ବାଲେଶ୍ଵରରେ ହେବ କଥାକବିତା ଓ ନାଟକର କୁମ୍ଭମେଳା : ଚନ୍ଦ୍ରଭାଗୋତ୍ସବ-୨୦୧୯

● ଡିସେମ୍ବର ୨୮ରୁ ଆରମ୍ଭ ହେବ ୩ଦଶନ୍ଧିର ଚନ୍ଦ୍ରଭାଗୋତ୍ସବ : ଚନ୍ଦ୍ରଭାଗା ଲିଟ୍ ଫେଷ୍ଟ୍ (ସି.ଏଲ୍.ଏଫ୍.)

● ହେବ ବାଲେଶ୍ବର ବହିମେଳାର ରଜତ ଜୟନ୍ତୀ

ବାଲେଶ୍ବର,୧୭/୧୧(କୃଷ୍ଣ କୁମାର ମହାନ୍ତି): ବିଗତ ତିନି ଦଶନ୍ଧି ଧରି ବାଲେଶ୍ଵର ଠାରେ ‘ଚନ୍ଦ୍ରଭାଗା’ ଅନୁଷ୍ଠାନ ପକ୍ଷରୁ ସଫଳତାର ସହ ଆୟୋଜିତ ହୋଇ ଆସୁଥିବା ‘ଚନ୍ଦ୍ରଭାଗୋତ୍ସବ’ ଏବେ ବାଲେଶ୍ଵରର କୁମ୍ଭମେଳା ପାଲଟି ସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବରିଷ୍ଠ କବି ଏବଂ ‘ଚନ୍ଦ୍ରଭାଗା’ ପତ୍ରିକାର ସମ୍ପାଦକ ଶ୍ରୀଦେବ ହେଛନ୍ତି ଏହାର ମୁଖ୍ୟ। କିନ୍ତୁ ବାଲେଶ୍ଵରବାସୀ ଲେଖକ ଓ ବୁଦ୍ଧିଜୀବୀଙ୍କୁ ନେଇ ଏ ଉତ୍ସବର ହୁଏ ଅଭିଷେକ। ସମସ୍ତଙ୍କ ସହଯୋଗ କ୍ରମେ ଏ ଜାତୀୟ ସ୍ତରୀୟ ଏବଂ ରାଜ୍ୟସ୍ତରୀୟ ମାନ୍ୟତା ପାଇଥିବା ସାହିତ୍ୟ, କଳା, ସଂସ୍କୃତିର ମହୋତ୍ସବ ଚଳିତ ବର୍ଷ ୩୦ ବର୍ଷରେ ପଦାର୍ପଣ କରିଛି।

Omkar Vasthu
Omkar Vasthu

ସ୍ଥାନୀୟ ହୋଟେଲ କଳିଙ୍ଗ ପରିସରରେ ଏଥିପାଇଁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୩୦ ବର୍ଷର ଚନ୍ଦ୍ରଭାଗୋତ୍ସବ, ୨୫ ବର୍ଷର ବାଲେଶ୍ବର ବହିମେଳା, ୧୭ ବର୍ଷର ଜାତୀୟ ଚିତ୍ର କର୍ମଶାଳା ଓ ପ୍ରଦର୍ଶନୀ ଆସନ୍ତା ଡିସେମ୍ବର ୨୮ରୁ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ଆରମ୍ଭ ହେବ ବୋଲି ପ୍ରାଥମିକ ଭାବେ ଆଲୋଚନା ହୋଇଛି। ଏହା ସହ ୧୪ଶ ଜାତୀୟସ୍ତରୀୟ ମହାବିଦ୍ୟାଳୟ ନାଟକୋତ୍ସବ ହେବ। ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ସ୍ଥିର ହୋଇଛି। ଏହାବ୍ୟତୀତ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା କରାଯିବାର ନିଷ୍ପତ୍ତି ହୋଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି, ଧୀରେନ୍ଦ୍ର ନାରାୟଣ ଦାସ, ଡକ୍ଟର ଭାଗବତ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଚନ୍ଦ୍ରଭାଗା ଅନୁଷ୍ଠାନର ପ୍ରତିଷ୍ଠାତା, ନିର୍ଦ୍ଦେଶକ ଓ ସମ୍ପାଦକ ତଥା ରାଜ୍ୟର ଜଣେ ବରିଷ୍ଠ କବି ଶ୍ରୀଦେବ ୨୯ ବର୍ଷର ଅନୁଭୂତି ବଖାଣିଥିଲେ।

ଏହି ଅବସରରେ ଜିଲ୍ଲା ଆୟୁର୍ବେଦ ବିଭାଗ ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବା ସହିତ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଦ୍ବାରା ଉଦ୍‌ଘାଟନୀ ସନ୍ଧ୍ୟାର ପ୍ରଥମ ନାଟକ ମଞ୍ଚସ୍ଥ କରାଯିବ ବୋଲି ସ୍ଥିରୀକୃତ ହୋଇଥିଲା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲିଟ୍-ଫେଷ୍ଟ୍ ଛତୁ ଫୁଟିଲା ପରି ହେଉଥିବା ବେଳେ, ଏତେ ବର୍ଷର ପୁରୁଣା ଚନ୍ଦ୍ରଭାଗୋତ୍ସବକୁ ‘ଚନ୍ଦ୍ରଭାଗା ଲିଟ୍ ଫେଷ୍ଟ୍’ ବା CLF ନାମିତ କରିବାର ଆବଶ୍ୟକତା ଅଛି ବୋଲି ମନ୍ତବ୍ୟ ପ୍ରକାଶ ପାଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସ, ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ରତିକାନ୍ତ ପାତ୍ର, ଅଧ୍ୟାପକ ଦିଲ୍ଲୀପ ରଥ, ବସନ୍ତଲତା ପଟ୍ଟନାୟକ, ପିତାମ୍ବର ପତ୍ରୀ, ନିରଞ୍ଜନ ଖୁଣ୍ଟିଆ, ଆଶିଷ କୁମାର ଚକ୍ରବର୍ତ୍ତୀ, କୁମାର କାର୍ତ୍ତିକ, ଆଲଫା ସରିତା ଦାସ, ହିମାଂଶୁ ଶେଖର ଦାସ, ଯଶୋଦା ନନ୍ଦନ ଆଶ୍‌, ସୁଧାକର ସେଠୀ, ଦୀପକ କୁମାର ଦାସ, ଏମ୍‌କେଡି ମଜୁମଦାର, ଶୁଭ୍ରାଂଶୁ ଶେଖର ରାଉତ, ଅଭ୍ୟୁଦୟ ଦାସ, ପର୍ଶୁରାମ ପ୍ରଧାନ, କିରଣ ମହାରଣା, ବିଜୟ ପରିଡ଼ା, ସତ୍ୟମ କୁମାର ମିଶ୍ର, ଜ୍ୟୋର୍ତିମୟୀ ଶତପଥୀ, ମରୁତ କୁମାର ରାଉତ, ଶଶିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅବନୀ କୁମାର ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ହେମଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.