ଶିକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ
ଲାଞ୍ଜିଗଡ଼,୨୬/୧୧: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ବଡ଼ବକଟି ନୂତନ ପ୍ରାଥମିକ ବିଦ୍ୟାଳୟ ଗରିମା କାଂସ୍ୟ (ବ୍ରୋଞ୍ଜ) ପୁରସ୍କାର ପାଇଛି । ମଙ୍ଗଳବାର ସନ୍ଧ୍ୟାରେ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସଙ୍ଗୀତା ମିଶ୍ର ଓ ସହକାରୀ ଶିକ୍ଷକ ଭିକାରୀ ହରିଜନଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକଙ୍କ ସମେତ ଜିଲ୍ଳାର ଅନ୍ୟାନ୍ୟ ବିଇଓ, ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ପର୍ଯ୍ୟାୟକ୍ରମେ କାଂସ୍ୟ, ରୌପ୍ୟ ଓ ସ୍ୱର୍ଣ୍ଣ ପୁରସ୍କାର ପାଇଁ ବ୍ୟବସ୍ଥା ରହିଥିବାବେଳେ ଏଥିପାଇଁ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଗରିମା ପୁରସ୍କାର ପାଇଁ ଆବେଦନ କରିଥିବା ବିଦ୍ୟାଳୟମାନଙ୍କରେ ଏକକ ପରୀକ୍ଷା କରାଯାଇଥିଲା । ସେଥିରେ ସଫଳ ହୋଇଥିବା ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ପାଇବା ପରେ ଉକ୍ତ ବିଦ୍ୟାଳୟ ଗରିମା ରୌପ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ଏବଂ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରାଯାଉଛି । ଏହା ବ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ଅଭିବୃଦ୍ଧି ଆଣିବା ସହ ଅଂଚଳର ଅନ୍ୟାନ୍ୟ ବିଦ୍ୟାଳୟକୁ ଅନୁପ୍ରେରିତ କରିବ ବୋଲି ମସ୍କାଗୁଡ଼ା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି । ଏଥିସହ ବ୍ଲକର ଗୋପାଳପୁର, ବୋରପଦର ଓ ଦାନେରଗୁଡ଼ା ସ୍କୁଲକୁ ମଧ୍ୟ ଗରିମା କାଂସ୍ୟ ପୁରସ୍କାର ମିଳିଛି ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖୀଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in