କେରଡା ଓ ଜେମାଦେଇପେଣ୍ଠ କ୍ଷେତ୍ର ଚିକିତ୍ସା ଉପଚାର କେନ୍ଦ୍ର ବୁଲି ଦେଖିଲେ ଜିଲ୍ଳାପାଳ
ରାୟଗଡ,୨/୪ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଳାରେ କରୋନା ମୁକାବିଲା ନେଇ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ରାୟଗଡ ଜିଲ୍ଳା ସୀମାନ୍ତ ଶେଷଖାଲ ଥାନା ଅନ୍ତର୍ଗତ କେରଡା ଓ ଜେମାଦେଇପେଣ୍ଠ ଗ୍ରାମ ଠାରେ ଅସ୍ଥାୟୀ ଭାବେ ପ୍ରସ୍ତୁତ କରାଯାଇଥିବା କ୍ଷେତ୍ର ଚିକିତ୍ସା ଉପଚାର କେନ୍ଦ୍ରଗୁଡିକରେ କି ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ବୁଧବାର ଦିନ ଏହାର ତଦାରଖ କରିଛନ୍ତି । କେରଡା ସ୍କୁଲ ଠାରେ ହୋଇଥିବା କେନ୍ଦ୍ରରେ ୯୩ଜଣ ଓ ଜେମାଦେଇପେଣ୍ଠ ଠାରେ ୨୦ଜଣ ଲୋକଙ୍କୁ କ୍ୱାରେନଟାଇନରେ ରଖାଯାଇ ସମସ୍ତ ଉପଚାର ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ରନ୍ଧାଖାଦ୍ୟ ସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା ଓ କେନ୍ଦ୍ର ପରିସରରୁ ୧୪ଦିନ ଧରି ବାହାରକୁ ନ ଯିବା ପାଇଁ ପରାମର୍ଶ ଦେବା ସହ ଲକଡାଉନ ନିୟମକୁ ମାନି ଚଳିବା ଓ ସର୍ତକତା ଅବଲମ୍ବନ କରିବା ସମ୍ବନ୍ଧରେ ଆଲୋଚନା କରିଥିଲେ । ରାୟଗଡ ଜିଲ୍ଳା ସୀମାନ୍ତ କେରଡା ଠାରେ ଲକଡାଉନ ଯୋଗୁଁ ପଂଜାବ, ତାମିଲନାଡୁ, ରାଜସ୍ଥାନ, ଝାରଖଣ୍ଡ ସହ ପଡୋଶୀ କଳାହାଣ୍ଡି ଜିଲ୍ଳାର ଶତାଧିକ ଟ୍ରକ ଅଟକି ରହିଥିବା ଯୋଗୁଁ ଟ୍ରକ ଡ୍ରାଇଭର ଓ ହେଲପର ସମେତ ଉକ୍ତ ଅଂଚଳରେ ଦାଦନ ଖଟିବାକୁ ଯାଇଥିବା ବହୁ ଦାଦନ ଶ୍ରମିକମାନଙ୍କୁ ରଖାଯାଇଥିବା ବେଳେ ଜେମାଦେଇପେଣ୍ଠ ଠାରେ ୨୦ଜଣ ଦାଦନ ଶ୍ରମିକ ରହିଥିବା ସୂଚନା ମିଳିଛି । ଏଥିସହ ସୀମାକୁ ସିଲ୍ କରି ଦିଆଯାଇଥିବା ବେଳେ ସେଠାରେ ମୁତୟନ ଯବାନ ଓ ପୋଲିସମାନଙ୍କ ସହ ମଧ୍ୟ ଜିଲ୍ଳାପାଳ ଶ୍ରୀ ବେହେରା ସ୍ଥିତି ସମ୍ବନ୍ଧରେ ପଚାରିବୁଝିଥିଲେ । ଜିଲ୍ଳାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୈତାରୀ ଟୁଡୁ, ଶେଷଖାଲ ଥାନ ଅଧିକାରୀ ଶ୍ରୀମତି ବିଜୟଲକ୍ଷ୍ମୀ ହିକକାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।