କଳାହାଣ୍ଡି,୨୨/୩ (ହେମନ୍ତ ସାହୁ) : କରୋନା ସହ ଲଢେଇ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ପାଇଁ ନିବେଦନ କରିଥିଲେ । ସାରା ଦେଶରେ ଏହାକୁ ଅଦ୍ଭୁଦପୂର୍ବ ସମର୍ଥନ ମିଳିଛି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ମ.ରାମପୁରବାସୀ ସ୍ବତଃପୁର୍ତ୍ତ ଭାବରେ ଜନତା କର୍ଫ୍ୟୁରେ ନିଜକୁ ସାମିଲ କରିଥିଲେ । ଆଜି ମ.ରାମପୁର ପୁରା ଜନଶୂନ୍ୟ ଥିଲା । ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତିତ ଅନ୍ୟମାନେ ରାସ୍ତାରେ ଦେଖାଯାଉନଥିଲେ । ଅପରାହ୍ନ ୫ଟାରେ ଲୋକେ ଘର ଦୁଆରମୁହିଁ, ବାଲକୋନୀ, ଅଗଣାରେ ଠିଆ ହୋଇ ତାଲି, ଘଣ୍ଚ, ଶଙ୍ଖ ନାଦ ମାଧ୍ୟମରେ କରୋନା ଯୋଦ୍ଧା ମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।
ମ.ରାମପୁର ତହସିଲଦାର ସୟଦ ଇସାକ୍ ମଦିନା, ବିଡିଓ ରୁମାନା ଜାଫ୍ରି, ଥାନାଧିକାରୀ ଗୋବିନ୍ଦ ମାଝୀ ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଦିନସାରା ପଇଁତରା ମାରିଥିଲେ । ବ୍ଲକର ୧୯ଟି ପଞ୍ଚାୟତର ଜନ ସାଧାରଣ ମଧ୍ୟ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ କରି ରବିବାର ସକାଳ ୭ରୁ ରାତି ୯ ପର୍ଯ୍ୟନ୍ତ ଘରେ ରହିଥିବା ଜଣାପଡିଛି ।