ପରିବା ଦର ଆକାଶଛୁଆଁ, ଆଳୁ କିଲୋ ୩୦

● ନୂଆବଜାର ମାର୍କେଟ୍ ରେ ନାହିଁ ନଥିବା ଭିିଡ଼
● ଜିଲ୍ଲା ପ୍ରଶାସନ ଏ ଦିଗରେ ଦାୟିତ୍ୱହୀନ

ବାଲେଶ୍ବର,୨୫/୩(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ଦୁଇ ଦିନ ପୂର୍ବେ ଚିତ୍ର ଥିଲା ଭିନ୍ନ। ଆଜି କିନ୍ତୁ ବେହାଲ୍। ଅର୍ଥାତ ଦୁଇଦିନ ତଳେ ୧୮ ଟଙ୍କାରେ କେଜିଏ ଆଳୁ ମିଳୁଥିବା ବେଳେ ଆଜି ବାଲେଶ୍ଵର ସହରର ଦୁଇ ମୁଖ୍ୟ ବଜାର ସମେତ କଚେରୀ ରୋଡ ଓ ବିଭିନ୍ନ ସ୍ଥାନରେ ଥିବା ପରିବା ଦୋକାନରେ ଆଳୁ ଓ ପିଆଜ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ଜଣା ପଡିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ସଠିକ ଭାବେ ମିଳିବ ବୋଲି ସରକାର କହୁଥିବା ବେଳେ ଆଜିର ଚିତ୍ର ଏକଥା ମିଥ୍ୟା ସାବ୍ୟସ୍ତ କରିଛି।

ସମଗ୍ର ରାଜ୍ୟ ଲକ୍-ଡାଉନ୍ ହୋଇଥିବା ବେଳେ ଆଗାମୀଦିନରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଆଶଙ୍କା କରି ଲୋକଙ୍କ ଭିତରେ ଭୟ ଦେଖାଦେଇଛି। ଫଳରେ ଏସବୁ ଜିନିଷ ଅଧିକ ମାତ୍ରାରେ ଗଚ୍ଛିତ କରି ରଖିବା ଉଦ୍ଦେଶ୍ୟରେ ଲୋକେ ବଜାରରେ ନାହିଁ ନଥିବା ଭିଡ କରିଥିଲେ। ଏହି ସୁଯୋଗରେ ଅସାଧୁ ବେପାରୀଙ୍କୁ ମଉକା ମିଳିଛି ମନ ଇଚ୍ଛା ପରିବା ଦର ବୃଦ୍ଧି କରିବାର। ପରିବା ଦର ଆଉ ନିୟନ୍ତ୍ରଣରେ ନାହିଁ ଯେପରି। ଏମିତିକି ଭିନ୍ନ ଭିନ୍ନ ପରିବା ବଜାରରେ ଭିନ୍ନ ଦର ରହିଛି। ଯିଏ ଯେମିତି ପାରିଲେ ଖାଉଟିଙ୍କୁ ଶୋଷିଲେ। ପାଇକାରୀ ଓ ଖୁଚୁରା ଦର ମଧ୍ୟରେ ଆକାଶ ପାତାଳ ଫରକ ରହୁଛି। ଏହାବ୍ୟତୀତ ଆଳୁ ଓ ପିଆଜ ଦର ତ ବେଶ୍ ଚଢା ରହିଥିବା ଲୋକମାନେ କହିଛନ୍ତି।

ଆଜି ସହରରେ ନୂଆ ବଜାର ଓ ମୋତିଗଞ୍ଜ ପରିବା ବଜାରରେ ପରିବା କିଣିବା ପାଇଁ ବେଶ୍ ଗହଳି ଜମିଥିଲା। ଆଜିର ନୂଆ ବଜାରରେ ଫୁଲକୋବି ଗୋଟା ୨୫ ରୁ ୩୦ ଟଙ୍କା, ବାଇଗଣ କିଲୋ ୩୫ ଟଙ୍କା, ଜହ୍ନି କିଲୋ ୪୦ ଟଙ୍କା, ନାଡୁକା କିଲୋ ୫୦ ଟଙ୍କା, ପୋଟଳ କିଲୋ ୧୦୦ ରୁ ୧୨୦ ଟଙ୍କା, ବିନ୍ସ କିଲୋ ୫୦ ଟଙ୍କା, କ୍ୟାପସିକମ୍ କିଲୋ ୭୦ ରୁ ୮୦ ଟଙ୍କା ଥିବାବେଳେ ପିଆଜ ୩୦ ଓ ଆଳୁ ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଦୁଇ ଦିନ ତଳେ ଆଳୁ ଦର ୧୮ ଟଙ୍କା ଥିବାବେଳେ ଦିନକୁ ଦିନ ଆଳୁ ଓ ପିଆଜ ଦର ବଢିବାରେ ଲାଗିଛି। ଆଳୁ ଗୋଦାମରେ ଆଳୁ ବି ସରିଗଲାଣି ବୋଲି ଇଟିଆଇ ଛକର ଜନୈକ ଦୋକାନୀ ବିକ୍ରମ କହିଛନ୍ତି।

ସେହିପରି ବାଲେଶ୍ଵର ର ଅନ୍ୟତମ ମାର୍କେଟ୍ ମୋତିଗଞ୍ଜ ବଜାରରେ ଆଜି ଫୁଲକୋବି ଗୋଟାକୁ ୩୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ କଲରା କିଲୋ ୪୦ ଟଙ୍କା, ଆଳୁ କିଲୋ ୩୦ ଓ ପିଆଜ କିଲୋ ୩୦ ଟଙ୍କା, ଅଦା କିଲୋ ୮୦ ଟଙ୍କା,ରସୁଣ ୧୦୦ଟଙ୍କା ଥିଲା ବୋଲି ଖାଉଟି ଗୀତା ଜେନା କହିଛନ୍ତି।

ତେବେ କରୋନା ପାଇଁ ଅନ୍ୟ ଦିନ ଅପେକ୍ଷା ଆଳୁ ଓ ପିଆଜ ଦର ବଢିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି। ବିଶେଷକରି ବଜାରରେ ଆଳୁ ଓ ପିଆଜକୁ ନେଇ ବଡ଼ ସମସ୍ୟା ଦେଖା ଦେଇଛି। ଆଳୁର ପାଇକାରୀ ଦର ୧୫୦୦ ରୁ ୧୬୦୦ ଟଙ୍କା କ୍ଵିଣ୍ଟାଲ୍ ପିଛା ରହିଥିବା ବେଳେ ଖୁଚୁରା ବଜାରରେ କିଲୋ ୩୦ଟଙ୍କା ଛୁଇଁଲାଣି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗ ନିରବଦ୍ରଷ୍ଟା ନସାଜି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଭଳି ଘଡ଼ିସନ୍ଧି ସମୟରେ ଖାଉଟିମାନଙ୍କୁ ସୁରକ୍ଷା ନ ଦେଲେ, ଜନସାଧାରଣ ବଡ଼ ସମସ୍ୟାରେ ପଡ଼ିବେ ବୋଲି ଅଭିଯୋଗ ହେଉଛି।

ଏ ସମ୍ପର୍କରେ ଯୋଗାଣ ବିଭାଗ ଇଣ୍ଟେଲିଜେନ୍ସ୍ ଇନ୍ସପେକ୍ଟର ରୀତି ମାଝୀ ଗଣମାଧ୍ୟମକୁ କହିଥିଲେ, “ବାଲେଶ୍ଵର ବଜାରକୁ ଆଳୁ ଆମଦାନୀ ହେଉଛି। ସେଥିରେ କିଛି କଟକଣା ନାହିଁ। ଗୋଦାମ ଘରେ ଆଳୁ ଯଥେଷ୍ଟ ପରିମାଣରେ ଗଚ୍ଛିତ ମଧ୍ୟ ଅଛି। ପାଇକାରୀ ଦର କିଲୋ ପ୍ରତି ୧୫ ଟଙ୍କା ରହିଛି। ମାତ୍ର କିଛି ବେପାରି ଦର ବଢେଇ ଆଳୁ ବିକ୍ରି କରୁଥିବାରୁ ଆମେ ତାଗିଦ୍ କରିଛୁ। କିଛି ବ୍ୟବସାୟୀ ଚଢା ଦରରେ ଆଳୁ ବିକ୍ରି କରୁଥିଲେ। କାଲି ପୁଣି ଆମର ସ୍କ୍ବାର୍ଡ ବିଭିନ୍ନ ବଜାର ବୁଲିବେ।”


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.