ମନ ମୋହିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ପାଲଟିଲା ରାଜନେତାଙ୍କ ମିଳନସ୍ଥଳୀ
ଲାଞ୍ଜିଗଡ଼/କଳାହାଣ୍ଡି: ଏକ ଛୋଟିଆ ଗାଁର ମହତ୍ ପ୍ରୟାସ ଆଜି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏକ ମହନୀୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବାରେ ଗୋପାଳପୁର ଲକ୍ଷ୍ମୀପୂଜା ଏକ ଉଦାହରଣ ପାଲଟିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁର ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିବା ତ୍ରିଦିବସୀୟ ଲକ୍ଷ୍ମୀପୂଜାର ମୁଖ୍ୟ ଆକର୍ଷଣ ଏହାର ଅନନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାବେଳେ ତିନିଦିନରେ ରାଜନୈତିକ ନେତୃବୃନ୍ଦଙ୍କ ସମେତ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି ପୂଜନୋତ୍ସବର ମାହୋଲକୁ ଆହୁରି ସରଗରମ କରିଦେଇଥିଲା ।
ଷଷ୍ଠ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜନୋତ୍ସବରେ ମଙ୍ଗଳବାର ଅଧିବାସ ଓ କଳସଯାତ୍ରା ପରେ ପରେ ବୁଧବାର ଦିନ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ମହାସମାରୋହରେ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପରେ ପ୍ରଥମ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, କଂଗ୍ରେସ ଓବିସି ସେଲ୍ର ଆବାହକ କେଶବଚନ୍ଦ୍ର ବାରିକ, ନର୍ଲା ଥାନାଧିକାରୀ ରମଣୀରଞ୍ଜନ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ଭାଲୁପିଆର କୀଚକ ବଧ ଗୀତିନାଟ୍ୟ ପ୍ରଦର୍ଶିତ ହୋଇଥିଲା ।
ଦ୍ୱିତୀୟ ଦିବସରେ ବିଜେପିର କଳାହାଣ୍ଡି ଜିଲ୍ଲା ବିଜେପିର ଉପସଭାପତି ରମେଶ ମାଝୀ,ବିଜେପିର ଜିଲ୍ଲା ସଂପାଦକ କେଶରୀ ଦୁର୍ଗା, ବିଜେପି ନେତା ରିୟାଜ ମହମ୍ମଦ, ଯୁଧିଷ୍ଟିର ତାଣ୍ଡି, ରୋମାଞ୍ଚଳ ପୁଝାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରପୁରର ଗୀତିନାଟ୍ୟ ଅଶୋକବନରେ ଦୁଃଖିନୀ ସୀତା ପ୍ରଦର୍ଶିତ ହୋଇଥିଲା ।
ସେହିପରି ତୃତୀୟ ଦିବସରେ ମୁଖ୍ୟଅତିଥି ଭାବେ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ଯୋଗ ଦେଇଥିବାବେଳେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତଭୂଷଣ ବେମାଲଙ୍କ ସମେତ ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ସଂଘର ସଭାପତି ଟଙ୍କଧର ମାଝୀ, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର, ବ୍ୟାଙ୍କ ଅଧିକାରୀ ଅଭିନ କୁମାର ପାଢୀ, ନର୍ଲା ଥାନାଧିକାରୀ ଶ୍ରୀ ଦଳେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ପ୍ରମୋଦ ପରିଡ଼ା, ଲକ୍ଷ୍ମଣ ବାଗ, ଯୁବ ଲେଖକ ଓ ରେଡ଼ିଓ ଉପସ୍ଥାପକ ସୁଧୀର କୁମାର ଧଙ୍ଗଡ଼ାମାଝୀ ପ୍ରମୁଖ ଯୋଗ ଦେଇଥିଲେ । ତ୍ରିଦିବସୀୟ ପୂଜନୋତ୍ସବର ସଭା ପରିଚାଳନା କରିଥିଲେ ବିଶିଷ୍ଟ ଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗ । ନୃତ୍ୟ ପ୍ରତିଯୋଗିତାକୁ ସଂଚାଳନ କରିଥିଲେ ଗୋପାଳଦାସ ମହାନନ୍ଦ । କମିଟିର ଉପଦେଷ୍ଟା ବିଜୟ ପାଢୀ, ପୁରୁଷୋତ୍ତମ ପୁଟେଲ, ଶିକ୍ଷାବିତ୍ ଅନୀଲ ପାଢୀ, କମିଟିର ସଭାପତି ବୀରେନ ପାଢୀ, ସଂପାଦକ ଭକ୍ତରାମ ପୁଟେଲ, ନୀଲେଶ ପାଢୀ, କୋଷାଧ୍ୟକ୍ଷ ହେମନ୍ତ ପୁଟେଲଙ୍କ ସହିତ ସୁଦର୍ଶନ ଗଉଡ଼, ଚିନ୍ମୟ ପାଢୀ, ଲକ୍ଷ୍ମୀକାନ୍ତ ପୋଢ ତଥା ମା ମାଉଳୀ ଯୁବ ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଗୋପାଳପୁର ଗ୍ରାମବାସୀ ସହଯୋଗ କରିଥିଲେ । ଅଞ୍ଚଳର ଏହି ପ୍ରସିଦ୍ଧ ପୂଜନୋତ୍ସବରେ ଲାଞ୍ଜିଗଡ଼, ନର୍ଲା, ମ. ରାମପୁର ବ୍ଲକ ତଥା ପଡ଼ୋଶୀ ରାୟଗଡ଼ା ଜିଲ୍ଲାରୁ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ । ପ୍ରବଳ ଥଣ୍ଡା ସତ୍ବେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନର୍ଲା ପୁଲିସ ପକ୍ଷରୁ ତିନିଦିନ ବ୍ୟାପି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଲାଞ୍ଜିଗଡ଼ରୁ ଗୋପାଳଦାସ ମହାନନ୍ଦ ଓ ସ୍ୱତନ୍ତ୍ର ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube