ପୋଲିସ ଓ ପ୍ରଶାସନ ଅଧିକାରୀଙ୍କ ପଇଁତରା ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ
ନିୟମ ନ ମାନିଲେ ଅପରାଧିକ ମାମଲା ରୁଜୁ ହେବ : ଏସ.ପି.
ରାୟଗଡ,୨୬/୩ : ଲକଡାଉନ କଣ ଦେଖି ନ ଥିବା ଲୋକେ ଦେଖିଲେ ଏବଂ ଜାଣିଲେ । ରାୟଗଡ ଜିଲ୍ଳା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଓ ରାଂଚି-ବିଜୟୱାଡା କରିଡର ରାଜପଥରେ ଗାଡି ମୋଟରର ଶଦ୍ଦ ଶୁଣିବାକୁ ମିଳି ନ ଥିଲା । କାଁ ଭାଁ କେତେକ ଗାଡି ଛାଡି ଦେଲେ ରାସ୍ତା ଏକ ପ୍ରକାର ଶୁନଶାନ ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ୨୧ଦିନ ପର୍ଯ୍ୟନ୍ତ ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ପାଇଁ ଏବଂ ସାମାଜିକ ଦୂରତା ବଜାୟ ରଖିବା ସହ ଘୋଷଣା କରିଥିବା ଲକଡାଉନକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଘରୁ ନ ବାହାରିବା ପାଇଁ ଶପଥ ନିଅନ୍ତୁ ବୋଲି ନିବେଦନ କରିଛନ୍ତି ।
ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳାବାସୀ ଏହି ଲକଡାଉନ ଘୋଷଣାକୁ ସଂପୂର୍ଣ୍ଣ ସହଯୋଗ କରିବେ ସେ ନେଇ ଗାଇଡଲାଇନ ପ୍ରକାରେ ସମସ୍ତେ ନିୟମ ମାନି ଚଳିବା ପାଇଁ ନିବେଦନ କରିଛନ୍ତି । ଲକଡାଉନର ପ୍ରଥମ ଦିନରେ ଜିଲ୍ଳାବାସୀ ବିପୁଳ ସମର୍ଥନ ଦେଇଛନ୍ତି । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରଶାସନର ନିର୍ଦ୍ଧାରିତ ସମୟ ପ୍ରକାରେ ସମସ୍ତ ରାସନ ଦୋକାନ , ମାଛ , ମାଂସ , ଅଣ୍ଡା , କ୍ଷୀର ,ମେଡିକଲ ଷ୍ଟୋର, ପେଟ୍ରୋଲ ପମ୍ପ ଆଦି ଖୋଲାଯାଇଥିବା ବେଳେ ପରିବା ବଜାରଗୁଡିକ ସମେତ ଉପରୋକ୍ତ ସମସ୍ତ ଦୋକାନରେ
ସାମାଜିକ ଦୂରତା ବଜାୟ ରଖି ସାମଗ୍ରୀ କ୍ରୟବିକ୍ରି କରିବା କରାଯାଉଥିଲା ।
ପ୍ରଶାସନ ପକ୍ଷରୁ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାକାନ୍ତ ବେହେରା, ବିଡିଓ ରାଜେନ୍ଦ୍ର ମାଝି, ଅତିରକ୍ତ ତହସିଲଦାର ସୁନୀଲ ଖରା ପ୍ରମୁଖଙ୍କ ସମେତ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରି ଏଗୁଡିକ ପରିଚାଳନା ଉପରେ ତଦାରଖ କରାଯାଇ ଲୋକଙ୍କୁ କିଣା ବିକା ସାରି ଯଥାଶୀଘ୍ର ଘରକୁ ଫେରିଯିବାକୁ ପ୍ରଶାସନିକ ଅଧିକାରୀମାନେ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷେ ଜିଲ୍ଳା ପୋଲିସ ପକ୍ଷରୁ ରାୟଗଡ ଜିଲ୍ଳାର ୪ଟି ସ୍ଥାନରେ ଆନ୍ତଃରାଜ୍ୟ ଓ ୧୦ଟି ସ୍ଥାନରେ ଆନ୍ତଜିଲ୍ଳା ସୀମାଗୁଡିକରେ ନାକା ଚେକିଂ କରାଯାଉଛି ।
ଜିଲ୍ଳାର ସମସ୍ତ ଥାନା ଅଧୀନ ଅଂଚଳ ଗୁଡିକରେ ପେଟ୍ରୋଲିଂ ଜୋରଜାର କରାଯାଉଛି । ଏଥିସହ ପ୍ରଶାସନର ମିଳିତରେ ପରିବା ବଜାରେ ଗ୍ରାହକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ରାୟଗଡ ସହରର ବିଭିନ୍ନ ଛକଗୁଡିକରେ ପୋଲିସ ମୁତୟନ କରାଯାଇ ଲୋକମାନଙ୍କୁ ବାହାରେ ନ ବୁଲିବା ପାଇଁ ନିବେଦନ କରାଯାଇଛି । ତେବେ ଯଦି କେହି ନିୟମକୁ ନ ମାନନ୍ତି ତାହାହେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ (ଏସ.ପି.)ଡାକ୍ତର ଶର୍ବଣା ବିବେକ ଏମ. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ରାୟଗଡ ସହରରେ ସକାଳ ସମୟରେ ପରିବା ବଜାର ପାଇଁ ଲୋକମାନଙ୍କ ଚଳପ୍ର୍ରଚଳ ଦେଖିବାକୁ ମିଳିଥିବା ବେଳେ ପୂର୍ବାହ୍ନ ୧୦ଟା ପରେ ରାସ୍ତାଘାଟ ଗୁଡିକ ଜନଶୂନ୍ୟ ହୋଇପଡିଥିଲା । ଆଜି ମଧ୍ୟ ଲୋକେ ସଚେତନ ହୋଇ ସ୍ୱେଚ୍ଛାକୃତ ଭାବେ ଘରୁ ନ ବାହାରିିଥିବା ଦେଖିବାକୁ ମିଳୁଛି ।