ଅସୁରକ୍ଷିତ ଅବସ୍ଥାରେ ଛାତ୍ରୀ ନିବାସ ଅନ୍ତେବାସିନୀ, ଭରସା ଭଗବାନଙ୍କ ଉପରେ

ରାୟଗଡ ଜିଲ୍ଳାରେ ୬୫ଟି ଛାତ୍ରୀ ନିବାସରେ ନାହାନ୍ତି ମେଟ୍ରୋନ

Omkar Vasthu
Omkar Vasthu

ରାୟଗଡ,୫/୧୧ : ରାୟଗଡ ଜିଲ୍ଳାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଆଶ୍ରମ, ସେବାଶ୍ରମ, ବାଳିକା ଉଚ୍ଚ ବିଦ୍ୟାଳୟ,ଏଜୁକେସନ କଂପ୍ଳେକ୍ସ, ଇଏମଆରଏସ ଓ ଶିକ୍ଷା ବିଭାଗର ବିଭିନ୍ନ ହଷ୍ଟେଲରେ ଅନ୍ତୋବାସୀଭାବେ ରହି ଅଧ୍ୟୟନ କରୁଥିବା ପ୍ରାୟ ୫୦୦୦ରୁ ଉର୍ଦ୍ଧ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଉଠିଛି ବିରାଟ ପ୍ରଶ୍ନବାଚୀ । ହଷ୍ଟେଲରେ ଅନ୍ତେବାସିନୀମାନେ ରହୁଥିଲେ ମଧ୍ୟ ଏମାନଙ୍କର ଯତ୍ନ ଓ ସୁରକ୍ଷା ଦାୟିତ୍ୱ ବୁଝିବା ପାଇଁ ନାହାନ୍ତି ମେଟ୍ରୋନ । ଏ ନେଇ ଜିଲ୍ଳା କଲ୍ୟାଣ ବିଭାଗ ପକ୍ଷରୁ କୈାଣସି ବ୍ୟବସ୍ଥା କରାଯାଇନାହିଁ । ଅନ୍ତେବାସିନୀମାନେ ଅସୁରକ୍ଷିତ ଅବସ୍ଥାରେ ହଷ୍ଟେଲ ଗୁଡିକରେ ରହୁଥିବା ବେଳେ ଏମାନେ ଭଗବାନ ଭରସାରେ ଦିନ କାଟୁଛନ୍ତି । ହଷ୍ଟେଲଗୁଡିକରେ ଛାତ୍ରୀମାନଙ୍କୁ ଶାରୀରିକ ଓ ଯୈାନ ନିର୍ଯ୍ୟାତନା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ପ୍ରତ୍ୟେକ ହଷ୍ଟେଲରେ ଛାତ୍ରୀମାନଙ୍କ ନିରାପତ୍ତା, ତଦାରଖ, ଯତ୍ନ ଓ ସୁରକ୍ଷା ପାଇଁ ଜଣେ ଲେଖାଁଏ ମେଟ୍ରୋନକୁ ନିଯୁକ୍ତ କରାଯାଇଛି । ତେବେ ରାୟଗଡ ଜିଲ୍ଳାରେ ଜିଲ୍ଳା କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାର ଅଭାବ ଓ ବେପାରୁଆ ମନୋଭାବ ଯୋଗୁଁ ଏହି ମେଟ୍ରୋନ ନିଯୁକ୍ତି ହୋଇପାରିନାହିଁ । ଖବରରୁ ଜଣାପଡିଛି ଯେ, ରାୟଗଡ ଜିଲ୍ଳାର ୫୬ଟି ହଷ୍ଟେଲରେ ୬୫ଗୋଟି ମେଟ୍ରୋନ ପଦବୀ ଖାଲି ପଡିଛି । ସେଥିମଧ୍ୟରୁ କାଶିପୁର ବ୍ଳକରେ ସର୍ବାଧିକ ୧୫ଗୋଟି ମେଟ୍ରୋନ ପଦବୀ ଖାଲି ପଡିଥିବା ବେଳେ ରାୟଗଡ ଓ କଲ୍ୟାଣସିଂହପୁର ବ୍ଳକରେ ୮ଟି ଲେଖାଁଏ, କୋଲନରା, ଗୁଣପୁର, ପଦ୍ମପୁର ଓ ଚନ୍ଦ୍ରପୁର ବ୍ଳକରେ ୪ଟି ଲେଖାଁଏ, ରାମନାଗୁଡା ବ୍ଳକରେ ୫ଟି, ବିଷମକଟକ ଓ ମୁନିଗୁଡା ବ୍ଳକରେ ଗୋଟିଏ ଲେଖାଁଏ,ବଗୁଡାରୀ ଏନଏସିରେ ୨ଟି ହଷ୍ଟେଲରେ ଏହି ମେଟ୍ରୋନ ପଦବୀ ଖାଲି ପଡିଛି । ଫଳରେ ହଷ୍ଟେଲଗୁଡିକରେ ମେଟ୍ରୋନଙ୍କ ନ ରହିବା ଯୋଗୁଁ ଛାତ୍ରୀମାନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା, ସୁରକ୍ଷା, ନିରାପତ୍ତା ସୁନିଶ୍ଚିତ କରାଇବା, ପାଠ୍ୟକ୍ରମ ବାହାରେ ଥିବା ଦକ୍ଷତାରେ ଅବଗତ କରାଇବା, ହଷ୍ଟେଲରେ ଖାଦ୍ୟର ମାନ ଯାଂଚ କରିବା, ଅନ୍ତେବାସିନୀମାନଙ୍କୁ ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ପ୍ରୋତ୍ସାହନ କରିବା, ହଷ୍ଟେଲ ପରିସରରେ କୁପରିଚାଳନାକୁ ନିବାରଣ କରିବା, ମେସ୍ ପରିଚାଳନା ଆଦି ବିଷୟଗୁଡିକରେ ଅବ୍ୟବସ୍ଥା ଦେଖାଦେଇଛି । ଏପରିକି ଜିଲ୍ଳାର କେତୋଟି ସ୍କୁଲ ଓ ହଷ୍ଟେଲରେ ଶତାଧିକ ଅନ୍ତେବାସିନୀ ରହୁଥିବା ବେଳେ ସେଠାରେ କୈାଣସି ଶିକ୍ଷୟତ୍ରୀ କିମ୍ବା ମେଟ୍ରୋନ ମଧ୍ୟ ନ ଥିବାର ନଜିର ରହିଛି । ସେଥିପ୍ରତି ଜିଲ୍ଳା କଲ୍ୟାଣ ଅଧିକାରୀ ଦୃଷ୍ଟି ନ ଦେଇ ମେଟ୍ରୋନ ନ ଥିବା ସ୍କୁଲଗୁଡିକରେ ଶିକ୍ଷୟତ୍ରୀମାନଙ୍କୁ ନିଯୁକ୍ତି ଦେଇ ନ ଥିବା ଅଭିଯୋଗ ହେଉଛି । ଚଳିତ ବର୍ଷ ଜିଲ୍ଳା କଲ୍ୟାଣ ଅଧିକାରୀ ଜିଲ୍ଳାପାଳଙ୍କୁ ଅନ୍ଧାରରେ ରଖି ବେପାରୁଆ ଭାବେ ବଦଳି ତାଲିକା ବାହାର କରି ବେସ୍ ଦୁଇ ପଇସା ମୁନାଫା ଉଠାଇଥିବା ଗୁରୁତର ଅଭିଯୋଗ ହେଉଛି । ଜିଲ୍ଳା କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ତ୍ରୁଟି ବିତ୍ରୁଟି ଓ ଅବ୍ୟବସ୍ଥା, ଅନିୟମିତତା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ପାଇଥିବା ଓ ଅଭିଯୋଗ ସ୍ୱତେ ଜିଲ୍ଳା ପ୍ରଶାସନ ଠାରୁ ବିଭାଗୀୟ ସଚିବ ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ରାଜ୍ୟ ସରକାରଙ୍କ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ କଲ୍ୟାଣ ବିଭାଗରେ କିପରି କାର୍ଯ୍ୟକାରି ହେଉଛି ଏଥିରୁ ଅନୁମେୟ । ଅପରପକ୍ଷେ ଜିଲ୍ଳାରେ ମେଟ୍ରୋନ ନିଯୁକ୍ତି ପାଇଁ ଗତ ଅଗଷ୍ଟ ମାସରେ ବିଜ୍ଞପ୍ତି ପ୍ରକାଶ ପାଇ ଗତ ମାସରେ ଆବେଦନକାରୀଙ୍କର ପ୍ରମାଣପତ୍ର ଯାଂଚ ହୋଇଥିଲେ ସୁଦ୍ଧା ଜିଲ୍ଳା କଲ୍ୟାଣ ଅଧିକାରୀ ଆଗ୍ରାଧିକାର ଭିତରେ ମେଟ୍ରୋନ ନିଯୁକ୍ତି ନ କରି କେଉଁ ସ୍ୱାର୍ଥରେ ଫାଇଲକୁ ଚପାଇ ରଖିଛନ୍ତି ତାହା ଜିଲ୍ଳା କଲ୍ୟାଣ ଅଧିକାରୀଙ୍କ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପ୍ରତି ସାଧାରଣରେ ସନ୍ଦେହ ଆହୁରି ବଢିବାରେ ଲାଗିଛି । ହଷ୍ଟେଲରେ ରହୁଥିବା ହଜାର ହଜାର ଅନ୍ତେବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ମେଟ୍ରୋନ ନିଯୁକ୍ତି ପାଇଁ ଜିଲ୍ଳାପାଳ ଓ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Pearl dental clinic
Near Ashish Medical Store, Bhawanipatna
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.