କବି ମନୋଜ ମେହେରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ସାମ୍ବାଦିକତା ସମ୍ମାନ ପାଇବେ ଡମ୍ବରୁ ନାୟକ

କଳାହାଣ୍ଡି,୯/୧୧ : ବିଶିଷ୍ଟ କବି ମନୋଜ ମେହେର ପାଇବେ ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ସାହିତ୍ୟ ସମ୍ମାନ । ମନୋଜ ମେହେର ଓଡ଼ିଆ ସାହିତ୍ୟରେ ଏକ ନିଆରା କାବ୍ୟସ୍ୱର । ପାରମ୍ପରିକ ଧାରାରୁ ଭିନ୍ନ ତାଙ୍କର ଗଦ୍ୟ କବିତା ତାଙ୍କୁ ଦେଇପାରିଛି ଏକ ସ୍ୱତନ୍ତ୍ର ପରିଚୟ । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ରହିଛି ‘ପକ୍ଷୀ’, ‘ଖୋଲାଝର୍କା’, ‘ଅଦ୍ୱିତୀୟ ବ୍ୟକ୍ତିବିଶେଷ’, ‘ଦୁଃଖଫୁଲ’, ‘ତିରିଶ ଭିତରର ମନୋଜ’ ଓ ‘ଜୀବନ ପ୍ରେମିକ’ । କବିତା ପାଠ ଓ କାବ୍ୟ ଆଲୋଚନା ପାଇଁ ସେ କେନ୍ଦ୍ର ସାହିତ୍ୟ ଅକାଦେମୀର ମୁଲାକାତ୍ କାର୍ଯ୍ୟକ୍ରମରେ ଯୋଗଦେବା ସହ ଟ୍ରାଭେଲ୍ ଗ୍ରାଣ୍ଟ ପାଇ ଆସାମ ପରିଭ୍ରମଣ କରିଛନ୍ତି । ସେହିପରି ସାର୍କ୍ ଲେଖକ ସମ୍ମିଳନୀ, ସାର୍କ୍ ଯୁବ ଲେଖକ ସମ୍ମିଳନୀ, ରାଜ୍ୟଗୋଷ୍ଠୀ ଲେଖକ ସମ୍ମେଳନ, କଳିଙ୍ଗ ମେଜିକ୍ ଜାତୀୟ କବିତା କର୍ମଶାଳା ଆଦିରେ ଆମନ୍ତ୍ରିତ କବି ଭାବେ ଯୋଗଦେଇଛନ୍ତି । ସାହିତ୍ୟ ସାଧନା ପାଇଁ ସେ ବସନ୍ତ ମୁଦୁଲି କବିତା ପୁରସ୍କାର, କୈଳାସ ଚନ୍ଦ୍ର ସିଂହ ଯୁବ ସାହିତ୍ୟ ପୁରସ୍କାର, ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, କଳିଙ୍ଗ ଲିଟରେଚର୍ ଫେଷ୍ଟିଭାଲ୍ ପୁରସ୍କାର ଭଳି ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ଶ୍ରୀ ମେହେର ସଂପ୍ରତି ‘ସମାଜ’ କଟକ କାର୍ଯ୍ୟାଳୟରେ ସହ-ସଂପାଦକ ଭାବେ ଅବସ୍ଥାପିତ ।

ସେହିପରି ଦେବଗିରି ସାମ୍ବାଦିକତା ସମ୍ମାନ ପାଇବେ ‘ସମ୍ବାଦ’ର ସୁନ୍ଦରଗଡ଼ ପ୍ରତିନିଧି ଡମ୍ବରୁଧର ନାୟକ । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସମାଜର ନିମ୍ନ ସ୍ତରର ମଣିଷଙ୍କ ପାଇଁ ଲେଖନୀ ଚାଳନା କରି ସେ ନିଜର ସାମାଜିକ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି । ସମ୍ବାଦ ପରିବେଷଣ ସହ କବିତା ରଚନା ତଥା ଦଳିତ ପତ୍ରିକା ‘ଡେର୍ନା’ର ପ୍ରକାଶକ ଭାବେ ସେ ନିଜ ପ୍ରଗତିଶୀଳ ଚେତନାର ପରିଚୟ ଦେଇଛନ୍ତି । ଏଥିସହ ନାଟ୍ୟକାର ତଥା ମଂଚ ଅଭିନେତା ଶରତ ଚନ୍ଦ୍ର ଭୋଇଙ୍କୁ ପ୍ରଦାନ କରାଯିବ ଦେବଗିରି କଳା ସମ୍ମାନ । ଶ୍ରୀ ଭୋଇ ଅନେକ ନାଟକ ରଚନା କରିଥିବାବେଳେ ମଂଚରେ ଅଭିନୟ ଓ ନିର୍ଦ୍ଦେଶନା ତାଙ୍କୁ ଏକ ସ୍ୱତନ୍ତ୍ର ପିରଚିତି ଦେଇଛି । ସେହିପରି ଜଣେ କଳା ସଂଗଠକ ଭାବେ ସେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ।

ନଭେମ୍ବର ୧୦ରୁ ୧୩ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ଆୟୋଜିତ ହେବାକୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ଉପରୋକ୍ତ ସମ୍ମାନ ସମେତ ଦେବଗିରି ସମାଜେସେବା, ନାଟ୍ୟ, କୃଷି, ଶିଳ୍ପୀ, ଦେଶସେବା ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ଚାରିଦିନ ବ୍ୟାପି କୁମାରସ୍ୱାମୀଙ୍କ ପୂଜାର୍ଚ୍ଚନା ସହ ରାଜ୍ୟର ବିଭିନ୍ନ ଅଂଚଳର ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ବୋଲି ଅନୁଷ୍ଠାନର ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.