କଲମପୁର,୨୪/୩ : କଳାହାଣ୍ଡି ଜିଲ୍ଲା କଲମପୁର – ମୁଖିଗୁଡା ମୁଖ୍ୟ ରାସ୍ତାର ହାରାମାଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ହାରମାଲ ଗାଁ ମିଲ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛ। ପ୍ରାପ୍ତ ସୂଚନା ଅାଧାରରେ ଟେମରା ଗ୍ରାମର ହିମାଂଶୁ ନାଏକଙ୍କ ପୁଅ ଯତିନ୍ଦ୍ର (୧୬) ଓ ସେହି ଗାଁର ଜଣେ ଯୁବକ ରିତିକ ଶବର ଏକ ବାଇକ୍ ଯୋଗେ ପରୁଆଗୁଡା ଯାଉଥିଲେ । ଏହି ସମୟରେ ହାରାମାଲ ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହେଇଥିଲା ଓ ଉଭୟ ଯୁବକ ଛିଟିକି ପଡିଥିଲେ ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ପ୍ରୟାସ କରୁଥିବା ବେଳେ ଯତିନ୍ଦ୍ରର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଗୁରୁତର ରିତିକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ସୁଚନା ମିଳିଛି ।
ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ନିଜ ଗାଡି ଛାଡି ଫେରାର ହୋଇ ଯାଇଥିଲା । ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଦୁଇଟି ମଟରସାଇକଲକୁ ଜବତ କରିଛି ଓ ଘଟଣାର ଅନୁସନ୍ଧାନ କରୁଛି । ମଙ୍ଗଳବାର ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଏଠାରେ ସୂଚନା ଯୋଗ୍ୟଯେ, ମୃତ ଯତିନ୍ଦ୍ର ଭବାନୀପାଟଣା ସ୍ଥିତ ବିନାୟକ କଲେଜର +୨ ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ ।
କଲମପୁର ପ୍ରତିନିଧି ତୁଲାରାମ ବେହେରାଙ୍କ ରିପୋର୍ଟ OdiaBarta.in
______________________________________