ଝାରସୁଗୁଡ଼ା,୧୭/୧୧: ଝାରସୁଗୁଡା ଜିଲ୍ଲା କୋଲାବିରାଠାରେ ସମଲେଶ୍ବରୀ ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧିତ ହେଲେ ଖଇରା ସାମ୍ବାଦିକ, କବି, ଗାଳ୍ପିକ ତଥା ସଂଗ୍ରାହକ ନରେନ୍ଦ୍ର ପ୍ରସାଦ ବେହେରା। ସମଲେଶ୍ବରୀ ସାହିତ୍ୟ ସଂସଦ ତରଫରୁ ସ୍ଥାନୀୟ ବଏଲଯାତ୍ରା ପଡିଆରେ ପ୍ରତିଭା ପୂଜନ ଓ ରାଜ୍ଯସ୍ତରୀୟ କବି, ଲେଖକମାନଙ୍କୁ ନେଇ ସପ୍ତମ ସ୍ବ-ନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ଯର କୋଣ ଅନୁକୋଣରୁ କବି, କବୟିତ୍ରୀ, ଲେଖକ ଓ ଲେଖିକାମାନେ ଆସି ଯୋଗଦେଇ କବିତା ପାଠ କରି ସମ୍ବର୍ଦ୍ଧିତ ହୋଇଥିଲେ । ପ୍ରଥମେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ମା’ ସମଲେଶ୍ବରୀଙ୍କଠାରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା ।
ଏଥିରେ ଉଦଘାଟକ ଭାବେ କୋଲାବିରା ଜମିଦାର ଅମରେନ୍ଦ୍ର ପ୍ରତାପ ସିଂହ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂସଦର ସଭାପତି ସୁବାଷ ଚନ୍ଦ୍ର ନାଏକ ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡିଶା କୃଷି ବିଶ୍ବବିଦ୍ଯାଳୟ ବରଗଡର ଅବସରପ୍ରାପ୍ତ ପ୍ରଫେସର ଶିବନାରାୟଣ ହୋତା ଯୋଗଦେଇ ସାହିତ୍ୟ ସମାଜର ସୁଧାର ଆଣିଥାଏ, ତେଣୁ ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ଉଚିତ। ଲେଖକଙ୍କ ଲେଖନୀର ସ୍ତର ଏପରି ହେବା ଦରକାର ଯାହାକି ପାଠକଙ୍କ ମନକୁ ଛୁଇଁ ପାରୁଥିବ ଓ ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରିବାରେ ସହାୟକ ହେଉଥିବ, ତେଵେଯାଇ ଲେଖକର ଲେଖନୀ ସାର୍ଥକତା ହାସଲ କରିପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ଯା ମନ୍ଦାକିନୀ ଶତପଥୀ ଯୋଗଦେଇ ଓଡିଆ ଭାଷା ଓ ସାହିତ୍ୟର ଏପରି ଉଦ୍ଯମକୁ ପ୍ରଶଂସା କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର, କୁଟୁରାଚୁଆଁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ମୁଖପତ୍ର ‘ଅଗ୍ନିତୀର୍ଥ’ ଉନ୍ମୋଚିତ ହୋଇଥିଲା। ଏହି ପ୍ରଥମ ଅଧିବେଶନରେ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥିମଧ୍ୟରୁ ବାଲେଶ୍ବର ଜିଲ୍ଲା ଖଇରା ସାମ୍ବାଦିକ, କବି, ଗାଳ୍ପିକ ଓ ସଂଗ୍ରାହକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗ ଦେଇ ‘ମାଆକୁ ଦେବା ସମ୍ମାନ’ କବିତା ପାଠକରି ସମ୍ବାଦ ଗୌରବ ସମ୍ମାନ-୨୦୧୯ରେ ସମ୍ମାନିତ ହୋଇଥିଲେ । ଅନୁଷ୍ଠାନ ତରଫରୁ ଶ୍ରୀ ବେହେରା ମୁଖ୍ୟବକ୍ତା ମନ୍ଦାକିନୀ ଶତପଥୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇ ଅନୁଷ୍ଠାନର ସମ୍ପାଦକ କୀର୍ତ୍ତିଚନ୍ଦ୍ର ବହିଦାର, ସହ-ସମ୍ପାଦକ ତୈଲୋକ୍ଯନାଥ ମହାପାତ୍ର ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରେ ଅନେକ ପ୍ରତିଭାମାନୁ୍ଙ୍କୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲା ।
ଦ୍ବିତୀୟ ଅଧିବେଶନ ଥିଲା କବିତା ପାଠର ଉତ୍ସବ । ଦିବସବ୍ଯାପୀ କାର୍ଯ୍ୟକ୍ରମକୁ ପଣ୍ଡିତ ତୈଲୋକ୍ଯନାଥ ମହାପାତ୍ର ସଂଯୋଜନା କରିଥିବା ବେଳେ ମନୋଜ ପ୍ରଧାନ, ବିରେନ୍ଦ୍ର ମହାପାତ୍ର, ଅଶୋକ କୁମାର ବେହେରା, ସତ୍ଯନାରାୟଣ ଦାସ,ବିନୟ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।