ରୁଦ୍ର ରଂଜନ ଶେଜପଡାଙ୍କ ପ୍ରଥମ କବିତା ପୁସ୍ତକ ‘ବାଆଁରା’ ଉନ୍ମୋଚିତ

● ଅତିଥି କହିଲେ, କବିତା ଲେଖିବାର ସାମର୍ଥ୍ୟ ଈଶ୍ବରଙ୍କ ଆଶୀର୍ବାଦ ବିନା ଅସମ୍ଭବ

ବାଲେଶ୍ଵର,୨୬/୧୧(କୃଷ୍ଣ କୁମାର ମହାନ୍ତି): ବୃତ୍ତଚିତ୍ର ନିର୍ମାଣ କରିବାର ନିଶାରୁ କବିତା ଲେଖିବାକୁ ଆଗ୍ରହୀ ହୋଇଥିବା ରୁଦ୍ର ରଂଜନ ଶେଜପଡା ଜଣେ ସାମ୍ବାଦିକ ହୋଇଥିଲେ ହେଁ ସୃଜନଶୀଳତା ତାଙ୍କ ପାଖରେ ଆରମ୍ଭରୁ ଠୁଳ ହୋଇ ରହିଛି। ସର୍ଟ ଡକ୍ୟୁ-ଫିଲ୍ମ ନିର୍ମାଣ କରି ବିଦେଶରୁ ପୁରସ୍କୃତ ହୋଇଥିବା ରୁଦ୍ରଙ୍କ ଭିତରେ ପିଲାଟି ଦିନରୁ ଥିଲା କବିତା ଲେଖିବାର ଆଗ୍ରହ। ଯାହାର ଫଳଶ୍ରୁତି ହେଉଛି ‘ବାଆଁରା’ କବିତା ସଂକଳନ।

ଆଜି ସନ୍ଧ୍ୟାରେ ରୁଦ୍ରଙ୍କ ପ୍ରଥମ କବିତା ପୁସ୍ତକ ଅନାବରଣ ଉଦ୍ଦେଶ୍ୟରେ ବାଲେଶ୍ଵର ସମ୍ବାଦ ଭବନ ସ୍ଥିତ ପ୍ରକ୍ଷାଳୟରେ ଆୟୋଜନ ହୋଇଥିଲା ଏକ ଉତ୍ସବ। ‘ସମ୍ବାଦ’ର ପ୍ରତିଷ୍ଠାତା ତଥା ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ ଏହି ଆଶିଷାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ‘ବାଆଁରା’କୁ ଲୋକାର୍ପିତ କରିଥିଲେ। ସହରର ସବୁଠୁ ସଫଳ ପ୍ରକାଶନୀ ସଂସ୍ଥା ‘ସୁବର୍ଣ୍ଣଶ୍ରୀ ପ୍ରକାଶିନୀ’ କର୍ତ୍ତୃକ ପ୍ରକାଶିତ ‘ବାଆଁରା’ର ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ରାଜ୍ୟର ସୁଖ୍ୟାତ କବି ଡକ୍ଟର ଶୁଭଶ୍ରୀ ଲେଙ୍କା। ରୁଦ୍ରଙ୍କ ଶିକ୍ଷାଗୁରୁ ସୁକୁମାର ରଣା, ପ୍ରକାଶକ କବି କାଳୀପଦ ପଣ୍ଡା ଏବଂ ପୁସ୍ତକର ସ୍ରଷ୍ଟା ମଞ୍ଚାସୀନ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କର ଅଭିଭାଷଣରେ ରୁଦ୍ରରଂଜନଙ୍କ ଏହି କାବ୍ୟଯାତ୍ରାର ସଫଳତା କାମନା କରିବା ସହ ଏହି ଉନ୍ମୋଚନ ଆସରରେ ଉପସ୍ଥିତ ହୋଇପାରିଥିବାରୁ ଆନନ୍ଦ ପ୍ରକଟ କରିଥିଲେ। ସେ କହିଲେ, କବିତା ଲେଖିବାର ସାମର୍ଥ୍ୟ ସମସ୍ତଙ୍କ ପାଖରେ ନଥାଏ। ଯିଏ କବିତା ଲେଖିବାର ସାମର୍ଥ୍ୟ ରଖେ ସେ ଈଶ୍ବରଙ୍କ ବରଦାନ । ଅନ୍ୟଥା ଏହା ଅସମ୍ଭବ। କବିତା ଲେଖୁ ଲେଖୁ କବି ଭିତରେ ଅହଙ୍କାର ପ୍ରବେଶ କଲେ ହିଁ ବିପଦ। ଏ ଅହଙ୍କାର କବିକୁ ନଷ୍ଟ କରେ। ଏଣୁ ଏହାକୁ ପରିହାର କରି କବି ତାର ଲେଖନୀ ଓ ଈଶ୍ବର ପ୍ରତି ସତ୍ ରହିବା ଦରକାର। ସମ୍ବାଦ ଏକ ବୃହତ ପରିବାର। ଏ ପରିବାର ଆପଣମାନଙ୍କୁ ନେଇ ସଶକ୍ତ। ସାହିତ୍ୟ ଓ ସାହିତ୍ୟିକଙ୍କୁ ନେଇ ସମ୍ବାଦ ଆଜିଯାଏଁ ଆଗେଇ ଆସିଛି ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ସର୍ବାଧିକ ଲେଖକ ଏବେ ସମ୍ବାଦରେ ରହିଥିବା ମୋ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି କରିଥିଲେ।

‘ବାଆଁରା’ ପୁସ୍ତକରେ ସ୍ଥାନିତ କବିତାଗୁଡିକୁ ବିନ୍ଦୁ ବିନ୍ଦୁ ବର୍ଷା ସହ ତୁଳନା କରି ଡକ୍ଟର ଲେଙ୍କା କହିଲେ ଯେ, ଆକାରରେ ଛୋଟ ହେଲେ ମଧ୍ୟ ଏସବୁ ଭିତରେ ମହାସାଗର ସୃଷ୍ଟି କରିବାର କ୍ଷମତା ରହିଛି। ଅଳ୍ପରେ ପ୍ରାଞ୍ଜଳ ଭାବବିନ୍ୟାସ ମାଧ୍ୟମରେ ରୂଦ୍ର ଏ କବିତାସବୁରେ ବେଶ୍ ଅର୍ଥପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି।

ଏହି ଉତ୍ସବର ପ୍ରାରମ୍ଭରେ ସମ୍ବାଦର ସାମ୍ବାଦିକ ମନୋଜ ରାଉଳ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସମ୍ବାଦ ଉତ୍ତର ଓଡିଶା ସଂସ୍କରଣ ଡିଜିଏମ୍ ଗୌତମ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ରୁଦ୍ରରଂଜନଙ୍କ ପ୍ରସ୍ତୁତ ଏକ ଡକ୍ୟୁ ଫିଲ୍ମ ‘ସମୁଦ୍ରର ଦରଜା’ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବରେ ସହରର ବହୁ ବିଶିଷ୍ଟ ଲେଖକ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.