ବିଦ୍ୟାଳୟରେ ଶୌଚାଳୟ କିମ୍ବା ନଳକୂପ ନାହିଁ, ଝରଣା ପାଣି ଉପରେ ନିର୍ଭର କରନ୍ତି ଛାତ୍ରଛାତ୍ରୀ

ସମସ୍ୟାର ଚାକିଛକରେ ବନ୍ଧା ଖେମୁଣ୍ଡିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ

ଲାଞ୍ଜିଗଡ଼,୫/୧୨ : ପ୍ରାଥମିକ ଶିକ୍ଷାକୁ ସର୍ବଜାନୀନ କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏକ ସୁନ୍ଦର ଶୈକ୍ଷିକ ପରିବେଶ ମଧ୍ୟରେ କିପରି ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିପାରିବେ ସେଥିପାଇଁ ଶିକ୍ଷା ବିଭାଗ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ବର୍ତ୍ତମାନ ବିଦ୍ୟାଳୟର କୋଠା ବାଡି ଠାରୁ ଆରମ୍ଭକରି ପାଚେରୀ, ଖେଳ ପଡିଆ ଆଦି ନିର୍ମାଣ/ମରାମତି ଓ ରକ୍ଷଣାବେକ୍ଷଣର ଭାର ପଞ୍ଚାୟତ ବିଭାଗ ହାତରେ ନ୍ୟସ୍ଥ । ତେବେ ଆଜିବି କେତେକ ବିଦ୍ୟାଳୟରେ ଶିଶୁ ପାଇଁ ସାଧାରଣ ମୌଳିକ ଆବଶ୍ୟକତା ମଧ୍ୟ ପୁରଣ ହୋଇ ପାରିନଥିବା ଦୃଷ୍ଟିଗୋଚର ହେଉଛି । ଏମିତି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ଖେମୁଣ୍ଡିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଟିଏ । ନାହିଁ ନାହିଁରେ ଚାଲିଛି ଏହି ବିଦ୍ୟାଳୟ ।

କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକର ତ୍ରିଲୋଚନପୁର ପଞ୍ଚାୟତ ଅଧିନସ୍ଥ ଖେମୁଣ୍ଡିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚିତ୍ର ଶିକ୍ଷା ବିଭାଗର ଅସଳ ଚେହେରାକୁ ପଦାରେ ପକାଇ ଦେବାକୁ ସକ୍ଷମ ହୋଇଥାଏ । ୨୦୦୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଶିକ୍ଷକ ସଂଖ୍ୟା ୨ ।

ବିଦ୍ୟାଳୟରେ ଶୌଚାଳୟ, ନଳକୂପ, ରୋଷେଇ ଘର ନାହିଁ । ଏଥିରେ ପାଚେରୀ ମଧ୍ୟ ନଥିଲା, ଏବେ ନିର୍ମିତ ପାଚେରୀ ନିମ୍ନ ମାନର ବୋଲି ଅଭିଯୋଗ ହେଉଛି । କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ନାନାଦି ସମସ୍ୟାର ସମନ୍ଧରେ ସଂପୃକ୍ତ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ବିଦ୍ୟାଳୟରେ ଶୌଚାଳୟ ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ନିୟମଗିର ପାହାଡ଼ ତଳେ ଥିବା ଝରଣାକୁ ଶୌଚ ପାଇଁ ଯାଉଥାନ୍ତି । ଏହି ଅଞ୍ଚଳ ଘଞ୍ଚ ଅରଣ୍ୟ ମଧ୍ୟରେ ଥିବାରୁ ସର୍ବଦା ବଣ୍ୟପ୍ରାଣୀଙ୍କ ଭୟ ଥାଏ। ବିଦ୍ୟାଳୟରେ ରୋଷେଇ ଘର ନଥିବାରୁ ବାରଣ୍ଡାରେ ରୋଷେଇ ହୋଇଥାଏ, ଯାହା ପିଲାଙ୍କ ପାଠ ପଢାରେ ଅନ୍ତରାୟ ସୃଷ୍ଟି କରୁଛି । ପାନୀୟ ଜଳର ସୁବିଧା ନଥିବାରୁ ମଧ୍ୟାନ୍ନ ଭୋଜନ ଖାଇ ସାରିବା ପରେ ଛାତ୍ରଛାତ୍ରୀମାନେ ଝରଣାକୁ ଆସି ନିଜ ନିଜ ଥାଳି ଧୋଇବାସହ ପାଣି ପିଇଥାନ୍ତି । ପଞ୍ଚାୟତର ଯୋଗାଣ ସହାୟକଙ୍କ ତତ୍ତ୍ବାବଧାନରେ ନିର୍ମିତ ହୋଇଥିବା ବିଦ୍ୟାଳୟର ପାଚେରୀ କାମ ନିମ୍ନ ମାନର ହେଉ ଗ୍ରାମବାସୀମାନେ ଅଭିଯୋଗ କରନ୍ତି । ଏମିତି ନାନା ଅବ୍ୟବସ୍ଥା ଭିତରେ ଗତି କରୁଥିବା ଏହି ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗ, ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.