ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀ ଆୟୋଜିତ କଲା ରାଜ୍ୟର ସର୍ବପ୍ରଥମ ଗ୍ରାମାଞ୍ଚଳ ଯୁବ ଉତ୍ସବ
ଲାଞ୍ଜିଗଡ,୨୫/୧୧ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମଧୁପୁର ଠାରେ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀ ଦ୍ବାରା ରାଜ୍ୟର ସର୍ବପ୍ରଥମ ଗ୍ରାମାଞ୍ଚଳ ଯୁବ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଗୋବର୍ଦ୍ଧନପୁର ଗ୍ରା.ପ. କାର୍ଯ୍ୟାଳୟ ମଧୁପୁରଠାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବକୁ ଟିଡିସିସି ଅଧ୍ୟକ୍ଷ ଡମ୍ବରୁଧର ମାଝୀ ଉଦ୍ଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତପନ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ବିଜୁ ଯୁବବାହିନୀର ଲାଞ୍ଜିଗଡ଼ ବ୍ଲକ ସଂଯୋଜକ ଜକସନ ସାହୁ, ନର୍ଲା ବ୍ଲକ ସଂଯୋଜକ ହେମସାଗର ସାହୁ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ସମିତିସଦସ୍ୟ ଚିତ୍ରସେନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀର ସଭାପତି ତୀର୍ଥ ଗହୀର ଅଧ୍ୟକ୍ଷତା କରିଥିବାବେଳେ ଗ୍ରାମାଞ୍ଚଳ ଯୁବ ଉତ୍ସବର ପରିକଳ୍ପନା କରିଥିବା ଏହି ବିଜୁ ଯୁବବାହିନୀର ସଂପାଦକ ସୁଶୀଲ କୁମାର ବାଗ ଏହାର ଆଭିମୁଖ୍ୟ ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ।
ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀର ସଂପାଦକ ସୁଶିଲ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଟିଡିସିସି ଅଧ୍ୟକ୍ଷ ଶ୍ରୀ ମାଝୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଓ ରାଜନେତା ଭବାନୀଶଙ୍କର ନିଆଲ, ସମ୍ମାନିତ ବକ୍ତା ଭାବେ ବିଜୁ ଯୁବବାହିନୀର କଳାହାଣ୍ଡି ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ଗୋବର୍ଦ୍ଧନପୁର ଗ୍ରା.ପ. ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ସମାଜସେବୀ ଗୋବିନ୍ଦ ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହାକୁ ମଡ଼େଲ ଭାବେ ଗ୍ରହଣ କରାଯାଉ – ପ୍ରଦୀପ ଦିଶାରୀ, ବିଧାୟକ ଲାଞ୍ଜିଗଡ
ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରସଂଶା କରିବାସହ ରାଜ୍ୟର ସର୍ବପ୍ରଥମ ଗ୍ରାମାଞ୍ଚଳ ଯୁବ ଉତ୍ସବ ଭାବେ ଏହାକୁ ମାନ୍ୟତା ମିଳିବା ସହ ଏହାରି ଆଧାରରେ କେବଳ ଗ୍ରାମାଞ୍ଚଳ ଯୁବ ପ୍ରତିଭାମାନଙ୍କ ପାଇଁ ଗ୍ରାମାଞ୍ଚଳ ଯୁବ ଉତ୍ସବ ଆୟୋଜନ ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏହାସହ ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଅନେକ ପ୍ରତିଭାବାନ ଯୁବ ପ୍ରତିଭା ଅଛନ୍ତି । ତେବେ ସୂଯୋଗ ଅଭାବରୁ ସେମାନଙ୍କ ସୁବାସ ବିତରିତ ହୋଇପାରୁନାହିଁ । ସହରାଞ୍ଚଳରେ ରହୁଥିବା ପ୍ରତିଭାମାନଙ୍କ ପାଇଁ ଅନେକ ସୁଯୋଗ ଥିବାବେଳେ ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ସେଭଳି କୌଣସି ଆଖିଦୃଶିଆ ସୁଯୋଗ ମିଳେନାହିଁ । ଯାହାଫଳରେ ଗ୍ରାମାଞ୍ଚଳ ପ୍ରତିଭାର ବିକାଶ ହେବା ବଦଳରେ ସେମାନଙ୍କୁ ନିରୁତ୍ସାହିତ ହେବାକୁ ପଡୁଛି । ଯେଉଁ କେତେଜଣ ଗ୍ରାମାଞ୍ଚଳର ଯୁବ ପ୍ରତିଭା ନିଜ ନିଜର ସଂଘର୍ଷକୁ ନେଇ ପରିଚୟ ହାସଲ କରିଛନ୍ତି, ସେମାନଙ୍କ ବ୍ୟତୀତ ଆହୁରି ବି ପ୍ରତିଭା ଅଛନ୍ତି ସେମାନଙ୍କୁ ହୁଏତ ସୁଯୋଗ ମିଳିପାରିନାହିଁ । ଗଣମାଧ୍ୟମ ହିଁ ଏହି ବଣମଲ୍ଲୀମାନଙ୍କର ପ୍ରତିଭାକୁ ସାମ୍ନାକୁ ଆଣିବାକୁ ସର୍ବଦା ଉଦ୍ୟମ ଜାରି ରଖିଛି । ସେହିପରି ସାମାଜିକ ଗଣମାଧ୍ୟମ ଯୋଗୁଁ ମଧ୍ୟ ଅନେକ ଗ୍ରାମାଞ୍ଚଳ ପ୍ରତିଭା ନିଜକୁ ପ୍ରତିପାଦିତ କରୁଛନ୍ତି । ତେବେ ସର୍ବତ୍ର ଦେଖିବାକୁ ମିଳୁଛି ଯେ, ଗ୍ରାମାଞ୍ଚଳ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ସହିତ ସେତେ ପରିମାଣର ପ୍ରୋତ୍ସାହନ ମିଳେନାହିଁ । ଏସବୁର ବିକଳ୍ପ ଭାବେ ଏହି ଗ୍ରାମାଞ୍ଚଳ ଯୁବ ଉତ୍ସବ ନିଜକୁ ପ୍ରମାଣିତ କରିଛି । ତେଣୁ ଏହି ଉତ୍ସବକୁ ଏକ ମଡେଲ ଭାବେ ଗ୍ରହଣ କରିବାକୁ ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀ ଦ୍ୱାରା ଆୟୋଜିତ ଗ୍ରାମାଞ୍ଚଳ ଯୁବ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ସମ୍ବର୍ଦ୍ଧିତ ହେଲେ ଅନେକ ଗ୍ରାମାଞ୍ଚଳ ଯୁବପ୍ରତିଭା
ଏହି ଅବସରରେ ନର୍ଲା ବ୍ଲକ ମାଣ୍ଡେଲ ଗାଁର ଯୁବ କଣ୍ଠଶିଳ୍ପୀ ଦୈତାରୀ ରଣା, ମୁରସିଂ ଗାଁର ନୃତ୍ୟଶିଳ୍ପୀ ହେମଲତା ମାଝୀ, ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗାଁର ହାସ୍ୟ କଳାକାର ଲୋଚନ ମାଝୀ, ମଧୁପୁର ଗାଁର ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ଛତର, ଆମେରିକା ଫେରନ୍ତା ଯୁବ ଯୋଗ ପ୍ରଶିକ୍ଷକ ଜିରାଗାଁର ଜୟନ୍ତ ମାଝୀ, ଚର୍ଚ୍ଚିତ ଧାବିକା ପୂଜା ମାଝୀ, ବାତେଲିମା ଗାଁର ଯୁବ ସମାଜସେବୀ ମୂରଲୀ ନାଏକ, କଳାହାଣ୍ଡିର ପ୍ରଥମ ମହିଳା ପର୍ବତାରୋହୀ ମ. ରାମପୁରର ଇପ୍ସାମୟୀ ଦୁବେ, କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ଗାଁର ଯୁବ ନାଟ୍ୟକାର ଦକ୍ଷ ସାହୁ, ପୌରକେଲା ଗାଁର ଚର୍ଚ୍ଚିତ ଯୁବକ ତଥା ଜେଏନୟୁ ଛାତ୍ରନେତା ଜିତେନ୍ଦ୍ର ସୁନା ଓ ଥୁଆମୂଳ ରାମପୁର ନାକରୁଣ୍ଡି ଗାଁର ଚର୍ଚ୍ଚିତ ବାଳିକା ରଞ୍ଜିତା ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ଜିଲ୍ଲାର ଚାରିଜଣ ବିଜୁ ଯୁବବାହିନୀ ସଦସ୍ୟ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ସିଙ୍ଗାପୁର ଗସ୍ତରେ ସାମିଲ ହୋଇଥିବା ଜୁନାଗଡ ବ୍ଲକ ନାନ୍ଦୋଲର ବିଜ୍ଞାନମିହିର ସାହୁ, ଗୋଲାମୁଣ୍ଡା ବ୍ଲକ ଫରଙ୍ଗର ଗଣେଶ ନାଏକ, ଲାଞ୍ଜିଗଡ ବ୍ଲକ ବିଜେପୁରର ପରୀକ୍ଷିତ ନାଏକ ଓ ସୁଶୀଲ କୁମାର ବାଗଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ଯୁବ ଉତ୍ସବରେ ସଭା ପରିଚାଳନା କରିଥିଲେ ଯୁବ କଥାକାର ଡିଲେଶ୍ୱର ରଣା ।
ମଞ୍ଚ ପାଲଟିଲା କଳା, କଳାକାରଙ୍କ ମିଳନସ୍ଥଳୀ
ବିଶ୍ୱନାଥପୁର ବ୍ଲକ କଲୋନୀ ୟୁପି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିଶୁ ବଜାଶାଲ, ମଧୁପୁର କନ୍ୟାଶ୍ରମର ନୃତ୍ୟଦଳ, ଲକଟାଖମନର ଡମ୍ ବାଜା ଆଦି ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ହାସ୍ୟ କଳାକାର ଓମ୍ ପ୍ରକାଶ ମାଝୀଙ୍କ ପ୍ରଦର୍ଶନ ବିଳମ୍ବିତ ରାତିଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ହୃଷିକେଶ ବଗର୍ତ୍ତି, ଅମିତ କୁମାର ପଧାନ, ଚନ୍ଦ୍ରଶେଖର ମାଝୀ, ଅଜିତ ମାଝୀ, ଜଳଧର ସାଗର, ରୋହିତ ଭୋଇ, ଦେବରାଜ ଛତର, ଅର୍ଜୁନ ସାହୁ, ତାତେଶ୍ୱର ଗଉଡ, ଭୂଜନ ହାତୀ, ନୀଲେଶ ପାଢୀଙ୍କ ସମେତ ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀର ସମସ୍ତ ସଦସ୍ୟ, ସମସ୍ତ ଯୁବକ ସଂଘର କର୍ମକର୍ତ୍ତା, ମହିଳା ମହାସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବାତେଲିମା, ବିଶ୍ୱନାଥପୁର ବିଜୁ ଯୁବବାହିନୀର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।