ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଉପରେ କାର୍ଯାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ

● ଖୋଦ୍ ଜିଲ୍ଲାପାଳ ମାର୍କେଟ୍ ପ୍ଲେସ୍ ଯାଇ କଲେ ତଦାରଖ

● ଟାସ୍କଫୋର୍ସ ସହ ଜିଲ୍ଲାପାଳ କଲେ ସମୀକ୍ଷା ବୈଠକ

ବାଲେଶ୍ବର, ୨୭/୦୩ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାରେ ଲାଗୁ ହୋଇଥିବା ଲକ୍ ଡାଉନ୍ ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଜିଲ୍ଲାରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ।

ବୈଠକରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଉପରେ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। ପନିପରିବା ଦୋକାନ ଓ ରାସନ ଦୋକାନଗୁଡିକରେ ବିକ୍ରି ହେଉଥିବା ସାମଗ୍ରୀର ମୂଲ୍ୟରେ ଯେପରି ଅସ୍ବାଭାବିକ ବୃଦ୍ଧି ନ ହୁଏ ଏବଂ ସମସ୍ତ ଦୋକାନୀ ନିଜ ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ (ରେଟ ଚାର୍ଟ) ଲଗାନ୍ତି ତାହା ସୁନିଶ୍ଚିତ କରିବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୟାକ୍ସ କଲେକ୍ଟରମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରି ଏହା କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ କୁହାଯାଇଛି।

ଆଳୁ ଓ ପିଆଜ ଦର ଉପରେ ନିୟନ୍ତ୍ରଣ ଲାଗି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ସ୍ବତନ୍ତ୍ର କାଉଂଟର ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଛି। ନୂଆବଜାର ଓ ମୋତିଗଞ୍ଜ ବଜାର ଅଂଚଳରେ
ଦୋକାନୀମାନଙ୍କର ଭିଡ କମାଇବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ସେମାନଙ୍କୁ ଯଥେଷ୍ଟ ବ୍ୟବଧାନରେ ଅନ୍ୟ ସ୍ଥାନରେ ବସିବା ଲାଗି ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛିି। ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରଖିବା ଲାଗି ଗୋଲ ଚିହ୍ନିତ କରାଯାଇ ତା ମଧ୍ୟରେ ଯେପରି ସେମାନେ ଛିଡା ହୁଅନ୍ତି ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ କରୁଥିବା ସୁପର ମାକେର୍ଟର ପ୍ରତିନିଧିମାନେ ଆଜିର ବୈଠକରେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ହୋମ୍ ଡେଲିଭରି ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ହୋମ୍ କ୍ବାରାଂଟାଇନ୍ ରେ ରହିଥିବା ଲୋକଙ୍କ ଘର ବାହାରେ ପୂରଣ ହୋଇଥିବା ନିର୍ଦ୍ଧାରିତ ଫର୍ମ ଓ ପୋଷ୍ଟର୍ ଲଗାଯିବା କାର୍ଯ୍ୟକୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଶୀଘ୍ର ସାରିବେ। ହୋମ୍ କ୍ବାରାଂଟାଇନରେ ଥିବା ୪ଜଣ ସରକାରୀ ଆଦେଶନାମାର ଉଲ୍ଲଙ୍ଘନ କରିଥିବା ଯୋଗୁଁ ସେମାନଙ୍କ ନାମରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ସେହି ୪ ଜଣ ହେଲେ ଅଜିତ ଦାସ, ଦୀପକ ସାହୁ, ଜୟଶ୍ରୀ ସାହୁ ଓ ଜୟନ୍ତ ସିଂ।

ବର୍ତମାନ ସମୟରେ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟ କର୍ମଚାରୀ ଆବଶ୍ୟକ ହେଉଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାମୟିକ ଭାବେ ଏଏନଏମ, ଷ୍ଟାଫ୍ ନର୍ସ, ପୁରୁଷ ସ୍ବାସ୍ଥ୍ୟ କର୍ମୀ, ଫାର୍ମାସିଷ୍ଟ ଏବଂ ରେଡିଓଗ୍ରାଫର୍ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ଏହା ଶୀଘ୍ର ସାରିବାକୁ ଜିଲ୍ଲାପାଳ କହିଛନ୍ତି।

ସେହିପରି ଆବଶ୍ୟକ ଔଷଧ, ସ୍ବାସ୍ଥ୍ୟସେବା ଓ ଚିକିତ୍ସା ଉପକରଣ କ୍ରୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଅତ୍ୟାବଶ୍ୟକ
ସାମଗ୍ରୀ ମହଜୁଦ ରଖିଥିବା ଗୋଦାମଗୁଡିକ ନିଜର ଷ୍ଟକ୍ ସ୍ଥିତି ଏବଂ ରେଟ୍ ଚାର୍ଟ ସଂପର୍କରେ ଯେପରି ସ୍ପଷ୍ଟ ଭାବରେ ସୂଚୀତ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି। ଅନ୍ୟଥା ଅଚାନକ ଯାଂଚ ସମୟରେ ଯଦି କିଛି ତ୍ରୁଟି ଦେଖାଦିଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

ବାଲେଶ୍ବର ଜିଲ୍ଲାକୁ ବିଦେଶରୁ ଆସିଥିବା ୧୯ଜଣଙ୍କର ଆଜି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏବେ ସୁଦ୍ଧା ବିଦେଶରୁ ଆସିଥିବା ମୋଟ ୨୧୫ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ବାହାରୁ ଆସିଥିବା ୨୨୦୩ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା ମୋଟ ୧୦୪୬୬ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଡିଏଫ୍ଓ ଶ୍ରୀ ବିଶ୍ବରାଜ ପଣ୍ତା, ଡିଏମଓ ଡା. ଡି.ଏସ. ଜଗେଦ୍ଦବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇ କରୋନା କଟକଣା ଓ ଲକ୍ ଡାଉନ୍ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.