ନାଗାବଳୀ ନଦୀରେ ଡଙ୍ଗା ଭସାଇବା ବେଳେ ଜଣେ ଛାତ୍ରର ମୃତ୍ୟୁ

ରାୟଗଡ,୧୨/୧୧ : ପବିତ୍ର କାର୍ତିକ ଧର୍ମ ମାସର ପୂର୍ଣ୍ଣିମା ଶେଷ ଦିନରେ ରାୟଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି । ଡଙ୍ଗା ଭସାଇବା ବେଳେ ନଦୀରେ ଭାସିଯାଉଥିବା ସାଙ୍ଗକୁ ବଂଚେଇବା ପାଇଁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ କଲେଜ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ସୁମନ ବେହେରା (୧୭) । ରାୟଗଡ ଜିଲ୍ଳା ମୁନିଗୁଡାରେ ତାଙ୍କ ଘର ବୋଲି ଜଣାପଡିଛି । ଏ ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ରାୟଗଡ ସହରର ରିଙ୍ଗରୋଡ ସ୍ଥିତ ଉତ୍କଳ ଗୈାରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଦ୍ୱିତୀୟ ବର୍ଷର ଡିପ୍ଳୋମା ଛାତ୍ର ସୁମନ ବେହେରା (୧୭)ନିଜ ୩ଜଣ ସାଙ୍ଗ କାର୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସେଇବାକୁ ଭୋର ସକାଳୁ ସହରର ଉପକଣ୍ଠ ଶେଷଖାଲ ଥାନା ଅନ୍ତର୍ଗତ ଝୁଲା ବ୍ରିଜ ତଳେ ପ୍ରବାହିତ ନାଗାବଳୀ ନଦୀର ଆରପାରି ମାରିଗୁଡା ଘାଟ ତଳକୁ ଯାଇଥିଲେ । ତେବେ ଡଙ୍ଗା ଭସେଇବା ପାଇଁ ଶିଉଳି ଥିବା ଏକ ପଥର ଉପରେ ରହି ୪ଜଣ ସାଙ୍ଗ ମଧ୍ୟରୁ ହଠାତ ଗୋଡ ଖସିବାରୁ ଜଣେ ସାଙ୍ଗ ନଦୀ ଭିତରେ ପଡିଯାଇଥିଲେ । ତାକୁ ବଂଚେଇବାକୁ ଯାଇ ସୁମନ ମଧ୍ୟ ନଦୀ ଭିତରକୁ ଡେଇଁ ପଡିଥିବା ବେଳେ ସେ ବୁଡିଯାଇଥିଲେ । କିନ୍ତୁ ଗୋଡ ଖସି ପ୍ରଥମେ ପଡିଯାଇଥିବା ସାଙ୍ଗଟି ଏକ ଢେପ ସ୍ଥାନକୁ ଚାଲିଯିବାରୁ ତାଙ୍କ ପ୍ରାଣ ବଂଚି ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତ ଓ ଗଭୀରତା ଭିତରେ ସୁମନ ନିଖୋଜ ହୋଇଯାଇଥିଲେ । ତେବେ ସାଙ୍ଗମାନେ ଚିତ୍କାର କରି ସୁମନକୁ ବଂଚେଇବାକୁ ଚେଷ୍ଠା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସୁମନକୁ ଉଦ୍ଧାର କରିପାରି ନ ଥିଲେ । ପରେ ସ୍ଥାନୀୟ ମାରିଗୁଡା ଗ୍ରାମବାସୀମାନେ ଏ ସଂପର୍କରେ ସକାଳ ୭ଟା ସମୟରେ ରାୟଗଡ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ହାବିଲଦାର ପିତାମ୍ବର ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଦୀର୍ଘ ୨ଘଂଟା କାଳ ନଦୀରେ ଖୋଜିବା ପରେ ଏକ ପଥର ତଳ ସନ୍ଧିରୁ ସୁମନର ମୃତ ଦେହ ଠାବ କରି ବାହାରକୁ ଆଣିବା ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ଡାକ୍ତର ସୁମନକୁ ମୃତ ଘୋଷଣା କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ରାୟଗଡ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏ ନେଇ ଥାନାରେ କେସ ନମ୍ବର ୪୨/୧୨/୧୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.