ତି । ସେ ସମାଜର ନିମ୍ନବର୍ଗର ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ସଦା ପ୍ରୟାସରତ ଥିବାବେଳେ ନିଜ ପଂଚାୟତରେ ନାରୀଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା, ଖାଦ୍ୟ ସୁରକ୍ଷା, ଜନସଚେତନତା, ଶିଶୁ ଶିକ୍ଷାରେ ଉନ୍ନତି ଦିଗରେ ଅନେକ ସଫଳତା ହାସଲ କରିଛନ୍ତି । ସରଳ ଓ ନିରାଡ଼ମ୍ବର ଜୀବନ ଯାପନ କରୁଥିବା ଫୁଲ୍ମେ ଜନସେବାରେ ବ୍ରତୀ ହୋଇ ନିଜେ ବିବାହ କରିନାହାନ୍ତି । ସମଗ୍ର ଆଦିବାସୀ ଓ ଦଳିତ ଲୋକ ହିଁ ମୋର ପରିବାର, ତେଣୁ ସଂସାର ଗଢ଼ିବାର ଅବକାଶ ନାହିଁ ବୋଲି ମତ ଦିଅନ୍ତି ।

ମହୋତ୍ସବ ଅବସରରେ ଚାରିଦିନ ବ୍ୟାପି କୁମାର କାର୍ତ୍ତିକେୟଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ଲୋକକଳା ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସମାଜସେବା ସମେତ ସାହିତ୍ୟ, ସାମ୍ବାଦିକତା, ନାଟ୍ୟ, କଳା, କୃଷି, ଶିଳ୍ପୀ, ଦେଶସେବା ଆଦି କ୍ଷେତ୍ରରେ ଦେବଗିରି ସମ୍ମାନ ପ୍ରଦାନ କରାଯିବ । ଖୁବଶୀଘ୍ର ଅନ୍ୟାନ୍ୟ ସମ୍ମାନ ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରମେଶ ଚନ୍ଦ୍ର ସା, ପ୍ରତ୍ୟୁଷ ଧଙ୍ଗଡ଼ାମାଝୀ, ମହେନ୍ଦ୍ର ବେହେରା, ଓମ୍ ପ୍ରକାଶ ମାଝୀ ଏବଂ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଦୀପକ ଠାକୁର, ନିରଞ୍ଜନ ଗୌଡ଼, ଲିଙ୍ଗରାଜ ମିଶ୍ର, ମନୋଜ ଷଡ଼ଙ୍ଗୀ, ଅଭିରାମ ନନ୍ଦ, ରାଜକୁମାର ସିଂଦେଓ, ଦୀପକ ମହାନ୍ତି, ଅନୀଲ ଅଗ୍ରୱାଲ, ପ୍ରେମଲାଲ ପଣ୍ଡା, ଭିକାରୀ ଗଉଡ଼, ଅଜୟ ସେନାପତି, ପ୍ରଦୀପ ଗଉଡ଼, ନିକୁଞ୍ଜ ଦତ୍ତା, ସୁମିତ ଶର୍ମା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.