ରାୟଗଡ,୨/୪ : ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ସହରରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦିନକୁ କେବଳ ୪ଘଂଟା ଧରି ଜରୁରୀ ଅତ୍ୟାବଶକୀୟ ସାମଗ୍ରୀଗୁଡିକ କ୍ରୟ ବିକ୍ରୟ କରାଯାଇଛି । ତେବେ ୪ଘଂଟା ମଧ୍ୟରେ ପନିପରିବା, ଘରକୁ ଆବଶ୍ୟକ ସଉଦା ଓ ଆମିଷ ନେବା ପାଇଁ ପରିବା ବଜାର, ମାଛମାଂସ ଦୋକାନ ସହ ଗ୍ରୋସେରୀ ଦୋକାନଗୁଡିକରେ ପ୍ରବଳ ଭିଡ ଜମିବାରେ ଲାଗିଛି । ଫଳରେ ଗ୍ରାହକମାନେ ଆଉ ସାମାଜିକ ଦୂରତା ମାନୁ ନାହାନ୍ତି । ଯଦ୍ୱାରା କୋଭିଡ-୧୯ ସଂକ୍ରମଣକୁ ଆହୁରି ସୁରାକ୍ ଯୋଗାଇ ଦେଉଛି । ଏହାକୁ ରୋକିବା ପାଇଁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ., ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାକାନ୍ତ ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା ଓ ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଏସଡିପିଓ ତପନ ନାରାୟଣ ରଥ, ଆଇଆଇସି ନିହାର ରଂଜନ ପ୍ରଧାନଙ୍କ ସମତେ ଅନ୍ୟ ପୋଲିସ ଅଧିକାରୀମାନେ ଶାରଳା ଛକ, ମୁଖ୍ୟ ବଜାର , ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟ ପରିବା ବଜାର, ଜ୍ୟୋତିମହଲ ରାସ୍ତା ପରିବା ବଜାର ଆଦି ସ୍ଥାନଗୁଡିକ ପରିଦର୍ଶନ କରିଥିଲେ । ପ୍ରଶାସନର ନିର୍ଦ୍ଧାରିତ ସମୟରେ ଗ୍ରାହକମାନେ କିପରି ସାମାଜିକ ଦୂରତା ବଜାୟ ରଖି ଓ ନିଜ ସାଥିରେ ନେଇ ଆସୁଥିବା ଦୁଇ ଓ ଚାରି ଚକିଆ ଯାନଗୁଡିକକୁ ରାସ୍ତା ଉପରେ ନ ରଖି ପାର୍କିଂ ସ୍ଥାନରେ ରଖିବେ ସେ ନେଇ ଅନୁଧ୍ୟାନ କରିଥିଲେ । ସେହିପରି ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନାକା ଚେକିଂ ପୋଷ୍ଟଗୁଡିକ କରାଯାଇ ଜରୁରୀ କାମ ନ ଥିବା ଲୋକେ ଘରୁ ବାହାରିଲେ ନିୟମକୁ ଉଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଏସ.ପି.ଶ୍ରୀ ଶର୍ବଣା ବିବେକ ସୂଚନା ଦେଇଛନ୍ତି ।