ସମିଉଲ୍ଲା ଖାଁଙ୍କୁ ଦେବଗିରି ଦେଶସେବା ସମ୍ମାନ, ଭଗବାନ ଶିଖା ପାଇବେ କୃଷି ସମ୍ମାନ

କଳାହାଣ୍ଡି,୭/୧୧: ଏବର୍ଷର ମର୍ଯ୍ୟାଦାଜନକ ଦେବଗିରି ଦେଶସେବା ସମ୍ମାନ ପାଇବେ ସେବା ନିବୃତ୍ତ ସୈନିକ ସମିଉଲ୍ଲା ଖାଁ ଓ ଦେବଗିରି କୃଷି ସମ୍ମାନରେ ସମ୍ମାନିତ ହେବେ ସଫଳ ଚାଷୀ ଭଗବାନ ଶିଖା । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ୧୦ରୁ ୧୩ ତାରିଖ ଯାଏଁ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମାଣିକଗୋଡା ଗାଁରେ ଜନ୍ମିତ ସମିଉଲ୍ଲା ଖାଁ କେନ୍ଦ୍ରିୟ ସୁରକ୍ଷା ବଳରେ ଯୋଗଦେଇ ପଞ୍ଜାବ, ଚଣ୍ଡିଗଡ ଆଦି ସ୍ଥାନରେ ସେବା ପ୍ରଦାନ କରିଛନ୍ତି । ଜଣେ ଦକ୍ଷ ସୈନିକ ଭାବେ ଦେଶ ମାତୃକାର ସେବା କରିବାପରେ ୧୯୮୯ରେ ସେବାନିବୃତ ହୋଇଥିଲେ । ବର୍ତ୍ତମାନ ସେ ବିଏସଏନଏଲରେ କାର୍ଯ୍ୟରତ ଅଛନ୍ତି । 

ଦେବଗିରି କୃଷି ସମ୍ମାନ ପାଇଁବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଭଗବାନ ଶିଖା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ମନୋହରପୁର (ଭିର୍କାପଡା)ରେ ଜନ୍ମିତ ଶ୍ରୀଯୁକ୍ତ ଶିଖା ଜଣେ ସଫଳ ଚାଷୀ ଭାବେ ଜଣାସୁଣା । ସେ ତାଙ୍କ କୃଷି କ୍ଷେତ୍ରରେ ଧାନ ଚାଷ ସହ କଦଳୀ, ମୁଗ, ବିରି, ହରଡ, କପା ଆଦି ଅର୍ଥକାରୀ ଫସଳ ଉତ୍ପାଦନକରି ଅନ୍ୟ ଚାଷୀ ମାନଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଳଟିଛନ୍ତି । 

ପୂର୍ବରୁ ଦେବଗିରି ସମାଜସେବା ସମ୍ମାନ, ନାଟ୍ୟ ସମ୍ମାନ ଓ ଶିଳ୍ପୀ ସମ୍ମାନ ଘୋଷିତ ହୋଇଥିବା ବେଳେ ଆଗକୁ ସାହିତ୍ୟ, କଳା ଓ ସାମ୍ବାଦିକତା ସମ୍ମାନ ଘୋଷଣା କରାଯିବ । ଏହି ଅବସରରେ କଳାହାଣ୍ଡିର ପ୍ରଥମ ମହିଳା ପର୍ବତାରୋହୀ ସୁଶ୍ରୀ ଇପ୍ସାମୟୀ ଦୁବେ ଓ ପ୍ରଥମ ଅଧ୍ୟାପିକା ପର୍ବତାରୋହୀ ସୁଶ୍ରୀ ଲିପ୍ସାମୟୀ ଦୁବେଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.